ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌

‌ପ୍ରୋଭିଡେନ୍ସ: ୧୩ ବର୍ଷ ପରେ ବିଶ୍ବକପ୍‌ ଟ୍ରଫି, ୧୧ ବର୍ଷ ପରେ ଭାରତ ପାଇଁ ଏକ ଆଇସିସି ଟ୍ରଫି ଜିତିବାର ସୁଯୋଗ ଆସିଛି। ଭାରତ ଶେଷଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଟ୍ରଫି ଏବଂ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରଥମ ସଂସ୍କରଣ (୨୦୦୭) ବିଜେତା ଭାରତ ୧୭ବର୍ଷ ପରେ ଏହି ଟ୍ରଫିକୁ ଦ୍ବିତୀୟଥର ଜିତିବାକୁ ସୁଯୋଗ ପାଇଛି। ଶନିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍‌ ଖେଳିବ ରୋହିତ ସେନା।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବିରାଟ କୋହଲିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିଲା। ସେମିଫାଇନାଲ୍ ଭଳି ବଡ଼ ଲଢ଼େଇରେ ବି ସେ ଏକ ଅଙ୍କ ଆଗକୁ ବଢ଼ି ପାରିନାହାନ୍ତି। ଗୁରୁବାର ରାତିରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ବର୍ଷା ପାଇଁ ଖେଳ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା। ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର୍‌ ଟସ୍‌ ଜିତି ବୋଲିଂ କରିବାକୁ ଚାହୁଥିଲା ବେଳେ ରୋହିତ ବ୍ୟାଟିଂ କରିବା ଆଶାରେ ଥିଲେ। ବଟଲର୍‌ ଟସ୍‌ ଜିତି ରୋହିତଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଉଭୟଙ୍କ ଆଶା ପୂରଣ ହୋଇଥିଲା। ଭାରତ ପାଳି ଆରମ୍ଭରୁ ରୋହିତ ଓ ବିରାଟ କୋହଲି ବଲ୍‌କୁ ପରଖିବାରେ ବିଫଳ ହେଉଥିଲେ। ସଠିକ୍‌ ଭାବେ ବଲ୍‌ ସହିତ ବ୍ୟାଟ୍‌ର ସଂଯୋଗ ହେଉ ନଥିବାରୁ ଭାରତ କେତେ ଟାର୍ଗେଟ୍‌ ଦେଇପାରିବ ତାହା ଅନୁମାନ କରିବା ମଧ୍ୟ ଅସମ୍ଭବ ମନେହେଉଥିଲା। ରୋହିତ କିନ୍ତୁ ମଝିରେ ମଝିରେ ଚୌକା ମାରି ରନ୍‌ ହାର କମିବାକୁ ଦେଉ ନଥିଲେ। ତୃତୀୟ ଓଭରରେ ରିସି ଟପଲେଙ୍କୁ ମିଡ୍‌ ୱିକେଟ୍‌ ଉପରେ ଛକା ମାରି କୋହଲି ଆକ୍ରମଣାତ୍ମକ ଅଭିମୁଖ୍ୟ ଦେଖାଇଥିଲେ। କିନ୍ତୁ ଗୋଟିଏ ବଲ୍‌ ପରେ ଅସାମାନ୍ୟ ବାଉନ୍ସରେ ଚକ୍‌ମା ଖାଇ ବୋଲ୍ଡ ହୋଇଯାଇଥିଲେ କୋହଲି (୯)।

ପାୱାରପ୍ଲେର ଶେଷ ଓଭରରେ ଋଷଭ ପନ୍ତ ମଧ୍ୟ ସାମ୍‌ କରନ୍‌ଙ୍କ କମ୍‌ ଉଚ୍ଚରେ ଥିବା ବଲ୍‌କୁ ପୁଲ୍‌ ମାରିବାକୁ ଯାଇ ମିଡ୍‌ୱିକେଟ୍‌ରେ କ୍ୟାଚ୍‌ ହୋଇଯାଇଥିଲେ। ୮ ଓଭର ଶେଷ ହେବା ପରେ ବର୍ଷା ପ୍ରବଳ ହେବାରୁ ଖେଳକୁ ପୁଣି ଥରେ ସ୍ଥଗିତ ରଖାଯାଇଥିଲା। ବର୍ଷାବାଧା ପରବର୍ତ୍ତୀ ୧୨ ଓଭରରେ ଭାରତ ୧୦୬ ରନ୍ ଯୋଡ଼ିବା ସହ ଲଢ଼ୁଆ ସ୍କୋର୍‌ ଛିଡ଼ା କରିପାରିଛି। ବିରତି ପରେ କିନ୍ତୁ ଉଭୟ ଭଲ ଖେଳି ଆଉଟ ହୋଇଯାଇଥିଲେ। ରୋହିତ ଏହି ମ୍ୟାଚ୍‌ରେ ମାହେଲା ଜୟବର୍ଦ୍ଧନେ (୧୧୧) ଙ୍କୁ ପଛରେ ପକାଇ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସର୍ବାଧିକ ଚୌକା ମାରିଥିଲେ। ରୋହିତ ମଧ୍ୟ ‌କୋହଲି, ଧୋନି, ଆଝାରୁଦ୍ଦିନ ଓ ଗାଙ୍ଗୁଲିଙ୍କ ପରେ ଅଧିନାୟକ ଭାବେ ୫,୦୦୦ ଅନ୍ତର୍ଜାତୀୟ ରନ୍ କରିବାରେ ପଞ୍ଚମ ଭାରତୀୟ ହୋଇଥିଲେ।

ସମ୍ବନ୍ଧିତ ଖବର