ସୀମାରେ ଦେଶ ଚିନ୍ତା, ଗାଁରେ ପରିବେଶ ଚିନ୍ତା, ନିଜ ବାହାଘରରେ ଚାରା ବାଣ୍ଟିଲେ ଯବାନ

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି। ଜଣେ ପ୍ରକୃତି ପ୍ରେମୀ ଯବାନ ନିଜ ବାହାଘରରେ ଅତିଥି ମାନଙ୍କୁ ଚାରା ବାଣ୍ଟିଛନ୍ତି। ଏପରିକି ଉକ୍ତ ଗଛକୁ ବଞ୍ଚାଇ ରଖିବାକୁ ମଧ୍ୟ ଅତିଥି ମାନଙ୍କୁ ବାରମ୍ବାର କହିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବନ୍ତଳା ଗ୍ରାମର ରବୀନ୍ଦ୍ର ସାହୁଙ୍କ ପୁଅ ହାସ୍ୟଜିତ ସାହୁ ଦେଶର ସୈନିକ ଭାବରେ କାମ କରନ୍ତି।କିନ୍ତୁ ପିଲାବେଳୁ ସେ ପରିବେଶ ଓ ପ୍ରକୃତି ପ୍ରିୟ।ଗାଁ କୁ ବିଭିନ୍ନ ସମୟରେ ଛୁଟିରେ ଆସିଲେ ସେ କିଛି ନା କିଛି ଚାରା ରୋପଣ କରନ୍ତି। ଆଉ ତାକୁ ବଞ୍ଚାଇ ରଖିବାକୁ ସାଙ୍ଗ ସାଥୀ ମାନଙ୍କୁ ନିବେଦନ କରନ୍ତି।ତେବେ ଗତ ରବିବାର ଦିନ ତାଙ୍କର ବିବାହ ଇଙ୍କରବନ୍ଧ ଗ୍ରାମରେ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ସୋମବାର ଦିନ ବନ୍ତଳା ଗ୍ରାମରେ ଏକ ଭୋଜିର ଆୟୋଜନ କରାଯାଇଥିଲା।ଏଥିପାଇଁ ହାସ୍ୟଜିତ ବନ୍ଧୁ ବାନ୍ଧବ ଓ ଅତିଥି ମାନଙ୍କୁ ନିମନ୍ତ୍ରଣ କରିଥିଲେ।ଭୋଜିରେ ବହୁ ଅତିଥି ମଧ୍ୟ ଯୋଗ ଦେଇଥିଲେ।ତେବେ ପୂର୍ବରୁ ପ୍ରସ୍ତୁତ ଥିବା ଆମ୍ବ, ପିଜୁଳି, ଜାମୁ,ଲେମ୍ବୁ ପ୍ରଭୂତି ଚାରା ସେ ଅତିଥି ମାନଙ୍କୁ ଉପହାର ଦେଇଥିଲେ। ଏହି ଘଟଣା ଦେଖି ଅତିଥି ମାନେ ମଧ୍ୟ ଉକ୍ତ ଯୁବକଙ୍କୁ ବାଃ ବାଃ କହିଥିଲେ। ଏଭଳି ଭାବରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ବ ଅତିଥି ଗଛ ନେଇ ମନ ଖୁସିରେ ଘରକୁ ଫେରିଥିଲେ।

ଅନ୍ୟପକ୍ଷରେ ପ୍ରକୃତିକୁ ସେ ଏତେ ଭଲ ପାଆନ୍ତି ଯେ ନିଜ ଭୋଜିରେ ସେ ଆମିଷର ବ୍ୟବସ୍ଥା କରିନଥିଲେ।ଜୀବ ପ୍ରତି ଦୟାଭାବ ଓ ନିଜ ବାହାଘର ଉପଲକ୍ଷେ ଜୀବହତ୍ୟା ନକରିବାକୁ ସେ ପରିବାରକୁ କହିଥିଲେ।ଏପରିକି ବିବାହ ଭୋଜିରେ ପ୍ଲାଷ୍ଟିକ ଗ୍ଲାସ ମଧ୍ୟ ବ୍ୟବହାର କରାଯାଇନଥିଲା।ଏଭଳି ଏକ ଅଭିନବ ଓ ନିଆରା ବିବାହ ବନ୍ତଳା ଅଞ୍ଚଳରେ ପ୍ରଥମ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

 

ସମ୍ବନ୍ଧିତ ଖବର