ରବିବାର ରିଲିଜ୍‌: ‘ଟାଇଗର୍‌-୩’କୁ ଆହୁରି ଜୋର୍‌ ଦୌଡ଼ିବାକୁ ହେବ

ଭୁବନେଶ୍ବର: ଦୀପାବଳି ଅବସରରେ ଏଇ ରବିବାର ଦିନ ରିଲିଜ୍ ହେବାକୁ ଯାଉଛି ସଲ୍‌ମାନ ଖାଁଙ୍କ ପ୍ରଶଂସକଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର୍‌-୩’। ୟଶ୍ ରାଜ୍‌ ଫିଲ୍ମସ ଦ୍ବାରା ନିର୍ମିତ, ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ‘ଟାଇଗର୍‌-୩’ର ନିର୍ଦ୍ଦେଶକ ହେଉଛନ୍ତି ମନୀଶ ଶର୍ମା। ଏଥିରେ ସଲମାନ୍‌ଙ୍କ ସହିତ ଅଛନ୍ତି କ୍ୟାଟ୍ରିନା କୈଫ୍ ଓ ଇମ୍ରାନ୍‌ ହାସ୍‌ମି। ‘ଟାଇଗର୍‌-୩’ ହେଉଛି ୟଶ୍‌ ରାଜ୍‌ ଫିଲ୍ମସର ଗୁପ୍ତଚର ଫିଲ୍ମ ଶୃଙ୍ଖଳାର ପଞ୍ଚମ ତଥା ‘ଟାଇଗର୍‌’ ଶୃଙ୍ଖଳାର ତୃତୀୟ ଫିଲ୍ମ। ଫିଲ୍ମର ଅଗ୍ରିମ ବୁକିଂରୁ ଉତ୍ସାହପ୍ରଦ ସୂଚନା ମିଳିଛି। ଆଜିର ଶେଷ ହିସାବ ଅନୁସାରେ, ଆଡ୍‌ଭାନ୍ସ ବୁକିଂର ପ୍ରଥମ ୫ଦିନରେ କେବଳ ରିଲିଜ୍‌ ଦିନ ପାଇଁ ପ୍ରାୟ ୪ଲକ୍ଷ ୬୨ ହଜାର ୩୨୭ଟି ଟିକେଟ୍ ବିକ୍ରି ହୋଇ ଯାଇଛି, ଯାହାର ମୂଲ୍ୟ ପାଖାପାଖି ୧୨ କୋଟି ୪୦ ଲକ୍ଷ ଟଙ୍କା। ଏହା ଭିତରୁ ୪ଲକ୍ଷ ୩୫ହଜାର ୯୧୩ଟି ଟିକେଟ ୨-ଡି ହିନ୍ଦୀ ପାଇଁ ବୁକିଂ ହୋଇଛି। ଆଉ ୨ଦିନରେ ଏହା ଆହୁରି ଅନେକ ବଢ଼ିଯିବ, ସେଥିରେ ସନ୍ଦେହ ନାହିଁ। କାରଣ ଶେଷ ଆଡ଼କୁ ଟିକେଟ ବୁକିଂ ବହୁଗୁଣରେ ବୃଦ୍ଧିପାଏ। ତେବେ ତା’ପରେ ମଧ୍ୟ ସିରିଜ୍‌ର ପୂର୍ବ ଫିଲ୍ମ ‘ପଠାନ୍’ର ରେକର୍ଡକୁ ‘ଟାଇଗର୍‌-୩’ ଭାଙ୍ଗିବ ବୋଲି ଆଶା କରି ହେଉନାହିଁ। କାରଣ ଶାହରୁଖ୍‌ ଖାଁଙ୍କ ‘ପଠାନ୍’ର ରିଲିଜ୍‌ ଦିନପାଇଁ ୩୨.୪୩ କୋଟି ଟଙ୍କାର ଆଗ୍ରିମ ବୁକିଂ ହୋଇଥିଲା। ସେ ‌ରେକର୍ଡର ସମକକ୍ଷ ହେବାଲାଗି ‘ଟାଇଗର୍-୩’କୁ ଆସନ୍ତା ୨ଦିନରେ ୨ଗୁଣ ବେଗ‌ରେ ଆଗକୁ ବଢ଼ିବାକୁ ପଡ଼ିବ। ‘ଟାଇଗର୍-୩’ରେ ହଲିଉଡ୍ ସ୍ତରର ଆକ୍ସନ ରହିଛି। ଏ ଫିଲ୍ମର ଗୋଟିଏ ବଡ଼ ଆକର୍ଷଣ ହେଉଛି ଏଥିରେ ଶାହ୍‌ରୁଖ୍‌ ଖାଁ ଓ ହ୍ରିତ୍ବିକ୍‌ ରୋଶନ ଅତିଥି ଭୂମିକାରେ ଅଛନ୍ତି। ଚିନ୍ତା କରନ୍ତୁ, ଗୋଟିଏ ଫ୍ରେମ୍‌ରେ ସଲମାନ୍‌ଙ୍କ ସହିତ ଏହି ଦୁଇ ସୁପର୍‌ଷ୍ଟାର୍‌ଙ୍କ ଉପସ୍ଥିତି ପରଦାକୁ ଫଟାଇ ଦେବକି ନାଇଁ! ଏଥିରେ ଆହୁରି ରହିଛି ଗୋଟିଏ ଲମ୍ବା ଇନ୍‌ଟ୍ରୋଡକ୍ସନ ସିକ୍ବେନ୍ସ। ପ୍ରାୟ ୧୦ ମିନିଟ୍‌ର ସେ ଦୃଶ୍ୟ ଜରିଆରେ ସଲମାନ୍‌ କାହାଣୀ ଭିତରେ ପ୍ରବେଶ କରୁଛନ୍ତି। ଫିଲ୍ମର ଟ୍ରେଲର୍‌ରେ କ୍ୟାଟ୍ରିନାଙ୍କ ଟାୱେଲ୍‌ ଦୃଶ୍ୟ ବି କମ୍‌ ଦର୍ଶକୀୟ ଉତ୍ସାହ ଓ ଉତ୍କଣ୍ଠା ସୃଷ୍ଟି କରିନି! ତେବେ ଏହି ଦୃଶ୍ୟଟି କାରଣରୁ କେତୋଟି ମୁସ୍‌ଲିମ ରାଷ୍ଟ୍ରରେ ‘ଟାଇଗର୍‌-୩’ ରିଲିଜ୍ ହେବାକୁ ଅନୁମତି ମିଳୁନାହିଁ ବୋଲି ଶୁଣା ଯାଉଛି।

ଦୀପାବଳି ଓ ପରେ ପରେ ଆସୁଥିବା ଭାଇଦୁଜ ପର୍ବକୁ ଆଖିରେ ରଖି ‘ଟାଇଗର୍‌-୩’କୁ ଅଣପାରଂପରିକ ଭାବେ ରବିବାର ଦିନ ରିଲିଜ୍ କରିବାର ନିଷ୍ପତ୍ତି ନିଆ ଯାଇଛି। ଫଳରେ ନଭେମ୍ବର ୧୨ ତାରିଖରେ ପଡୁଥିବା ରବିବାରଠାରୁ ଆରମ୍ଭକରି ୧୯ ତାରିଖରେ ପଡୁଥିବା ପରବର୍ତୀ ରବିବାର ପର୍ଯ୍ୟନ୍ତ ଜାରି ରହୁଥିବା ଉତ୍ସବର ମାହୋଲରେ ଫିଲ୍ମଟି ଭଲ ବ୍ୟବସାୟ କରି ପାରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି। ଓଡ଼ିଶାର ପାଖାପାଖି ୬୦ଟି ସିନେମା ହଲ୍‌ରେ ‘ଟାଇଗର୍‌-୩’ ପ୍ରଦର୍ଶିତ ହେବ। ଓଡ଼ିଶାରେ ମଧ୍ୟ ବୁକିଂ ଆରମ୍ଭ ହୋଇଯାଇଛି। ରାଜଧାନୀର ୪ଟି ସିନେମା ହଲ୍‌, ଯଥା; ସିନେପଲିସ୍, ଆଇନକ୍ସ ଭବାନୀ ମଲ୍‌, ଆଇନକ୍ସ ଡିଏନ୍‌ ରେଗାଲିଆ, ଆଇନକ୍ସ ସିମ୍ଫୋନି ମଲ୍‌ରେ ଏଥିପାଇଁ ହେଉଥିବା ଅଗ୍ରିମ ବୁକିଂ ବେଶ୍‌ ଉତ୍ସାହଜନକ ରହିଛି।

ସମ୍ବନ୍ଧିତ ଖବର