ତେଲେଙ୍ଗାନାରେ ଅଦିନିଆ ବର୍ଷା, ୧୩ ମୃତ

ହାଇଦ୍ରାବାଦ: ମଙ୍ଗଳବାର ରାତିରେ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ପ୍ରବଳ ଅଦିନିଆ ବର୍ଷା ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦ ଉପକଣ୍ଠରେ ଅବସ୍ଥିତ ବାଚୁପଲ୍ଲୀରେ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳା ଓ ଜଣେ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି। ବାଚୁପଲ୍ଲୀ ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ମୃତକମାନେ ହେଲେ ତିରୁପତି (୨୨), ଶଙ୍କର (୨୨), ରାଜୁ (୨୫), ଖୁସି (୨୫), ରାମ ଯାଦବ (୩୪), ଗୀତା (୩୨) ଏବଂ ହିମାଂଶୁ (୪)। ମୃତକମାନେ ଓଡ଼ିଶା ଓ ଛତିଶଗଡ଼ର ପ୍ରବାସୀ ଶ୍ରମିକ। ସମସ୍ତେ ସେହି ସ୍ଥାନରେ ଆଜବେଷ୍ଟସ୍ ଚାଦରରେ ନିର୍ମିତ ଅସ୍ଥାୟୀ ସେଡ୍‌ରେ ରହୁଥିଲେ। ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଶ୍ରମିକଙ୍କ ସେଡ୍‌ ଉପରେ କୋଠାର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହି ମୃତ୍ୟୁ ଘଟିଛି।
ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (ଜିଏଚ୍‌ଏମ୍‌ସି)ର ବିପର୍ଯ୍ୟୟ ମୁକାବିଲା ବାହିନୀ ଟିମ୍ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବୁଧବାର ସକାଳ ସୁଦ୍ଧା ଭଗ୍ନାବଶେଷ ସଫା କରାଯାଇଥିଲା ଏବଂ ଘଟଣାସ୍ଥଳରୁ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହଗୁଡ଼ିକୁ ଗାନ୍ଧୀ ହସ୍ପିଟାଲର ଶବଗୃହକୁ ନିଆଯାଇଥିଲା। ଏକ ଦୁର୍ଘଟଣା ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ୭ ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ବୁଧବାର ସକାଳେ କଷ୍ଟମ୍ସ କଲୋନିସ୍ଥିତ ବେଗମପେଟ୍ ଡ୍ରେନରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତରାତିରେ ପ୍ରବଳ ବର୍ଷା ସମୟରେ ସେମାନେ ହଠାତ୍ ଖୋଲା ଡ୍ରେନ୍‌ରେ ଖସି ପଡ଼ିଥାଇ ପାରନ୍ତି ବୋଲି ପୁଲିସ କହିଛି। ମୃତଦେହଗୁଡ଼ିକୁ ଗାନ୍ଧୀ ହସ୍ପିଟାଲ ଶବଗୃହକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି। ସେହିପରି ଅନ୍ୟ ଏକ ଘଟଣାରେ ମେଡକ ଜିଲ୍ଲାର କୋଡ଼ିପଲ୍ଲୀ ମଣ୍ଡଳର ରାଇଲାପୁର ଗ୍ରାମରେ କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ଶ୍ରମିକ ବାସୁଲୁ ସୁବ୍ରମଣ୍ୟମ୍ (୪୨) ଓ ମଦାସୁ ନାଗୁ (୩୭) ବୋଲି ଜଣାପଡ଼ିଛି। ମଙ୍ଗଳବାର ସକାଳେ ସିଦ୍ଦିପେଟ୍ ଜିଲ୍ଲାର କୁକୁନୁରପଲ୍ଲୀରେ ବଜ୍ରପାତ ଯୋଗୁଁ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁମାରୀ ମଲ୍ଲେଶମ (୩୩)। ସେହିପରି ୱାରାଙ୍ଗଲ ଜିଲ୍ଲାର ଇଲାଣ୍ଡା ଗାଁରେ ଟ୍ରାକ୍ଟରରେ ଘରକୁ ଫେରୁଥିବା ବେଳେ ଗଛ ଡାଳ ପଡ଼ି ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦରେ ବିଭିନ୍ନ ସ୍ଥାନରେ ୩୦ ମିଲିମିଟରରୁ ଆରମ୍ଭ କରି ୧୦୯ ମିଲିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିବାରୁ ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର