ପ୍ଲାଟ୍‌ଫର୍ମରୁ ଖସି ପଡ଼ି ଯୁବତୀ ଗୁରୁତର

ବାମରା: ବାମରା ରେଳ ଷ୍ଟେସନ୍‌ ପ୍ଲାଟ୍‌ଫର୍ମରୁ ଶନିବାର ଜଣେ ଯୁବତୀ ଖସି ପଡ଼ି ଗୁରୁତର ଭାବେ ଆହତ ହୋଇଥିବା ବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ରାଜଗାଙ୍ଗପୁର ନିକଟ ବୁଢ଼ାମ ଗ୍ରାମର ବିବାହିତା ଯୁବତୀ ସୁଶାନ ଧାନୱାର୍ (୨୨) ସମ୍ପର୍କୀୟ ଭାଇ ବାମରା ବ୍ଲକ ଗଡ଼ପୋଷ ସାନ ଡୁମେରମୁଣ୍ଡା ଗ୍ରାମର ସଂଜୟ ସୁରିନ (୨୦)ଙ୍କ ସହିତ ବାମରା ମକର ଯାତ୍ରା ଦେଖିବାକୁ ଆସିଥିଲେ। ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ସଂଜୟ ବାମରା ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଥାଇ ସୁଶାନଙ୍କୁ ଡାକିଥିଲେ। ଫଳରେ ସୁଶାନ ୧ ନମ୍ବର ପ୍ଲାଟଫର୍ମରୁ ରେଳ ଧାରଣ ଅତିକ୍ରମ କରି ସେଠାକୁ ଯାଉଥିଲେ। ମାତ୍ର ୨ ପ୍ଲାଟଫର୍ମ ଉପରକୁ ଚଢ଼ିବା ବେଳେ ଅସାବଧାନତା ଯୋଗୁଁ ଲାଇନ ଉପରେ କଚାଡ଼ି ହୋଇ ପଡ଼ିଥିଲେ।

ଏହି ସମୟରେ ଏକ ମାଲ୍‌ଗାଡ଼ି ଡାଉନ ଲାଇନରେ ଦ୍ରୁତ ଗତିରେ ଆସିଯାଇ ଥିଲେ ହେଁ ସୌଭାଗ୍ୟ ବଶତଃସୁଶାନ ଲାଇନର ଏକ କୋଣରେ ରହି ଯାଇଥିଲେ। ତେବେ ଷ୍ଟେସନରେ ଥିବା ଲୋକେ ଜାଣି ନ ପାରି ଝିଅଟି ଟ୍ରେନରେ କଟି ମରିଗଲା ବୋଲି ଭାବି ପାଟି କରି ଧାଇଁ ଥିଲେ। ଟ୍ରେନ ଅତିକ୍ରମ କଲା ପରେ ଯୁବତୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ତାଙ୍କ ଅଣ୍ଟା ଓ ମୁଣ୍ଡରେ ଗଭୀର ଆଘାତ ଲାଗି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ଫଳରେ ସେଠାରେ କାର୍ଯ୍ୟରତ ଆର୍‌ପିଏଫ୍‌ ଓ ଜିଆରପି ଷ୍ଟାଫ ତାଙ୍କୁ  ଉଦ୍ଧାର କରିଥିଲେ। ଖବର ପାଇ ବାମରା ସାମ୍ବାଦିକ ୟୁନିୟନ ସଭାପତି ସନ୍ତୋଷ ଶୁକ୍ଳା, ସମ୍ପାଦକ ମନୋଜ ରାଜ, ଶୀତଳ ଜୈନ, ରାଜା ଖାନ, ସ୍ବେଚ୍ଛାସେବୀ ବନମାଳି କରସେଲ, ପୂର୍ଣାନନ୍ଦ ପଟେଲ, ମହମ୍ମଦ ନିଶାର, ଅନମୋଲ ଅଗ୍ରୱାଲ ପହଞ୍ଚି ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁଶାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର