୨ ସହରରେ ତାପମାତ୍ରା ୪୦ ଡିଗ୍ରି ଛୁଇଁଲା: କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା

ଟ୍ବିନ୍‌ ସିଟିରେ ବର୍ଷା ସମ୍ଭାବନା

ଭୁବନଶ୍ୱର: କିଛିଦିନର ବ୍ୟବଧାନ ପରେ ତାପମାତ୍ରା ପୁଣି ୪୦ ଡିଗ୍ରି ଛୁଇଁଛି। ଆଜି ନୂଆପଡ଼ା ଓ ବଲାଙ୍ଗୀରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି। ଏହା ସହ ୧୭ଟି ସହରରେ ୩୮ ଡିଗ୍ରି ଉପରେ ତାପମାତ୍ରା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ର ରେକର୍ଡ କରିଛି। ଏହା ଛଡ଼ା ୪ଟି ଜିଲ୍ଲାର ବିଭିନ୍ନ ଜାଗାରେ ବର୍ଷା ହୋଇଛି। କେନ୍ଦ୍ରାପଡ଼ାରେ ସର୍ବାଧିକ ୪୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୧୫ ମିମି, କେନ୍ଦୁଝରରେ ୮.୨ମିମି ଓ ପାରାଦୀପରେ ୦.୫ମିମି ବର୍ଷା ହୋଇଛି। ଆଜି ସକାଳେ ଭୁବନେଶ୍ବର-କଟକ ଟ୍ବିନ୍‌ ସିଟିରେ ବର୍ଷା ୪.୨ ମିମି ବର୍ଷା ହୋଇଥିବା ବେ‌ଳେ ରାତିରେ ମଧ୍ୟ ବର୍ଷା ହୋଇଛି। କୋରାପୁଟରେ ସକାଳେ ୭.୨ ମିମି, ନୂଆପଡ଼ାରେ ୧୪.୪ ମିମି, ନବରଙ୍ଗପୁରରେ ୧୧.୬ମିମି, ଝାରସୁଗୁଡ଼ାରେ ୨ମିମି, ଗୋପାଳପୁରରେ ୧.୬ ମିମି ବର୍ଷା ରେକର୍ଡ କରାଯାଇଛି।

କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ନବରଙ୍ଗପୁରରେ ସର୍ବନିମ୍ନ ୨୫.୫ ଡିଗ୍ରି ରେକର୍ଡ କରାଯାଇଛି। ପୂର୍ବଦିନର ତାପମାତ୍ରା ଠାରୁ ୧୫ ଡିଗ୍ରି କମ୍‌ ରହିଛି। ଟିଟିଲାଗଡ଼ ଓ ବଲାଙ୍ଗୀରରେ ୧୦ ଡିଗ୍ରି ତାପମାତ୍ରା କମିଥିବା ବେଳେ ଭୁବନେଶ୍ବରରେ ୭.୨ ଡିଗ୍ରି ହ୍ରାସ ପାଇଛି। ଉପକୂଳ ଓଡ଼ିଶାରେ ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମିଛି। ଆସନ୍ତାକାଲି ମଧ୍ୟ ତାପମାତ୍ରା କମ୍‌ ରହିବା ଆକଳନ କରାଯାଇଛି। କାଳବୈଶାଖୀ ଯୋଗୁ ଆସନ୍ତାକାଲି ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାାରେ ବର୍ଷା ହେବା ସମ୍ଭାବନା ଥିବାରୁ ତାମପାତ୍ରାରେ ବିଶେଷ ବୃଦ୍ଧି ଘଟିବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ର ଆକଳନ କରିଛି।

ସମ୍ବନ୍ଧିତ ଖବର