ବାଟ ହୁଡୁଛି ସରକାରୀ ଯୋଜନା: ୬୦ ହଜାର ମତଦାତାଙ୍କ ଦୁଃଖ ଶୁଣିବ କିଏ?

ସରକାରଙ୍କୁ ଚିଠି ଲେଖି ପ୍ରଶାସନ ଚୁପ

ରାଉରକେଲା: ବର୍ଷ ବର୍ଷ ଧରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି ସହର ଉପକଣ୍ଠ ଅଞ୍ଚଳବାସୀ। ଲୋକସଭା ଓ ବିଧାନସଭା ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି। ମାତ୍ର ପଞ୍ଚାୟତ ବା ମହାନଗର ନିଗମ ନିର୍ବାଚନରେ ଏମାନଙ୍କୁ ଭୋଟର ଭାବେ ଗଣା ଯାଉନାହିଁ। କାରଣ ଆଜି ପର୍ଯ୍ୟନ୍ତ ପଞ୍ଚାୟତ କିମ୍ବା ମହାନଗର ନିଗମରେ ସାମିଲ କରାଯାଉ ନାହିଁ। କଂଗ୍ରେସ, ବିଜେପିଠୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ପଞ୍ଚାୟତ କିମ୍ବା ମହାନଗର ନିଗମରେ ସାମଲ କରିବାକୁ ଲଢ଼େଇ ଜାରି ରଖିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ହମିରପୁରରେ ପ୍ରାୟ ୧୬ ହଜାର, ବନ୍ଧମୁଣ୍ଡାର ତିଲକାନଗର, ଉତ୍ତମ ବସ୍ତିରେ ୮ ହଜାର, ସେକ୍ଟର-୧୩ ଲୁଆକେରା, ସେକ୍ଟର-୧୬ରେ ହମିରପୁର ସମେତ ଟାଙ୍ଗରପାଲି, ଝାରମୁଣ୍ଡା, ରେଙ୍ଗାଡ଼ି, ଲୋକୋବରକାନୀ ଆଦି ଅଞ୍ଚଳରେ ପାଖାପାଖି ୩୬ ହଜାର ଲୋକ ବସବାସ କରୁଛନ୍ତି।

ନିକଟରେ ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ବରେ ପ୍ରାୟ ହଜାରୁ ଅଧିକ ଲୋକ ଆର୍‌ଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଥିଲେ। ମହାନଗର ନିଗମରେ ସାମିଲ କରିବାକୁ ଦୃଢ଼ ଦାବି କରିଥିଲେ। ପ୍ରତିବର୍ଷ ନିର୍ବାଚନରେ ରାଜନୈତିକ ଦଳର ନେତାମାନଙ୍କ ସୁଅ ଛୁଟେ। ନେତାମାନେ ପ୍ରତିଶ୍ରୁତି ଦେଇ ପରେ ପାସୋରି ଯାଆନ୍ତି। କେବଳ ଏତିକି ନୁହେଁ ମହାନଗର ଓ ପଞ୍ଚାୟତରୁ ବଞ୍ଚିତ ଅଞ୍ଚଳବାସୀ ନିର୍ବାଚନରେ ଭୋଟ ବର୍ଜନ ଧମକ ମଧ୍ୟ ଦେଇଛନ୍ତି। ପ୍ରଶାସନିକ ଅଧିକାରୀ ଏସବୁ ଅଞ୍ଚଳବାସୀଙ୍କୁ ନେତାଙ୍କ ପରି ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି। ଫଳରେ ପ୍ରାୟ ୬୨ ବର୍ଷ ଧରି ଏସବୁ ଅଞ୍ଚଳବାସୀଙ୍କ ଦୁଃଖ ଶୁଣିବାକୁ ଯେମିତି କାହାରି ପାଖରେ ସମୟ ନାହିଁ। ଅବଶ୍ୟ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଏମାନଙ୍କ ଦୁଃଖ ଶୁଣିଥିଲେ। ସେ ଅଞ୍ଚଳକୁ ଆଖପାଖରେ ଥିବା ପଞ୍ଚାୟତଗୁଡ଼ିକରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗକୁ ଚିଠି ଲେଖିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ନିକଟରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ବିଧାନସଭାରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ଠାରୁ ଏ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ।

ରାଉରକେଲା ତହସିଲ ଅଧୀନସ୍ଥ ଲୁଆକେରା, ତୁମକେଲା, ହମିରପୁର, ଟାଙ୍ଗରପାଲି, ଝାରମୁଣ୍ଡା, ରେଙ୍ଗାଡ଼ି, ଲୋକବରପାନୀ ଆଦି ଅଞ୍ଚଳ କୌଣସି ପଞ୍ଚାୟତ କିମ୍ବା ଆର୍‌ଏମ୍‌ସି ଅଧୀନରେ ନ ଆସିବା ପ୍ରସଙ୍ଗରେ ସରକାର ଅବଗତ ଅଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଏହି ଗ୍ରାମଗୁଡ଼ିକ କେ‌ବେ ସୁଦ୍ଧା ପଞ୍ଚାୟତରେ ସାମିଲ କରାଯିବ ବୋଲି ଜାଣିବାକୁ ଚାହିଁଥିଲେ। ଉତ୍ତରରେ ପଞ୍ଚାୟତରାଜ ମନ୍ତ୍ରୀ ବିଧାନସଭାରେ ଯେଉଁ ଉତ୍ତର ରଖିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ, ଲୁଆକେରା, ତୁମେକଲା, ହମିରପୁର, ଟାଙ୍ଗରପାଲି, ଝାରମୁଣ୍ଡା, ରେଙ୍ଗାଡି, ଲୋକବରକାନୀ ଆଦି ଗାଁ ପଞ୍ଚାୟତ କିମ୍ବା ମ୍ୟୁନିସିପାଲିଟି କାହା ଅଧୀନରେ ନ ଆସିବା କଥା ସରକାରଙ୍କ ଦୃଷ୍ଟିକୁ ଆସିନାହିଁ। ଜିଲ୍ଲାପାଳଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇ ପଞ୍ଚାୟତରେ ସାମିଲ କରାଯିବା ସମ୍ବନ୍ଧରେ ବିଚାର କରାଯିବ ବୋଲି କହିଥିଲେ। ସେମିତି ୫ ବର୍ଷ ତଳେ, ଅର୍ଥାତ୍‌ ୨୦୧୮ ଅକ୍ଟୋବର ୬ (ଚିଠି ନଂ ୧୭୯୫) ରେ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର ମୀନା ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ଏ ପ୍ରସଙ୍ଗରେ ଲେଖିଥିବା ଚିଠି କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଛି। ଏସବୁ ରାଜସ୍ବ ଗ୍ରାମ ହୋଇଥିଲେ ହେଁ ପଞ୍ଚାୟତ କିମ୍ବା ଆର୍‌ଏମ୍‌ସି ଅଧୀନରେ ନଥିବାରୁ ମୌଳିକ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ ପାଲଟିଛି।

ସମ୍ବନ୍ଧିତ ଖବର