ଯୁଦ୍ଧମୁକ୍ତ ବିଶ୍ବ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ

ଧନେଶ୍ବର ସାହୁ

ମାନବ ସଭ୍ୟତାର ବିଡ଼ମ୍ବନା ଯେ ଇତିହାସରେ ସର୍ବଦା ଯୁଦ୍ଧ ଓ ହିଂସାର ପରିବେଶ ରହିଆସିଛି। ରାଜତନ୍ତ୍ର ଏବଂ ସାମନ୍ତବାଦୀ ଯୁଗରେ ଶକ୍ତିଶାଳୀ ଶାସକମାନେ ନିଜର ରାଜ୍ୟ ବିସ୍ତାର ପାଇଁ ସର୍ବଦା ଯୁଦ୍ଧରେ ସମ୍ପୃକ୍ତ ହେଉଥିଲେ। ସଭ୍ୟତାର ଇତିହାସରେ ଏପରି କୌଣସି ଶତାବ୍ଦୀ ନାହିଁ ଯେଉଁ ଶତାବ୍ଦୀରେ କୌଣସି ଯୁଦ୍ଧର ପରିବେଶ ସୃଷ୍ଟି ହୋଇନାହିଁ। ବିଭିନ୍ନ ସଭ୍ୟତାରେ ରଚିତ ପୁରାଣ ମାନଙ୍କରୁ ମଧ୍ୟ ଭୟାନକ ଯୁଦ୍ଧର କାହାଣୀ ପଢ଼ିବାକୁ ମିଳିଥାଏ। ଭାରତବର୍ଷରେ ରଚିତ ଓ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିବା ଦୁଇଟି ମହାକାବ୍ୟ ହେଲା ରାମାୟଣ ଓ ମହାଭାରତ। ଏହି ଦୁଇଟି ମହାକାବ୍ୟରେ ଦୁଇଟି ଲୋମହର୍ଷଣକାରୀ ଯୁଦ୍ଧର କାହାଣୀ ପଢ଼ିବାକୁ ମିଳିଥାଏ। ସେହିପରି ପ୍ରାଚୀନ ଗ୍ରୀକ୍ ସଭ୍ୟତାର ମହାନ କବି ହୋମରଙ୍କର ମହାକାବ୍ୟ ହେଲା ‘ଇଲିୟାଡ’ ଓ ‘ଓଡେସି’। ଏହି ଦୁଇ ମହାକାବ୍ୟ ଖ୍ରୀ.ପୂ. ଦ୍ବାଦଶ ଶତାବ୍ଦୀର ଟ୍ରୋଜାନ ଯୁଦ୍ଧର ଘଟଣାକୁ ନେଇ ରଚିତ। ପ୍ରତ୍ୟେକ ମହାକାବ୍ୟରେ ବୀର ଓ ନାୟକମାନଙ୍କର ଶୌର୍ଯ୍ୟ ଓ ପରାକ୍ରମର କାହାଣୀ ଥିଲେ ମଧ୍ୟ ପୃଥିବୀର ମାଟି ରକ୍ତରଞ୍ଜିତ ହେବା ସହ ଅଗଣିତ ସୈନ୍ୟ ଏବଂ ଯୋଦ୍ଧାମାନଙ୍କର ସୁଖର ସଂସାର କିପରି ନାନା ଦୁଃଖ ଓ ଦୁର୍ଦ୍ଦଶାର ସାମ୍ନା କରିଥିବ ତାହା ସହଜରେ ଅନୁମେୟ। ଇତିହାସରେ ଘଟିଥିବା ବିଭିନ୍ନ ଯୁଦ୍ଧ ଭିତରେ କ୍ରୁସେଡ ବା ଧର୍ମଯୁଦ୍ଧ ବେଶ୍ ଲୋମହର୍ଷଣକାରୀ। ଇସଲାମ୍ ଧର୍ମର ପ୍ରସାରକୁ ପ୍ରତିହତ କରିବା ପାଇଁ ଓ ଯୀଶୁଖ୍ରୀଷ୍ଟଙ୍କର ଜନ୍ମପୀଠ ଜେରୁଜେଲମକୁ ମୁକ୍ତ କରିବା