ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର

ସମ୍ବଲପୁର: ସ˚ସ୍କୃତି, ପରମ୍ପରା, ଭାଇଚାରା ଓ ସ୍ବାଭିମାନର ପର୍ବ ନୂଆଁଖାଇ। ଜୀବନଜୀବିକାର ପର୍ବ, ଚାଷ ଓ ଚାଷୀର ପର୍ବ ନୂଆଁଖାଇ। ନୂଆଁଖାଇ ପାଇଁ ପୂରା ପଶ୍ଚିମଓଡ଼ିଶା ଉତ୍ସବମୁଖର। ବୁଧବାର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ପାଳିତ ହୋଇଯାଇଛି ମହାନ ଗଣପର୍ବ ନୂଆଁଖାଇ। ନୂଆଁଖାଇ ପର୍ବ ଅତି ନିଆରା ଓ ସ୍ବତନ୍ତ୍ର ଏହା ପୁଣିଥରେ ପ୍ରମାଣିତ ହୋଇଛି। ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼ ସୀମାନ୍ତ ଅଞ୍ଚଳର ପ୍ରତିଟି ଗାଁ ଓ ସହର, ପ୍ରତି ଘରେ ଓ ପରିବାରରେ ବେଶ୍‌ ଆଡ଼ମ୍ବରରେ ଏହି ପର୍ବକୁ ସପରିବାରେ ପାଳନ କରାଯାଇଛି। ସମସ୍ତଙ୍କ ମନରେ ଅପୂର୍ବ ଖୁସି, ନୂଆ ଆଶା, ଆଜି ନିଜର ପହିଲି ଫସଲ ଈଶ୍ବରଙ୍କୁ ଅର୍ପଣ କଲୁ। ତାଙ୍କ ଆଶୀର୍ବାଦ ନେଇ ପରିବାରର ସମସ୍ତଙ୍କ ସହ ମିଶି ନୂଆଁ ଖାଇଲୁ। ଆଗକୁ ପୂରା ବର୍ଷ ଭଲରେ କଟିବ। ବିପଦଆପଦରେ ମାଆ ଆମକୁ ସାହା ହେବେ।

ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ବୁଧବାର ଦିନ ୧୦ଟା ୨୭ରୁ ୧୦ଟା ୪୨ ମଧୢରେ ବିଛା ଲଗ୍ନ ତୁଳା ନବାଂଶେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲଗା ଯାଇଥିଲା। ଏହା ପୂର୍ବରୁ ପୂଜକମାନେ ମାଆଙ୍କୁ ନୂଆ ବସ୍ତ୍ର, ଅଳଙ୍କାରରେ ସଜ୍ଜିତ କରିଥିଲେ। ପୂଜକ ପରିବାରରେ ସ˚ପୂର୍ଣ୍ଣ ନିଷ୍ଠା ଓ ନୀତି ନିୟମର ସହ ନୂଆ ଧାନରେ ମାଆଙ୍କ ପାଇଁ ନବାନ୍ନ ଭୋଗ (ନୂଆଁ ଚାଉଳ ଚୁରା), ଖିରି, ପିଠା, ସାରୁ ଶାଗ ଆଦି ପ୍ରସ୍ତୁତ ହୋଇଥିଲା। ନୂଆଁ ଭୋଗ ଓ ପୂଜା ସାମଗ୍ରୀକୁ ଘଣ୍ଟ ଶ˚ଖ ବଜାଇ ପଟୁଆରରେ ନେଇ ପୂଜକଗଣ ମନ୍ଦିରରେ ପହଞ୍ଚିଥିଲେ। ମାଆଙ୍କ ପାଖରେ ଭୋଗ ଲାଗିଲା ପରେ ପୂଜକମାନେ ବେଢ଼ା ପୂଜା ସହ ବୁଲି ବୁଲି ପାର୍ଶ୍ବ ଦେବଦେବୀଙ୍କୁ ନବାନ୍ନ ଭୋଗ ଲଗାଇଥିଲେ। ଏହାପରେ ମାଆଙ୍କ ପାଖରେ ସ୍ବତନ୍ତ୍ର ଆଳତି କରାଯାଇଥିଲା। ନବାନ୍ନ ଅର୍ପଣ ପରେ ମନ୍ଦିରର ଦ୍ବାର ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲା ଯାଇଥିଲା। ନବାନ୍ନ ପୂଜା ସମୟରେ ଭକ୍ତଙ୍କ ସମାଗମରେ ମନ୍ଦିର ପ୍ରାଙ୍ଗଣ ପୂରି ଉଠିଥିଲା। ହୁଳହୁଳି ଶବ୍ଦରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଯାଇଥିଲା।

ସେଭଳି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀଙ୍କଠାରେ ନିଷ୍ଠାର ସହ ନବାନ୍ନ ଭୋଗ ଲାଗି ହୋଇଥିଲା। ବଲାଙ୍ଗୀରରେ ମାଆ ସମଲେଶ୍ବରୀ ଓ ପାଟଣେଶ୍ବରୀଙ୍କୁ ଭାବ ଓ ଭକ୍ତିର ସହ ନୂଆଁ ଭୋଗ ଅର୍ପଣ କରା ଯାଇଥିଲା। ସୋନପୁରରେ ଅଧିଷ୍ଠାତ୍ରୀ ଦେବୀ ମାଆ ସୁରେଶ୍ବରୀଙ୍କଠାରେ ନୀତିନିଷ୍ଠାର ସହ ନୂଆ ଅନ୍ନ ଲାଗି ହୋଇଥିଲା। ବୌଦ୍ଧରେ ମାତା ଭୈରବୀଙ୍କ ନିକଟରେ ନୂଆ ଭୋଗ ଲାଗିଥିଲା। ଝାରସୁଗୁଡ଼ାରେ ବାବା ଝାଡ଼େଶ୍ବରଙ୍କୁ ନୂଆଁ ଭୋଗ ଲଗା ଯାଇଥିଲା। ସୁନ୍ଦରଗଡ଼, ବରଗଡ଼, ବରପାଲି, ଛତିଶଗଡ଼ର ସାରଂଗଡ଼, ରାୟଗଡ଼ ଆଦି ସ୍ଥାନରେ ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ଲୋକେ ପରଂପରା ଅନୁଯାୟୀ ଦେବଦେବୀଙ୍କୁ ପୂଜା କରି ନୂଆ ଭୋଗ ଲାଗି କରିଥିଲେ। ଚାଷୀମାନେ ନିଜ କ୍ଷେତକୁ ଯାଇ ମାଟିମାଆର ପୂଜା କରିବା ସହ କ୍ଷୀର ଢାଳିଥିଲେ। କଳାହାଣ୍ଡି ଜିଲ୍ଲାର ଅଧା ଅଞ୍ଚଳରେ ଆଜି ନୂଆଁଖାଇ ହୋଇଥିଲା। ଆସନ୍ତା ଦଶମୀ ତିଥିରେ ମାଆ ମାଣିକେଶ୍ବରୀଙ୍କଠାରେ ନବାନ୍ନ ଲାଗି ସହ ଜିଲ୍ଲାର ବାକି ଅଞ୍ଚଳରେ ନୂଆଁଖାଇ ପାଳନ ହେବ। ନୂଆଁଖାଇ ଅବସରରେ ଗୋମାତାଙ୍କୁ ବି ପୂଜାର୍ଚ୍ଚନା କରାଯାଇଥିଲା। ବୁଧବାର ନୂଆ ଭୋଗର ଦେବାର୍ପଣ ପରେ ପ୍ରତି ପରିବାରରେ ନୂଆଁଖାଇ ପର୍ବ ଆରମ୍ଭ ହୋଇଥିଲା। ପରିବାର ସମସ୍ତ ସଦସ୍ୟ ନୂଆ ପୋଷାକ ପିନ୍ଧି ଏକାଠି ବସିବା ପରେ ବୟୋଜ୍ୟେଷ୍ଠ ସଦସ୍ୟ ସମସ୍ତଙ୍କୁ ନୂଆ ଅନ୍ନ ପ୍ରସାଦ ବାଣ୍ଟିଥିଲେ। ତାହାକୁ ସମସ୍ତେ ଏକା ସାଙ୍ଗରେ ସେବନ କରିଥିଲେ। ନୂଆ ଭୋଗ ସାଙ୍ଗକୁ ଖିରି, ପିଠାପଣାରେ ସବୁ ଘର ଉଛୁଳିଥିଲା। ନୂଆଁଖାଇ ସାରିବା ପରେ ଗୁରୁଜନମାନଙ୍କୁ ଜୁହାର‌୍‌, ମୁଣ୍ତିଆ ମାରି ଆଶୀର୍ବାଦ ନେବାର ନିଆରା ପର˚ପରା ଆରମ୍ଭ ହୋଇଥିଲା। ସାନମାନେ ବଡ଼ମାନଙ୍କୁ ଜୁହାର ଭେଟ୍‌ ହୋଇଥିଲେ। ପରିବାର ସଦସ୍ୟଙ୍କ ପରେ ଗାଁ, ପଡ଼ାର ବନ୍ଧୁ, ପଡେ଼ାଶୀଙ୍କୁ ଭେଟି ଜୁହାର‌୍‌ ଭେଟ୍‌ ହୋଇଥିଲେ।

ଅପରାହ୍‌ଣରେ ଗାଁଗୁଡ଼ିକରେ ଖେଳକୁଦ, ନାଚ, ଗୀତ, ଭଜନ, କୀର୍ତନ ଆଦି କାର୍ଯ୍ୟକ୍ରମ ହୋଇଥିଲା। ବର୍ଷା କାରଣରୁ ବୁଧବାର ଏହା ଠିକ୍‌ ଭାବେ ହୋଇପାରି ନଥିଲା। ସହରଗୁଡ଼ିକରେ ବି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବିତା ପାଠ, ଭଜନ, ସମ୍ବଲପୁରୀ ନାଚ, ଗୀତ, ମିଠା ଖିଆ ପ୍ରତିଯୋଗିତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଜମିଥିଲା। ସେହିପରି ପଶ୍ଚିମ ଓଡ଼ିଶାର ସବୁ ମନ୍ଦିରରେ ଦେବଦେବୀଙ୍କ ଦର୍ଶନ ପାଇଁ ପୂର୍ବାହ୍ଣରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଅପରାହ୍‌ଣରେ ବର୍ଷା ପାଇଁ ଭକ୍ତଙ୍କ ସଂଖ୍ୟା କମିଥିଲା। ଆଜି ନୂଆଁଖାଇ ପର୍ବ ଶେଷ ହୋଇଥିଲେ ବି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆହୁରି ଅନେକ ଦିନ ଚାଲିବ। ଭିନ୍ନ ଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ପର୍ଯ୍ୟାୟ କ୍ରମେ ଭିନ୍ନଭିନ୍ନ ଦିନରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର