କୋଭିଡ୍ ଟିକା ଫେରାଇନେଲା ଆଷ୍ଟ୍ରାଜେନେକା

ନୂଆଦିଲ୍ଲୀ: ଟିକାରେ ପ୍ରବଳ ପାର୍ଶ୍ବପ୍ରତିକ୍ରିୟା ରହିଥିବା ବ୍ରିଟିସ ଔଷଧ କମ୍ପାନି ସ୍ୱୀକାର କରିବାର କିଛି ଦିନ ପରେ ଆଷ୍ଟ୍ରାଜେନେକା ଏହାର କୋଭିଡ୍-୧୯ ଟିକାକୁ ବିଶ୍ୱବ୍ୟାପୀ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକଶିତ ଏହି ଟିକାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ନାମରେ ଉତ୍ପାଦନ କରିଥିଲା। ରିପୋର୍ଟ ଅନୁଯାୟୀ, କୋଭିଡ୍-୧୯ ପାଇଁ ଅପଡେଟ୍ ହୋଇଥିବା ଟିକା ବହୁଳ ପରିମାଣରେ ଉପଲବ୍ଧ ଥିବା ହେତୁ ବାଣିଜ୍ୟିକ କାରଣରୁ ବିଶ୍ୱବ୍ୟାପୀ ଟିକା ପ୍ରତ୍ୟାହାର ଆରମ୍ଭ ହୋଇଛି ବୋଲି କମ୍ପାନି ପ୍ରକାଶ କରିଛି। ଆଷ୍ଟ୍ରାଜେନେକା କହିଛି ଯେ ଅପଡେଟ୍ ଟିକା ସଫଳଭାବେ ନୂଆ ଭାରିଏଣ୍ଟର ମୁକାବିଲା କରିପାରୁଛି।

କମ୍ପାନୀ ସ୍ୱେଚ୍ଛାକୃତ ଭାବରେ ୟୁରୋପୀୟ ସଂଘରେ ଏହାର ମାର୍କେଟିଂ ଅନୁମତି ପ୍ରତ୍ୟାହାର କରି ନେଇଛି ଏବଂ କହିଛି ଯେ ଏହି ଟିକା ଆଉ ଉତ୍ପାଦନ ହେଉନାହିଁ ଏବଂ ଆଉ ବ୍ୟବହାର କରାଯାଇପାରିବ ନାହିଁ। ଟିକା ବ୍ୟବହାର କରୁଥିବା ଅନ୍ୟାନ୍ୟ ଦେଶରେ ମଧ୍ୟ ସମାନ ପଦକ୍ଷେପ ନିଆଯିବ। କୋଭିଡ୍ ଟିକା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବିକୁ ନେଇ ଏହି ଔଷଧ କମ୍ପାନି ବ୍ରିଟେନରେ ୧୦୦ ନିୟୁତ ପାଉଣ୍ଡ ମାମଲାର ସମ୍ମୁଖୀନ ହେଉଛି। ଆଷ୍ଟ୍ରାଜେନେକା ଫେବ୍ରୁଆରିରେ ଏକ ଅଦାଲତ ଦସ୍ତାବିଜରେ ସ୍ୱୀକାର କରିଥିଲା ଯେ କୋଭିସିଲ୍ଡ ଅତି ବିରଳ କ୍ଷେତ୍ରରେ, ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍ ସହିତ ଟିଟିଏସ୍ କିମ୍ବା ଥ୍ରମ୍ବୋସିସ୍ ସୃଷ୍ଟି କରିପାରେ। ଟିଟିଏସ୍ ଯୋଗୁଁ ମଣିଷରେ ରକ୍ତ ଜମାଟ ବାନ୍ଧିବାରେ ବାଧା ସୃଷ୍ଟି ହେବା ସହ ରକ୍ତରେ ପ୍ଲେଟଲେଟ୍ ସଂଖ୍ୟା କମ୍ ହୋଇଥାଏ ଏବଂ ଏଥିପାଇଁ ବ୍ରିଟେନରେ ଅତି କମ୍‌ରେ ୮୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ କୋଭିସିଲ୍ଡ ପ୍ରତ୍ୟାହାର ନିଷ୍ପତ୍ତି କୋର୍ଟ ମାମଲା ସହ ଜଡିତ ବୋଲି ଟିକା ନିର୍ମାତା ଅସ୍ୱୀକାର କରିଛନ୍ତି। ତେବେ ସ୍ୱାଧୀନ ଆକଳନ ଅନୁଯାୟୀ, ଏହି ଟିକା ବ୍ୟବହାରର କେବଳ ପ୍ରଥମ ବର୍ଷରେ ୬.୫ ନିୟୁତରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିଯାଇଥିଲା ଏବଂ ବିଶ୍ୱବ୍ୟାପୀ ୩ ବିଲିୟନରୁ ଅଧିକ ଡୋଜ୍ ଯୋଗାଇ ଦିଆଯାଇଥିଲା। ଆମର ପ୍ରୟାସକୁ ସମଗ୍ର ବିଶ୍ୱର ସରକାରମାନେ ସ୍ୱୀକୃତି ଦେଇଛନ୍ତି ଏବଂ ବିଶ୍ୱ ମହାମାରୀକୁ ଶେଷ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ବିବେଚନା କରାଯାଏ। ବିଶେଷଜ୍ଞମାନେ ଆଶା କରୁଛନ୍ତି ଯେ ମୂଳ କୋଭିଡ୍ ଷ୍ଟ୍ରେନ୍ ସହ ଜଡ଼ିତ ସମସ୍ତ ‘ମୋନୋଭାଲେଣ୍ଟ୍’ ଟିକା ପ୍ରତ୍ୟାହାର କରି ବିଭିନ୍ନ ପ୍ରକାର ଷ୍ଟ୍ରେନ୍‌ର ମୁକାବିଲା କରୁଥିବା ଅପଡେଟ୍ ଟିକା ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର