ଓଡ଼ିଶାରେ ରାମାୟଣ ପରମ୍ପରା ଓ ସିଦ୍ଧେଶ୍ବର ଦାସଙ୍କ ବିଚିତ୍ର ରାମାୟଣ ଶୀର୍ଷକ ଜାତୀୟ ସେମିନାର

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଅକାଦେମି ଓ ‌ଆଦିକବି ଶାରଳା ଦାସ ଚେୟାର ଅଫ୍ ଓଡ଼ିଆ ଷ୍ଟଡିଜ୍(ଜେଏନ୍‌ୟୁ)ର ମିଳିତ ସହଯୋଗରେ ସ୍ଥାନୀୟ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟସ୍ଥିତ ସ୍କୁଲ୍ ଅଫ୍ ଲାଙ୍ଗୁଏଜରେ ‘ଓଡ଼ିଶାରେ ରାମାୟଣ ପରମ୍ପରା ଓ ସିଦ୍ଧେଶ୍ବର ଦାସଙ୍କ ବିଚିତ୍ର ରାମାୟଣ’ ଶୀର୍ଷକ ଦିନିକିଆ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି।

ଅକାଦେମିର ଓଡ଼ିଆ ଉପଦେଷ୍ଟା ବୋର୍ଡର ଆବାହକ ଗୌରହରି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଜେଏନ୍‌ୟୁର ଆଦିକବି ସାରଳା ଦାସ ଚେୟାର ଅଫ୍ ଓଡ଼ିଆ ଷ୍ଟଡିଜ୍‌ର ପ୍ରଫେସର ଉଦୟନାଥ ସାହୁ, ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ବକ୍ତବ୍ୟ ରଖିଥିଲେ। ପ୍ରଫେସର ଉଦୟନାଥ ସାହୁ ଓଡ଼ିଶାରେ ରାମାୟଣ ପରମ୍ପରାର ଇତିହାସ ଓ ସିଦ୍ଧେଶ୍ବର ଦାସଙ୍କ ବିଚିତ୍ର ରାମାୟଣ ସଂପର୍କରେ ଆଲୋକପାତ କରିଥିଲେ। ସାରଳା ଦାସ ଏବଂ ସିଦ୍ଧେଶ୍ବର ଦାସ ଜଣେ ବ୍ୟକ୍ତି ଏବଂ ବିଚିତ୍ର ରାମାୟଣ ଓଡ଼ିଆ ଭାଷାର ପ୍ରଥମ ରାମାୟଣ ବୋଲି ସେ କହିଥିଲେ। ସମ୍ବୋଧନରେ ଗୌରହରି ଦାସ କହିଥିଲେ, ଶାରଳା ଦାସ ଓ ସିଦ୍ଧେଶ୍ବର ଦାସ ଜଣେ କିମ୍ବା ଦୁଇଜଣ ବ୍ୟକ୍ତି ଏ ନେଇ କିଛି ଭିନ୍ନ ମତ ଆସେ। ତେବେ ବିଚିତ୍ର ରାମାୟଣ ନାମରେ ରାମାୟଣ ଲେଖିଥିବା ଦୁଇ ଜଣ କବି ଆମ ଓଡ଼ିଆ ସାହିତ୍ୟରେ ଦେଖିବାକୁ ମିଳନ୍ତି- ଜଣେ ହେଉଛନ୍ତି ସିଦ୍ଧେଶ୍ବର ଦାସ ଓ ଅନ୍ୟ ଜଣେ ବିଶ୍ବନାଥ ଖୁଣ୍ଟିଆ।

ବିଶ୍ବନାଥ ଖୁଣ୍ଟିଆ ହେଉଛନ୍ତି ଅଷ୍ଟମ ଶତାବ୍ଦୀର। ତେବେ ବିଚିତ୍ର ରାମାୟଣ ୧୯୮୦ ମସିହାରେ ପ୍ରଫେସର ସଚ୍ଚିଦାନନ୍ଦ ମିଶ୍ରଙ୍କ ଦ୍ବାରା ଆବିଷ୍କୃତ ହୋଇ ସଂପାଦିତ ହୋଇଥିଲା ବୋଲି ଶ୍ରୀ ଦାସ କହିଥିଲେ। କେନ୍ଦ୍ର ସାହିତ୍ୟ ଅକାଦେମିର ସଚିବ ଶ୍ରୀ ରାଓ ତାଙ୍କ ସମ୍ବୋଧନରେ ଭାରତରେ ରାମାୟଣର ପରମ୍ପରା ବିଷୟରେ ଉଲ୍ଲେଖ ପୂର୍ବକ ଓଡ଼ିଶାରେ ରାମାୟଣ ପରମ୍ପରା କିପରି ଉଜ୍ଜୀବିତ ହୋଇଛି ସେ ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ଜେଏନ୍‌ୟୁ ସ୍କୁଲ୍ ଅଫ ଲାଙ୍ଗୁଏଜର ଆସିଷ୍ଟାଣ୍ଟ ପ୍ରଫେସର ମଲଖାନ ସିଂହ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଦିକବି ଶାରଳା ଦାସ ଚେୟାର ଅଫ୍ ଓଡ଼ିଆ ଷ୍ଟଡିଜ୍ ଦ୍ବାରା ଶତାବ୍ଦୀର ସାରଳା ସମୀକ୍ଷା ସଂପାଦିତ ପୁସ୍ତକର ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧିତ ଖବର