ପାଇଁ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ମଧ୍ୟରେ ଦୁଇ ଶତାବ୍ଦୀ ଧରି ଯୁଦ୍ଧର ପରିବେଶ ରହିବା ସଭ୍ୟତାର ଅନ୍ଧକାରର କାହାଣୀ। ଶିଳ୍ପ ବିପ୍ଳବ ପରେ ଶିଳ୍ପୋନ୍ନତ ଇଉରୋପୀୟ ଦେଶମାନେ ଏସିଆ, ଆଫ୍ରିକା ଓ ଆମେରିକାରେ ସାମ୍ରାଜ୍ୟବାଦ ପ୍ରତିଷ୍ଠା କରିବା ପାଇଁ ଅନେକ ଯୁଦ୍ଧରେ ବ୍ୟାପୃତ ହୋଇଛନ୍ତି ଓ ପରସ୍ପର ଭିତରେ ପ୍ରତିଯୋଗିତା ପାଇଁ ମଧ୍ୟ ଯୁଦ୍ଧ କରିଛନ୍ତି। ଆଜି ଆନ୍ତର୍ଜାତିକ ଶାନ୍ତି ଦିବସ ପରିପ୍ରେକ୍ଷୀରେ ଏ ନେଇ ଆଲୋଚନା କରିବା ପ୍ରାସଙ୍ଗିକ ମନେ ହୁଏ।
ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଦୁଇଟି ବିଶ୍ବଯୁଦ୍ଧ ଭୟଙ୍କର ସଂଘର୍ଷର ଚିତ୍ର ଦେଇଥାଏ। ଏହି ଦୁଇ ବିଶ୍ବଯୁଦ୍ଧ ନ’ବର୍ଷ ଧରି ହୋଇଥିଲା ଯେଉଁଥିରେ ପାଖାପାଖି ଦଶ କୋଟି ଲୋକ ମୃତ୍ୟୁବରଣ କରିଥିଲେ ଓ ତା’ର କେତେଗୁଣ ଲୋକ ଅକର୍ମଣ୍ୟ ହୋଇଥିଲେ। ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳଠୁ ବୈଜ୍ଞାନିକ ଜ୍ଞାନର ଅପପ୍ରୟୋଗ କରି କେତେକ ଦେଶ ଭୟଙ୍କର ମାରଣାସ୍ତ୍ର ନିର୍ମାଣ କରିବାର କୌଶଳ ହାସଲ କରିଥିଲେ। ବିଶେଷକରି ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ଭାଗରେ ଆମେରିକା ଯେଉଁ ଆଣବିକ ବୋମା ଜାପାନର ହିରୋସିମା ଓ ନାଗାସାକି ଉପରେ ନିକ୍ଷେପ କରିଥିଲା ତାହା ମୁହୂର୍ତ୍ତକ ମଧ୍ୟରେ ଦୁଇଟି ସହରକୁ ଧ୍ବଂସ ସ୍ତୂପରେ ପରିଣତ କରିବା ସହ ଲକ୍ଷାଧିକ ଲୋକଙ୍କୁ ମାରି ପାରିଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପରେ ଅର୍ଦ୍ଧଶତାବ୍ଦୀ ଧରି ପୃଥିବୀର ବିଭିନ୍ନ ଦେଶ ଆଣବିକ ଅସ୍ତ୍ର ନିର୍ମାଣ କରିବା ପାଇଁ ପରସ୍ପର ଭିତରେ ପ୍ରତିଯୋଗିତା ଆରମ୍ଭ କଲେ। ସମ୍ପ୍ରତି ପୃଥିବୀର ଅଧିକାଂଶ ରାଷ୍ଟ୍ର ଆଣବିକ ଅସ୍ତ୍ର ଓ ବହୁ ମାରାତ୍ମକ ଗଣବିଧ୍ବଂସୀ ମାରଣାସ୍ତ୍ରର ବୈଜ୍ଞାନିକ କୌଶଳ ହାସଲ କରିଛନ୍ତି। ଯଦି କୌଣସି କାରଣରୁ ପୃଥିବୀରେ ଆଣବିକ ଯୁଦ୍ଧର ସ୍ଥିତି ଆସେ କିମ୍ବା କୌଣସି ରାଷ୍ଟ୍ର ଏହାର ପ୍ରୟୋଗ କରେ ତେବେ ଏହି ସୁନ୍ଦର ପୃଥିବୀ ଏକ ଧ୍ବଂସ ସ୍ତୂପରେ ପରିଣତ ହେବ। ଏଠାରେ ଜୟ-ପରାଜୟର ପ୍ରଶ୍ନ ଉଠିବ ନାହିଁ, ଏହା ସମଗ୍ର ପୃଥିବୀକୁ ଧ୍ବଂସ ମୁଖକୁ ନେଇଯିବ। ଏହା ସତ୍ତ୍ବେ ପୃଥିବୀର ଅଧିକାଂଶ ରାଷ୍ଟ୍ର ସଭ୍ୟତା ଧ୍ବଂସକାରୀ ମାରଣାସ୍ତ୍ର ନିର୍ମାଣ କରିବାରେ ବ୍ୟାପୃତ ରହିବା ସଭ୍ୟତାର ବିଡ଼ମ୍ବନା ବୋଲି କହିବାକୁ ହେବ। ଆଣବିକ ଅସ୍ତ୍ର ନିର୍ମାଣ ପାଇଁ କେତେକ ଦୁର୍ଲଭ ପ୍ରାକୃତିକ ସମ୍ପଦକୁ ବିନିଯୋଗ କରାଯାଏ ଯାହା ଆମ ପରିବେଶ ପାଇଁ ମଧ୍ୟ ଅତ୍ୟନ୍ତ ଭୟାନକ। ଆଜିର ଦିନରେ ପୃଥିବୀର କେତେକ ଭୂଖଣ୍ଡରେ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧର ସ୍ଥିତି ରହିବା ଓ ଏହାକୁ ଅନ୍ୟାନ୍ୟ ରାଷ୍ଟ୍ର ପରୋକ୍ଷ ସହଯୋଗ ଦେବା ଅମାନବିକତାର ଚିତ୍ର ଦେଖାଇଥାଏ।
ଦ୍ବିତୀୟ ବିଶ୍ବଯୁଦ୍ଧର ଘଟଣାବଳୀ ପରେ ପୃଥିବୀରେ କେତେକ ଶାନ୍ତିକାମୀ ଦାର୍ଶନିକ, ବୈଜ୍ଞାନିକ, ମାନବବାଦୀ ଚିନ୍ତକ ଓ ରାଷ୍ଟ୍ରନୀତିଜ୍ଞ ଯୁଦ୍ଧ ରହିତ ଶାନ୍ତିପୂର୍ଣ୍ଣ ବିଶ୍ବ ପାଇଁ ଗମ୍ଭୀର ସମ୍ପୃକ୍ତି ଓ ଆନ୍ତରିକତା ପ୍ରକାଶ କରିଆସୁଛନ୍ତି। ଯୁଦ୍ଧ ଓ ବିଶେଷ କରି ଆଣବିକ ଯୁଦ୍ଧର ଆଶଙ୍କା ସମଗ୍ର ବିଶ୍ବ ପାଇଁ କିପରି ମାରାତ୍ମକ ଓ ମାନବ ସମୁଦାୟ ପ୍ରତି ମରଣାନ୍ତକ ତାହା ସମ୍ପର୍କରେ ପୃଥିବୀର ଶାନ୍ତିକାମୀ ବ୍ୟକ୍ତିମାନେ ଜନମାନସକୁ ସଚେତନ କରାଉଛନ୍ତି।
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ୧୯୪୫ରେ ଜାତିସଂଘ ପ୍ରତିଷ୍ଠା ହେଲା। ଜାତିସଂଘର ମୌଳିକ ଲକ୍ଷ୍ୟରେ କୁହାଯାଇଛି: ‘ଆମେ ଜାତିସଂଘରେ ସମ୍ପୃକ୍ତ ସମସ୍ତ ଦେଶର ଜନଗଣ ଆଗାମୀ ବଂଶଧର ମାନଙ୍କୁ ଯୁଦ୍ଧର ଯନ୍ତ୍ରଣାରୁ ସୁରକ୍ଷା ଦେବା ପାଇଁ ସଙ୍କଳ୍ପବଦ୍ଧ। ଆମ ଜୀବନକଳା ମଧ୍ୟରେ ଦୁଇଟି ଆଣବିକ ବିସ୍ଫୋରଣର ଭୟାବହତାକୁ ଆମେ ପ୍ରତ୍ୟକ୍ଷ କରିଛେ। ଏହା ମାନବ ସମାଜକୁ କିପରି ଅପରିସୀମ ଦୁଃଖ ଓ ଦୁର୍ଦ୍ଦଶା ଦେବ ତାହା ଆମେ ଅନୁଭବ କରୁଛେ। ଏହି ସ୍ଥିତି‌ରେ ଆମେ ପରସ୍ପର ସହ ଓ ଆମର ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଶାନ୍ତିପୂର୍ଣ୍ଣ ଅବସ୍ଥାନ ପାଇଁ ସଙ୍କଳ୍ପ କରୁଛେ। ଆନ୍ତର୍ଜାତିକ ସ୍ତରରେ ଆମେ ଶାନ୍ତିପୂର୍ଣ୍ଣ ଅବସ୍ଥାନ କରିବା ହିଁ ଜାତିସଂଘ ପ୍ରତିଷ୍ଠାର ଆଭିମୁଖ୍ୟ।’
ଜାତିସଂଘ ପ୍ରତିଷ୍ଠା ପରେ ବିଭିନ୍ନ ଦେଶ‌ର ଶାନ୍ତିକାମୀ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଆନ୍ତର୍ଜାତିକ ସ୍ତରରେ ଆଣବିକ ନିରସ୍ତ୍ରୀକରଣ ପାଇଁ କେତେକ ସ୍ବୟଂସେବୀ ସଂଗଠନ (ଏନଜିଓ) ସୃଷ୍ଟି ହୋଇଛି। ତା’ ପରଠାରୁ ସମଗ୍ର ବିଶ୍ବରେ ଯୁଦ୍ଧ ବିରୋଧୀ ଓ ଅଣୁଅସ୍ତ୍ର ବିରୋଧୀ ସଂଗଠନ ପୃଥିବୀରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ସାମାଜିକ ସଚେତନତା ସୃଷ୍ଟି କରୁଛନ୍ତି। ଜାତିସଂଘର ସାଧାରଣ ପରିଷଦ ୧୯୮୨ରେ ଏକ ସମ୍ମିଳନୀ କରି ନିରସ୍ତ୍ରୀକରଣ ପାଇଁ ପୃଥିବୀରେ ପ୍ରଚାର କରିବାକୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ କାର୍ଯ୍ୟ କରୁଥିବା ସଂଗଠନମାନଙ୍କୁ ସ୍ବୀକୃତି ଦେଇଛି। ୧୯୮୩ ଠାରୁ ‘ଡିସ୍‌ଆର୍ମମେଣ୍ଟ ନ୍ୟୁଜଲେଟର୍‌’ ମଧ୍ୟ ପ୍ରକ‌‌ାଶ ପାଉଛି। ସେହିପରି ଜାତିସଂଘ ସହ ସମ୍ପୃକ୍ତ ‘ୟୁନେସ୍କୋ’ ନିରସ୍ତ୍ରୀକରଣ ଉପରେ ଏକ ତଥ୍ୟପୂର୍ଣ୍ଣ ଦଲିଲ୍ ପ୍ରକାଶ କରିଛି। ଏହି ସ୍ଥିତିରେ ସାମ୍ପ୍ରତିକ ବିଶ୍ବରେ ଏକ ‘ଯୁଦ୍ଧମୁକ୍ତ ବିଶ୍ବ’ର ପରିକଳ୍ପନା ପ୍ରକାଶ ପାଇଛି।
ଯେଉଁ ରାଷ୍ଟ୍ରମାନଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ରହିଛି ତାହାର ଶାନ୍ତିପୂର୍ଣ୍ଣ ସମାଧାନ ଆନ୍ତର୍ଜାତିକ ସ୍ତରରେ କରାଯାଇ ପାରିବ। କୌଣସି ଦେଶର ସାଧାରଣ ନାଗରିକମାନେ କେବେ ଯୁଦ୍ଧ ବା ଅନ୍ୟର ଧ୍ବଂସ ଚାହାଁନ୍ତି ନାହିଁ। ପରିତାପର ବିଷୟ ଯେ ରାଜନୈତିକ ନେତୃବୃନ୍ଦ ନିଜର ସ୍ବାର୍ଥ ପାଇଁ ଜନମାନସରେ ଅନ୍ୟ ଦେଶ ପ୍ରତି ବିଦ୍ବେଷ ସୃଷ୍ଟି କରିଥାନ୍ତି। ପ୍ରତିରକ୍ଷା ବାବଦରେ ପ୍ରତ୍ୟେକ ଦେଶ ତା’ର ରାଷ୍ଟ୍ରୀୟ ଆୟର ଏକ ବଡ଼ ଅଂଶ ବ୍ୟୟ କରିଥାଏ। ସେମାନଙ୍କ କ୍ଷମତା ପାଇଁ ଜନମାନସକୁ ବିଭ୍ରାନ୍ତ କରିବା ଓ ସାଧାରଣ ଜନତାଙ୍କ ମନରେ ଅନ୍ୟ ପ୍ରତି ଘୃଣା ସୃଷ୍ଟି କରିବା ଦେଖାଯାଏ। ଜଣେ ଜଣେ କ୍ଷମତାଲୋଭୀ ଶାସକ ମାନବ ଜାତି ଉପରେ କିପରି ଯୁଦ୍ଧର ବୋଝ ଲଦିଛନ୍ତି ତାହାର ବହୁ ଉଦାହରଣ ଇତିହାସରେ ରହିଛି। କିନ୍ତୁ ଅତୀତରେ ଏହା ଏକ କ୍ଷୁଦ୍ର ପରିବେଶରେ ସୀମିତ ରହୁଥିଲା। ସମ୍ପ୍ରତି ଏହା ସମଗ୍ର ବିଶ୍ବ ପାଇଁ ମୃତ୍ୟୁ ଘଣ୍ଟି ବଜାଇବାର ସାମର୍ଥ୍ୟ ରଖେ।
ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ପୃଥିବୀର ବହୁ ଲେଖକ, ଦାର୍ଶନିକ ଓ ମାନବବାଦୀ ଚିନ୍ତକ ଗମ୍ଭୀର ମତ ବ୍ୟକ୍ତ କରିଆସୁଛନ୍ତି। ଶାନ୍ତିପୂର୍ଣ୍ଣ ବିଶ୍ବ ପାଇଁ ଥିଓ ଲେଞ୍ଜ ‘ଟୁଵାର୍ଡସ୍‌ ଏ ସାଇନ୍‌ସ ଅଫ୍ ପିସ୍’ ପୁସ୍ତକରେ ଶାନ୍ତି ପ୍ରତିଷ୍ଠା ପାଇଁ ବୈଜ୍ଞାନିକମାନଙ୍କର ଭୂମିକାକୁ ପ୍ରା‌ଧାନ୍ୟ ଦେଇଛନ୍ତି। ବିଜ୍ଞାନର ଅପପ୍ରୟୋଗ କିପରି କରାନଯିବ ସେ ପାଇଁ ସେ ଭାବଗର୍ଭକ ନିବେଦନ ରଖିଛନ୍ତି। ସେହିପରି ଦେବୀ ପ୍ରସାଦ ‘ପିସ୍‌ ଏଜୁକେସନ୍‌ ଅର୍ ଏଜୁକେସନ୍‌ ଫର୍‌ ପିସ୍‌’ ପୁସ୍ତକରେ ସମଗ୍ର ପୃଥିବୀରେ ଜନଗଣଙ୍କ ଶାନ୍ତିପୂର୍ଣ୍ଣ ଅବସ୍ଥାନ ପାଇଁ ଶାନ୍ତି, ମୈତ୍ରୀ ଓ ଅହିଂସା ସମ୍ବନ୍ଧରେ ବିଦ୍ୟାଳୟ ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ଦେବାକୁ ପ୍ରସ୍ତାବ ରଖିଛନ୍ତି। ଶାନ୍ତିପୂର୍ଣ୍ଣ ସହାବସ୍ଥାନ କିପରି ବାସ୍ତବ ରୂପ ନେବ ଏଥିପାଇଁ ବିଶ୍ବ ସ୍ତରରେ ଅନେକ ପୁସ୍ତକ ଓ ମାନୁଆଲ୍ ଉପଲବ୍ଧ ହେଉଛି। ବର୍ଟ୍ରାଣ୍ଡ ରସେଲଙ୍କ ପରି ଦାର୍ଶନିକ ଓ କେତେକ ରାଷ୍ଟ୍ରନୀତିଜ୍ଞ ବିଶ୍ବ ସରକାର ଗଠନ ପାଇଁ ପ୍ରସ୍ତାବ ରଖିଛନ୍ତି। ଧର୍ମ, ଜାତୀୟତା, ଦେଶାତ୍ମବୋଧ ସଭ୍ୟତାର ଇତିହାସରେ କିପରି ବିଦ୍ବେଷ, ଘୃଣା‌ ଓ ଅସହିଷ୍ଣୁତା ସୃଷ୍ଟି କରି ଆସିଛି ତାହାର ଅସଂଖ୍ୟ ଦୃଷ୍ଟାନ୍ତ ଇତିହାସରେ ରହିଛି। ତେବେ‌ ହିଂସା ଓ ଅସହିଷ୍ଣୁତାର ପୃଥିବୀ ହେଉଛି ଏକ ଦୁଃଖଭରା ପୃଥିବୀ। ଏହା ସତ୍ୟ ଯେ ଆମ ସଂସାରରେ ଯୁଗଯୁଗ ଧରି ନାନା ବର୍ବରତା, ହିଂସା ଓ ସାମ୍ପ୍ରଦାୟିକତା ରହିଆସିଛି। ବିଭିନ୍ନ ସଭ୍ୟତାରେ ଶାସକ-ଶ୍ରେଣୀ ନିଜର ସ୍ବାର୍ଥ ପାଇଁ ମାନବିକତା ପରିପନ୍ଥୀ ଆବେଗ ସୃଷ୍ଟି କରିଛନ୍ତି। ଦେଶପ୍ରେମ, ଜାତୀୟତା, ଧର୍ମ, ଆଞ୍ଚଳିକତା, ସାଂସ୍କୃତିକ ମହାନତା ଇତ୍ୟାଦିର ଭାବନାକୁ ପ୍ରସାର କରି ଜନମାନସରେ ଘୃଣା ଓ ଅସହିଷ୍ଣୁତା ସୃଷ୍ଟି କରିଆସିଛନ୍ତି। ଏସବୁ ମଧ୍ୟରେ ବି ଦୁନିଆରେ ଅହିଂସା, ମାନବିକତା ଓ ସମ୍ବେଦନଶୀଳତାର ପ୍ରସାର ହୋଇଆସିଛି। ସମଗ୍ର ବିଶ୍ବରେ ଶାନ୍ତି ଓ ଅହିଂସାର ଆଦର୍ଶ କିପରି ସବୁ ସ୍ତରରେ ପରିବ୍ୟାପ୍ତ ହୋଇପାରିବ ସେ ପାଇଁ ‌ଅନେକ ପ୍ରେରଣାଦାୟୀ ସାହିତ୍ୟ ମଧ୍ୟ ରହିଛି।
ଜୀବନ ବଞ୍ଚିବାର ପ୍ରକୃତ ସାର୍ଥକତା କେଉଁଥିରେ ନିହିତ- ଦାର୍ଶନିକମାନେ ଏପରି ଏକ ପ୍ରଶ୍ନର ଅବତାରଣା କରିଥାନ୍ତି। ସକଳ ସଂକୀର୍ଣ୍ଣତାର ଊର୍ଦ୍ଧ୍ବକୁ ଯାଇ ଉଦାରତା, ଆନ୍ତର୍ଜାତିକତା ଓ ସମ୍ବେଦନଶୀଳତାକୁ ଜୀବନର ଧ୍ୟେୟ ଭାବେ ଗ୍ରହଣ କଲେ ଆମ ଦୁନିଆରୁ ଅନେକ ଅନ୍ଧକାର ଯେ ଦୂର ହୋଇପାରିବ ଏହିପରି ଏକ ଆଶା ସବୁ ସଂସ୍କୃତିର ମାନବହିତୈଷୀମାନେ ପ୍ରକାଶ କରିଥାନ୍ତି। ଶାନ୍ତିପୂର୍ଣ୍ଣ ବିଶ୍ବ ପାଇଁ ଶାନ୍ତିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ସାର୍ବଜନୀନ ଭାବେ ପ୍ରସାର କରିବାକୁ କେତେ ମନୀଷୀ ପ୍ରସ୍ତାବ ଦେଇଆସିଛନ୍ତି। ଦୁନିଆରୁ ଉଗ୍ରବାଦ ଦୂର କରିବାକୁ ହେଲେ ମାନବବାଦୀ ଆଦର୍ଶକୁ ସାର୍ବଜନୀନ କରିବା ବିଶ୍ବ ପାଇଁ ବଡ଼ ଆହ୍ବାନ। ସକଳ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ମଧ୍ୟ ଏ ଯୁଗର ବଡ଼ ଆବଶ୍ୟକତା। ହିଂସା, ଯୁଦ୍ଧ, ପ୍ରତିଶୋଧ ଯେ ମାନବୀୟ ସମସ୍ୟାର ସମାଧାନର ସୂତ୍ର ନୁହେଁ ଏହି ବିଚାର ଆଜିର ଯୁଗରେ ଅବଶ୍ୟମ୍ଭାବୀ ମନେ ହୁଏ। ବସ୍ତୁତଃ ଯେ ପର୍ଯ୍ୟନ୍ତ ରାଷ୍ଟ୍ରୀୟତା‌ର ଭାବନା ରହିଛି ଆମକୁ ନିରସ୍ତ୍ରୀକରଣ, ଅହିଂସା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ସମଗ୍ର ବିଶ୍ବରେ ପ୍ରତିଷ୍ଠା କରିବାକୁ ହେବ। ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଶାନ୍ତିକାମୀ ସଂଗଠନ, ଜାତିସଂଘ ଓ ମାନବବାଦୀ ସ୍ବୟଂସେବୀ ଅନୁଷ୍ଠାନମାନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରିବେ। ଏହି ଆଦର୍ଶ ପ୍ରତି ସମର୍ପିତ ‌ସଚେତନ ବ୍ୟକ୍ତିମାନେ ଏ କ୍ଷେତ୍ରରେ ନିଜର ପରିସର ଭିତରେ ଏକ ନିଉକ୍ଲିଅସ୍ ଭାବେ କାର୍ଯ୍ୟ କରିପାରିବେ। ପୃଥିବୀରେ ଶାନ୍ତିର ବାତାବରଣ ନ ରହି ଯୁଦ୍ଧର ମାନସିକତା ରହିଲେ ମନୁଷ୍ୟ ଜାତିକୁ ଯେ ନିଜର ଶୋକ ଗୀତ ଗାଇବାକୁ ହେବା ଏହା ନିଃସନ୍ଦେହ ମନେ ହୁଏ।
[email protected]

ସମ୍ବନ୍ଧିତ ଖବର