ଆଇଜିଙ୍କ ଘରୁ ବନ୍ଧୁକ ଚୋରି କରି ବିକିଦେଲା ହୋମଗାର୍ଡଙ୍କ ପୁଅ

ପାଟନା: ବିହାରର ପାଟନାରେ ଏବେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ ଇନ୍ସପେକ୍ଟର ଜେନେରାଲ ବିକାଶ ବୈଭବଙ୍କ ବାସଭବନରୁ ଲାଇସେନ୍ସପ୍ରାପ୍ତ ପିସ୍ତଲ ଚୋରି ମାମଲାରେ ପୁଲିସ ଜଣେ ହୋମଗାର୍ଡଙ୍କ ପୁଅଙ୍କୁ ଗିରଫ କରିଛି। ତାଙ୍କୁ ପଚରାଉଚରା ଚାଲିଛି। ଏଥି ସହିତ, ଏହି ମାମଲାରେ ପୁଲିସ ସୁରଜ ଏବଂ ପୁଣିତ ନାମକ ଦୁଇ ଜଣ ଯୁବକଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ମିଳିଥିବା ସୂଚନା ମୁତାବକ ଆଇଜି ବିକାଶ ବୈଭବଙ୍କ ପୁଲିସ କଲୋନୀରେ ଥିବା ତାଙ୍କ ବାସଭବନରୁ ପିସ୍ତଲ ଚୋରି ହୋଇଥିବା ଜଣାପଡିଥିଲା | ଯାହାକୁ ନେଇ ବିହାର ପୁଲିସରେ ଆଲୋଡନ ସୃଷ୍ଟି ହୋଇଥିଲା | ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା |

ଆଉ ଏହି ବାସଭବନରେ ସୁରକ୍ଷାରେ ମୁତୟନ ହୋମଗାର୍ଡ ବିରେନ୍ଦ୍ର ରାମଙ୍କ ପୁଅ ସୁରଜଙ୍କୁ ସନ୍ଦେହରେ ଅଟକ ରଖି ପୁଲିସ ପଚରାଉଚୁରା କରିଥିଲା | ଆଉ ସୁରଜ ସବୁ ସତ ମାନିଯାଇଥିଲା | ଏହି ମାମଲାରେ ଗରଦନିବାଗ ପୁଲିସ ତାଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଏହାକୁ ଗୁରୁତର ସହ ନେଇ ପୁଲିସ ସିସିଟିଭି କ୍ୟାମେରାର ଭିଡିଓକୁ ମଧ୍ୟ ଛାନଭିନ କରୁଛି | ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଚୋରି ହୋଇଥିବା ପିସ୍ତଲଟି ୯ ଏମଏମର ହୋଇଥିବାବେଳେ ୨୫ଟି କାର୍ଟ୍ରିଜ୍ ମଧ୍ୟ ଚୋରି ହୋଇଛି | ସୁରଜ ପିସ୍ତଲ ଚୋରି କରି ପୁଣିତ ନାମକ ଜଣେ ଯୁବକଙ୍କୁ ବିକ୍ରି କରିଦେଇଥିଲା। ସୁରଜଙ୍କୁ ଗିରଫ କରାଯାଇଛି। ପୁଣିତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇପାରିନାହିଁ।

ସମ୍ବନ୍ଧିତ ଖବର