‘ଗଣମାଧ୍ୟମର କଣ୍ଠରୋଧ ବନ୍ଦ କର’

ଭୁବନେଶ୍ବର: ଓଡ଼ିଶାର ସର୍ବାଧିକ ପାଠକୀୟ ଖବରକାଗଜ ‘ସମ୍ବାଦ’ ଉପରେ କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ଚଢ଼ାଉକୁ ନିନ୍ଦନୀୟ କହିବା ସହ ଗଣ ସଂଗଠନ ଓ ଗଣ ଆନ୍ଦୋଳନ ସମୂହ ଆଜି ମାଷ୍ଟରକ୍ୟାଣ୍ଟିନ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସମ୍ଭାବନାର ସମ୍ପାଦକ ଦେବପ୍ରସାଦ ପରିଜା କହିଛନ୍ତି, ସମ୍ବାଦ ସମ୍ପାଦକଙ୍କ ସମ୍ପାଦକୀୟ ଲେଖା ପ୍ରକାଶ ପାଇବା ପରେ ନବୀନ ସରକାର ସାଧାରଣ ଜନତାଙ୍କ ସ୍ବର ପ୍ରତି ଭୟଭୀତ ହୋଇ ପଡ଼ିଛନ୍ତି। ସତକଥା ପଦାକୁ ଆସିଯିବା ପରେ ଭିତରେ ଭିତରେ ଭୟ ଘାରିଛି। ଏଣୁ ସମ୍ବାଦର କଣ୍ଠରୋଧ କରିବା ପାଇଁ ଇଓଡବ୍ଲୁକୁ ହାତବାରିସି କରିଛନ୍ତି। ଏଭଳି ଆକ୍ରମଣ କରି ସମ୍ବାଦ ଜରିଆରେ ସାଧାରଣ ଜନତାଙ୍କ ସ୍ବରକୁ ଚାପି ଦେବାକୁ ଉଦ୍ୟମ କରିଛନ୍ତି। ମୋଦି ସରକାର ଯେଭଳି ସିବିଆଇ ଓ ଇଡିକୁ ନିଜ ସ୍ବାର୍ଥ ହାସଲ କରିବାକୁ ନିୟୋଜିତ କରୁଛନ୍ତି ଠିକ୍‌ ସେହିଭଳି ରାଜ୍ୟ ସରକାର ଇଓଡବ୍ଲୁକୁ ଅପବ୍ୟବହାର କରିଛନ୍ତି। ଏଭଳି ଢଙ୍ଗରେ ଗଣମାଧ୍ୟମର କଣ୍ଠରୋଧକୁ ଆମେ ବିରୋଧ କରୁଛୁ।

ଜମାକାରୀ ମିଳିତ ମଞ୍ଚ ସାଧାରଣ ସମ୍ପାଦକ ମଧୁସୁଦନ ବିଶ୍ୱାଳ କହିଛନ୍ତି, ଲୋକଙ୍କୁ ଆଉ ଅବୁଝା ନାହିଁ, କେଉଁଥିପାଇଁ ସରକାର ଏଭଳି ପ୍ରତିହିଂସା ପରାୟଣ ହୋଇପଡ଼ିଛନ୍ତି। ଯେବେଯେବେ ସରକାରଙ୍କ କଳା କାର୍‌ନାମା ନେଇ କେହି ସ୍ବର ଉଠାଇଛି ତା ଉପରେ ସରକାରୀ କଳର ଚାପ ପଡ଼ିଛି। ଆଜି ସମ୍ବାଦ ସେହି ସରକାରୀ ଚାପର ଶିକାର ହୋଇଛି। ସରକାର କଳ, ବଳ, କୌଶଳ ଲଗାଇ ସମ୍ବାଦର ସ୍ବର ଦବାଇ ଦେବାକୁ ଯତ୍‌ପରନାସ୍ତି ଉଦ୍ୟମ କରିଛନ୍ତି। ଏହି ପ୍ରକାର ଉଦ୍ୟମକୁ ଆମେ ବିରୋଧ କରୁଛୁ। ସମ୍ବାଦ ଉଠାଇଥିବା ପ୍ରସଙ୍ଗ ଏବେ ସାଧାରଣ ଲୋକଙ୍କ ପ୍ରସଙ୍ଗ ହୋଇ ସାରିଛି। ସରକାର ତାଙ୍କ ଉଦ୍ୟମରେ ସଫଳ ହେବେ ନାହିଁ। ସରକାର ତୁରନ୍ତ ଗଣମାଧ୍ୟମ କଣ୍ଠରୋଧ ବନ୍ଦ କରନ୍ତୁ।

ଅଖିଳ ଭାରତ ଛାତ୍ର ସଂଗଠନ(ଏଆଇଏସ୍‌ଏଫ୍‌) ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା କହିଛନ୍ତି, ସମ୍ବାଦ ଗ୍ରୁପ୍‌ ଉପରେ ଆକ୍ରୋଶମୂଳକ ଇଓଡବ୍ଲୁ ଚଢ଼ଉ ନିନ୍ଦନୀୟ। ଯେବେ ଯେବେ ଯିଏ ସରକାରଙ୍କ ମୁଖା ଖୋଲିଛି ସେବେ ସେବେ ସିଏ ସରକାରଙ୍କର ଏଭଳି ଆକ୍ରୋଶର ଶିକାର ହୋଇଛି। ରାଜ୍ୟରେ ଶହ ଶହ ପ୍ରସଙ୍ଗ ରହିଛି ଯେଉଁଠି ଲକ୍ଷଲକ୍ଷ ଲୋକଙ୍କର ସ୍ବାର୍ଥ ରହିଛି। ହେଲେ ସରକାର ଜନସ୍ବାର୍ଥକୁ ଜଳାଞ୍ଜଳି ଦେଇ ‘ସମ୍ବାଦ’ ପଛରେ ପଡ଼ିଛନ୍ତି। ଇଓଡବ୍ଲୁ ପାଖରେ ଶହ ଶହ ଅସମାହିତ ମାମଲା ପଡ଼ି ରହିଛି। ହେଲେ ‘ସମ୍ବାଦ’ ବିରୋଧରେ ଏଭଳି ତତ୍ପରତା ଏହା ପଛରେ ଥିବା ସରକାରୀ ଇଙ୍ଗିତକୁ ପ୍ରମାଣିତ କରୁଛି। ସରକାର ଯେ ଜନସ୍ବାର୍ଥ ବିରୋଧୀ ତାହା ସମସ୍ତେ ଜାଣୁଥିଲେ, ହେଲେ ସମ୍ବାଦ ଉପରେ ଇଓଡବ୍ଲୁ ଚଢ଼ଉ କରି ତାହା ସରକାର ପ୍ରମାଣିତ କରିଦେଲେ।
ଓଡ଼ିଶା ନିଶାମୁକ୍ତି ଆନ୍ଦୋଳନ ନେତ୍ରୀ ଅପର୍ଣ୍ଣା ନାୟକ, ଜମାକାରୀ ମିଳିତ ମଞ୍ଚ ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ଏଆଇଏସ୍‌ଏଫ୍‌ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମରେଶ ପରିଡ଼ା, ବିକ୍ରମ କେଶରୀ ମହାନ୍ତି, ସୁଚିସ୍ମିତା ଜେନା ପ୍ରମୁଖ ‘ସମ୍ବାଦ’ ଉପରେ ଇଓଡବ୍ଲୁ ଚଢ଼ଉର ନିନ୍ଦା କରିବା ସହ ନବୀନ ସରକାରରେ ଚାଲିଥିବା ଖଣି ଚୋରି ଓ ବିଭିନ୍ନ ଯୋଜନାରେ ହେଉଥିବା କୋଟି କୋଟି ଟଙ୍କାର ହରିଲୁଟ୍‌ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର