ଭୁବନେଶ୍ବର: ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କୁ ଯେଉଁଭଳି ବିନା ବିଜୁଳି ଏବଂ ପାଣିରେ ଟିଣ ଘରେ କଲବଲ କରି ରଖାଯାଉଛି ଥରେ ଦେଖି ଆସନ୍ତୁ, ବିସ୍ଥାପିତଙ୍କ ଅବସ୍ଥା ଜଣାପଡ଼ିବ। ଦିଲ୍ଲୀସ୍ଥିତ ଜାତୀୟ ଜନଜାତି କମିସନରେ ହାଜର ବେଳେ ଏହି ମର୍ମରେ ନିଜ ମତ ଦେଇଥିବା କହିଛନ୍ତି ବଲାଙ୍ଗୀର ଜିଲ୍ଲା କୁମିଆପାଲିର ପ୍ରେମରାଜ ବରିହା, ଡମରୁଧର ବରିହା, ରାମଚନ୍ଦ୍ର ବରିହା, ଶ୍ୟାମ ବରିହାଙ୍କୁ ନେଇ ଗଠିତ ୪ ଜଣିଆ ପ୍ରତିନିଧି ଦଳ। କମିସନଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏଥିରେ ବଲାଙ୍ଗୀର ଜିଲ୍ଲାପାଳ ହାଜର ହୋଇନଥିଲେ।

Advertisment

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ୨୯ଟି ଗାଁର ସମୁଦାୟ ୧୩୧୦୭.୪୩ ଏକର ଅଞ୍ଚଳ ଜଳମଗ୍ନ ହେବ ଏବଂ ୯୨୧୨ ପରିବାର ବିସ୍ଥାପିତ ହେଉଛନ୍ତି। ୨୨ ବର୍ଷ ଧରି ବିସ୍ଥାପନ ଏବଂ ଥଇଥାନ ପ୍ରସଙ୍ଗ ନେଇ ଏହି ପ୍ରକଳ୍ପକୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ିଛି। ଲଗାତର ପ୍ରଶାସନିକ ଚାପ ପରେ ୨୯ଟି ଗାଁର ଅଧିକାଂଶ ବିସ୍ଥାପନକୁ ସ୍ବୀକାର କରିସାରିଛନ୍ତି ଏବଂ କ୍ଷତିପୂରଣ ଟଙ୍କା ଗ୍ରହଣ ପାଇଁ ବାଧ୍ୟ ହୋଇଛନ୍ତି। କୁମିଆପାଲିର ୫୦ ଆଦିବାସୀ ପରିବାର ୧୦ ଦଫା ଦାବି ନେଇ ସର୍ଭେ କାର୍ଯ୍ୟକୁ ବିରୋଧ କରୁଛନ୍ତି। ସେମାନେ ଜମି ଅଧିଗ୍ରହଣ ଥଇଥାନ ଏବଂ ପୁନର୍ବାସ କ୍ଷେତ୍ରରେ ଉପଯୁକ୍ତ କ୍ଷତିପୂରଣ ସମେତ ୧୦ ଦଫା ଦାବି ନେଇ ଜନଜାତି କମିସନ ଏବଂ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହାର ଶୁଣାଣି ପାଇଁ ଜାତୀୟ ଜନଜାତି କମିସନଙ୍କ ପକ୍ଷରୁ ସେମାନଙ୍କୁ ଦିଲ୍ଲୀରେ ହାଜର ହେବା ପାଇଁ କୁହାଯାଇଥିଲା। ଏହି ଅବସରରେ ସମସ୍ତ ଆଦିବାସୀ ପରିବାରଙ୍କୁ ଜୀବିକା ପାଇଁ ୨.୫ ଏକର ଜଳସେଚିତ କିମ୍ବା ୫ ଏକର ଅଣଜଳସେଚିତ ଜମି ପ୍ରଦାନ, ବିସ୍ଥାପିତ ପରିଚୟ ପତ୍ର ପ୍ରଦାନ ଯେଉଁଥିରେ ସେମାନଙ୍କୁ ବିଜୁଳି ଟିକସ, ଜଳକର, ସ୍କୁଲ ଫି’ ଛାଡ଼ ସହ ପ୍ରକଳ୍ପ ଲାଭାଂଶରେ ୨ ପ୍ରତିଶତ ପେନସନ ପ୍ରଦାନ, ନାବାଳକଙ୍କୁ ୬ ହଜାର ଟଙ୍କା ଭତ୍ତା, ବିସ୍ଥାପିତ ଆଦିବାସୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରି, ଭୂମିହୀନ ସମସ୍ତ ଆଦିବାସୀ ପରିବାରଙ୍କୁ ପରିବାର କ୍ଷତିପୂରଣରେ ସାମିଲ ଏବଂ ଥଇଥାନ ପାଇଁ ବିକଳ୍ପ ବ୍ୟବସ୍ଥା ନକରିବା ପର୍ଯ୍ୟନ୍ତ ବିସ୍ଥାପିତ ନ କରିବା ପାଇଁ କହିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ପ୍ରକଳ୍ପ ପ୍ରଭାବିତ ୨୯ରୁ ୧୨ଟି ଗାଁରେ ଭୂମି ଅଧିଗ୍ରହଣ, ଥଇଥାନ ଏବଂ ପୁନଃବସତିରେ କ୍ଷତିପୂରଣ ଏବଂ ସ୍ବଚ୍ଛତା ପ୍ରତି ଅଧିକାର ଆଇନ ୨୦୧୩ କରାଯାଉଛି। କିନ୍ତୁ ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି ୨୦୦୬କୁ କାର୍ଯ୍ୟକାରୀ କରାଯାଉଛି।