ଶୁଖୁଛି ସତୀଗୁଡ଼ା ଡ୍ୟାମ: ଜଳ ସଂକଟ ବଢ଼ିବ, ଜଳସେଚନ ପ୍ରଭାବିତ ସହ ମତ୍ସ୍ୟଜୀବୀ ଜୀବିକା ହରାଇବେ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ବଢ଼ିବାରେ ଲାଗିଛି। ମଙ୍ଗଳବାର ଝିପିଝିପି ବର୍ଷା ହେବା ପରେ ତାପମାତ୍ରା କିଛିକାଂଶରେ କମିଥିଲା। କିନ୍ତୁ ପୁଣି ଗରମ ଫେରିଛି। ଫଳରେ ସହର ନିକଟସ୍ଥ ସତୀଗୁଡ଼ା ଜଳଭଣ୍ଡାରର ଜଳ କ୍ରମଶ୍ୟ ହ୍ରାସ ପାଉଛି। ଏହି ସତୀଗୁଡ଼ାର ଜଳ ହିଁ ସାରା ମାଲକାନଗିରି ସହରକୁ ପାଣି ଯୋଗାଉଛି। ଏଥିସହ ଜଳସେଚନ ପାଇଁ ମଧ୍ୟ ଏହି ଜଳ ହିଁ ବ୍ୟବହାର ହେଉଛି। ତେବେ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ବର୍ଷାର ପରିମାଣ ଅଧିକା ଥିବା ବେଳେ ମାଲାକନଗିରିରେ ନାହିଁ।ଫଳରେ ସତୀଗୁଡା ଡ୍ୟାମର ଜଳ କମୁଥିବାରୁ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ହଇରାଣ ହେବେ ବୋଲି କୁହାଯାଉଛି।
ପ୍ରକାଶ ଥାଉକି ସତୀଗୁଡା ଡ୍ୟାମର ଜଳସ୍ତର ୧୯୨.୬୩ ଆରଏଲ ମିଟର ଥିବା ବେଳେ ବର୍ତ୍ତମାନ ତାହା ହ୍ରାସ ପାଇ ୧୮୫ ଆରଏଲ ମିଟର ଚଳକୁ ଖସିଆସିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷାର ଦେଖା ନାହିଁ। ଜଲସ୍ତର ହ୍ରାସ ପାଉଥିବାରୁ ସହର ବାସିନ୍ଦା ଏବଂ ଚାଷ ଜମିକୁ ଜଳ ଯୋଗାଣ ହୋଇପାରିବ ନାହିଁ ବୋଲି ଆଶଂକା କରାଯାଇଛି।ସହରର ୧୯ଟି ଵାର୍ଡରେ ବାସ କରୁଥିବା ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ପ୍ରତିଦିନ ୭୦ ଲକ୍ଷ ଲିଟର ପାଣି ଦରକାର ପଡୁଥିବା ବେଳେ ଏହା ପ୍ରଭାବିତ ହେବ। ଏଥିସହ ରବି ଋତୁରେ ୪୫୩୫ ହେକ୍ଟର ଏବଂ ଖରିପ ଋତୁରେ ୯୦୬୫ ହେକ୍ଟର ଜମିକୁ ଜଳସେଚନ କରାଯାଉଥିବା ବେଳେ ଚାଷୀକୂଳ ହଇରାଣରେ ପଡିବେ। ପୁଣି ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଏକ ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ମଧ୍ୟ ନିଜର ଜୀବିକା ହରାଇବେ ବୋଲି କୁହାଯାଇଛି। ପୁଣି ସତୀଗୁଡ଼ା ଡ୍ୟାମ ଧୀରେଧୀରେ ପୋତି ହେବାକୁ ବସିଲାଣି। ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଇଛି, ଯେଉଁ ଉଦେଶ୍ୟ ନେଇ ଏହି ଡ୍ୟାମ ନିର୍ମାଣ କରାଯାଇଥିଲା ତାହା ଏବେ ଫଳପ୍ରଦ ହେଉନଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଜଳ ଜଳ ଦିଶୁଛି। ସତୀଗୁଡ଼ା ଡ୍ୟାମର ପୁନଃ ଉଦ୍ଧାର ନାମରେ କୋଟି କୋଟି ଟଂକା ପ୍ରତିବର୍ଷ ଖର୍ଚ୍ଚ ହେଉଥିଲେ ମଧ୍ୟ ଏହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି। ଏହି ପୁରାତନ ଜଳଭଣ୍ଡାର ଉପରେ ରାଜ୍ୟ ସରକାରଙ୍କର ଦୃଷ୍ଟି ନପଡିଲେ ଏହା ଧୀରେଧୀରେ ପୋତି ହେବ ବୋଲି ଆଶଂକା କରାଯାଇଛି।
ସମ୍ବନ୍ଧିତ ଖବର