ବସରେ ଭୟାବହ ଅଗ୍ନିକାଣ୍ଡ: ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରିବାକୁ ଯାଇ ନିଜ ଜୀବନକୁ ବଳିଦେଲେ ମହିଳା

ମାର୍ଶାଘାଇ/ ବାଲେଶ୍ବର: ପଶ୍ଚିମବଙ୍ଗର କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିବା ବେଳେ ବସରେ ଅଗ୍ନିକାଣ୍ଡରେ ଜଳିଯାଇଥିବା ମହିଳାଙ୍କ ସଂପର୍କରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ମୃତ ମହିଳା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳି ପଞ୍ଚାୟତ ନୋଳିଆ ଗାଁର ବୋଲି ସୂଚନା ମିଳିଛି। ତାଙ୍କ ନାମ ପୁଷ୍ପାଞ୍ଜଳି ଦାସ ବୋଲି ଜଣାଯାଇଛି। ପୁଷ୍ପାଞ୍ଜଳିଙ୍କ ସ୍ବାମୀ ରାଜେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ, ସେ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି(୩୪), ପୁଅ(୭) ଓ ଝିଅ(୧୧) ବସରେ ନିଜ ଗାଁକୁ ଆସୁଥିଲେ। ରାତିରେ ବସରେ ନିଆଁଲାଗିଥିବା ଜାଣି ପ୍ରଥମେ ସ୍ତ୍ରୀ ପୁଷ୍ପାଞ୍ଜଳି ତାଙ୍କୁ ବାହାରକୁ ଚାଲିଯିବା ଲାଗି କହିଥିଲେ। ଏହାପରେ ସେ ଝିଅକୁ ଧରି ବସ୍ ବାହାରକୁ ଚାଲିଆସିଥିଲେ। ଏହାପରେ ନିଜର ପୁଅକୁ ସେ ଝରକା ବାଟେ ଦେଇଥିଲେ। ତାପରେ ବୃଦ୍ଧ ଦମ୍ପତି ଯାତ୍ରୀଙ୍କୁ ପୁଷ୍ପାଞ୍ଜଳି ବସ୍ ବାହାରକୁ ଆଣିବା ଲାଗି ପ୍ରଚେଷ୍ଟା ଚଳାଇଥିଲେ। ହେଲେ ସେତେବେଳକୁ ତାଙ୍କ ଶରୀରରେ ନିଆଁଲାଗିଯାଇଥିଲା। ଅନ୍ୟକୁ ଉଦ୍ଧାର କରିବାକୁ ଯାଇ ନିଜ ଜୀବନ ବଳିଦେଇଥିଲେ ପୁଷ୍ପାଞ୍ଜଳି। ରାଜେନ୍ଦ୍ର ଦାସ କୋଲକାତାରେ ଏକ ସପିଂ ମଲରେ କାମ କରନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ କୋଲକାତାଠାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’ ନାମକ ଏକ ଏସି ସ୍ଲିପର୍ ବସ୍ ଜଳିଯାଇଥିଲା। ବସ୍ଟି ପଶ୍ଚିମବଙ୍ଗର କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ସାମ୍ନାକୁ ଆସି ନଥିଲେ ବି ବସ୍ରେ ବିସ୍ଫୋରକ ସାମଗ୍ରୀ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ନିଆଁ ଲାଗିବା ପରେ କିଛି ଯାତ୍ରୀ ବସ୍ର ଝରକା କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ। ୩୬ରୁ ଅଧିକ ଯାତ୍ରୀ ବସ୍ ଭିତରୁ ବାହାରି ପାରି ନଥିଲେ। କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଦିନୀପୁର ମେଡିକାଲ୍ କଲେଜ ହସ୍ପିଟାଲ୍ ଏବଂ ଗ୍ରାମୀଣ ଡାକ୍ତରଖାନାକୁ ନେଇଥିଲେ। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ବେଳେ ୧ ଘଣ୍ଟା ଯାଏ କର୍ମଚାରୀମାନେ ଆସି ନଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଏହି ଅଘଟଣରେ କାହାର ମୃତ୍ୟୁ ହୋଇଛି କି ନାହିଁ ଏବଂ ବସ୍ରେ କେତେଜଣ ଯାତ୍ରା କରୁଥିଲେ, ସେନେଇ ସୂଚନା ମିଳିନି। ଅନ୍ୟପଟେ ଦୁର୍ଘଟଣା ପରଠାରୁ ବସ୍ର ଡ୍ରାଇଭର୍, କଣ୍ଡକ୍ଟର ଓ ହେଲ୍ପର୍ଙ୍କ କୌଣସି ପତ୍ତା ନାହିଁ। ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ମେଦିନୀପୁର ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ପହଞ୍ଚି ଆହତମାନଙ୍କ ଚିକିତ୍ସା କଥା ବୁଝୁଛନ୍ତି।

ଉଲ୍ଲେଖ ଥାଉକି ବସ୍ ଶନିବାର ଭୋର୍ ୫ଟା ବେଳେ ପାରାଦୀପରେ ପହଞ୍ଚିଥାଆନ୍ତା। ଏହା ୪୧ ସିଟ୍ ବିଶିଷ୍ଟ ଥିବା ବେଳେ ପାର୍ବଣ ସମୟ ଯୋଗୁଁ ସିଟ୍ ସଂଖ୍ୟାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତ୍ରା କରୁଥିବା ଅନୁମାନ କରାଯାଉଛି। ସର୍ବଶେଷ ଖବର ଅନୁସାରେ, ବସ୍ରେ ୨୫ ଜଣ ଯାତ୍ରୀ ଓଡ଼ିଶାର ଥିଲେ। ସେମାନଙ୍କ ସଂପର୍କରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ଖବର ସଂଗ୍ରହ କରିବା ପରେ ତୁରନ୍ତ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ ପଠାଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ଓଡ଼ିଶାର ଥିବା ୨୫ ଜଣ ଯାତ୍ରୀଙ୍କର ସ୍ବାସ୍ଥ୍ୟ ଗୁରୁତର ନଥିବା ଖବର ମିଳିଛି। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତୁରନ୍ତ ବାଲେଶ୍ବର ଅଣାଯିବ। ଆଜି ବାଲେଶ୍ବର ମେଡିକାଲ କଲେଜରେ ସେମାନଙ୍କର ଆଉ ଥରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।
ଅତି ବିଶ୍ବସ୍ତ ମିଳିଥିବା ଖବର ଅନୁସାରେ ଆହତମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାର ୧୬, ପାରାଦୀପର ୨ ଓ ଯାଜପୁରର ୭ ଜଣ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର