୧୯.୯୩ ଲକ୍ଷ ଲୁଟ୍‌ ଘଟଣା: ଲୁଟେରା ବାଦଲକୁ ବାନ୍ଧିଲା ପୁଲିସ

ମାତ୍ର ୩୫ ହଜାର ଟଙ୍କା, ପଲସ୍‌ର ମୋଟରବାଇକ୍‌ ଜବତ

ରାଉରକେଲା: ଦୁଇଟି ସ୍ଥାନରୁ ୧୯ ଲକ୍ଷ ୯୩ ହଜାର ଲୁଟ୍‌ ଘଟଣାର ମୁଖ୍ୟ ‌ଲୁଟେରାକୁ ପ୍ଲାଣ୍ଟସାଇଟ୍‌ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଲୁଟେରା ହେଲେ ପଶ୍ଚିମବଙ୍ଗ ଜଲପାଇଗୁଡ଼ିର ବାଦଲ ଗୋଏଲା (୩୫)। ତା’ ନିକଟରୁ ପୁଲିସ ମାତ୍ର ୩୫ ହଜାର ଟଙ୍କା, ଲୁଟ୍‌ରେ ବ୍ୟବହୃତ ପଲ୍‌ସର ମୋଟରବାଇକ୍‌ ଜବତ କରିଛି। ଅବଶିଷ୍ଟ ଟଙ୍କାକୁ ବାଦଲ୍‌ କ’ଣ କରିଛି ପୁଲିସ ତା’ର ଖୋଳତାଡ କରୁଛି। ଏଥିସହ ବାଦଲ ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି? ଲୁଟ୍‌ରେ ବାଦଲ ବ୍ୟବହାର କରିଥିବା ବନ୍ଧୁକ କେଉଁଠି ଅଛି ? ପୂର୍ବରୁ ସେ କି କାମ କରୁଥିବା ? ଉଭୟ ଉଦିତନଗର ଓ ପ୍ଲାଣ୍ଟସାଇଟ୍‌ ପୁଲିସ ତା’ର ତଦନ୍ତ ଚଳାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ସହରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ କର୍ମଚାରୀ ପ୍ରଶାନ୍ତ ବିଶ୍ବାଳଙ୍କୁ ବନ୍ଧୁକ ଦେଖାଇ ଗିରଫ ବାଦଲ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା ଲୁଟି ନେଇଥିଲା। ପ୍ରଶାନ୍ତ କୋଏଲନଗରସ୍ଥ ବ୍ୟବସାୟୀଙ୍କ ଘରୁ ଟଙ୍କା ନେଇ ଉଦିତନଗରସ୍ଥ ଅଫିସକୁ ସ୍କୁଟି‌ରେ ଆସୁଥିଲେ। ଆର୍‌ଏମ୍‌ସି ଠାରୁ ମାତ୍ର ୫୦ ମିଟର ପୂର୍ବରୁ ଗିରଫ ବାଦଲ ଓ ଅନ୍ୟ ଜଣେ ସହଯାଗୀ ପ୍ରଶାନ୍ତକୁ ଅଟାଇଥିଲେ। ପ୍ରଶାନ୍ତ ସ୍କୁଟିରୁ ଓହ୍ଲାଇବା ପରେ ବାଦଲ ପ୍ରଶାନ୍ତ ମୁଣ୍ଡରେ ପିସ୍ତଲ ଲଗାଇଥିଲେ। ଅନ୍ୟ ଜଣେ ତାଙ୍କ ପେଟରେ ଛୁରି ଲଗାଇ ଟଙ୍କା ବ୍ୟାଗ୍‌ ଛଡାଇଥିଲେ। ପରଦିନ ଅର୍ଥାତ୍‌ ୧୫ ତାରିଖରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସାତତାଲା ବିଲ୍‌ଡିଂ ସମ୍ମୁଖ ରିଂରୋଡରେ ଗିରଫ ବାଦଲ ଷ୍ଟିଲ୍‌ ବ୍ୟବସାୟୀଙ୍କ କର୍ମଚାରୀ ପ୍ରଦୀପ ଜେଲ୍‌ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲା। ପ୍ରଦୀପ ବିଶ୍ରା ଛକସ୍ଥ ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଆଇଡିସି କଲୁଙ୍ଗା କାରଖାନାକୁ ମୋଟରବାଇକ୍‌ରେ ଯାଉଥିଲେ। ତାଙ୍କୁ କଳା ପଲ୍‌ସର ମୋଟରବାଇକ୍‌ରେ ଗିରଫ ବାଦଲ ପିଛା କରିଥିଲେ। ସାତତାଲା ବିଲ୍‌ଡିଂ ସମ୍ମୁଖ ରିଂରୋଡ ଦୁଇ ଯୁବକ ପ୍ରଦୀପକୁ ଅଟକାଇଥିଲେ। ପ୍ରଦୀପ ମୋଟରବାଇକ୍‌ରୁ ଓହ୍ଲାଇବାମାତ୍ରେ ବାଦଲ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପି‌ ନେଇ ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର