ପୁଣି ନଗଦ ରାଜୁତି: ବଜାରରେ ୨୧ ଲକ୍ଷ କୋଟି ଟଙ୍କାର ନଗଦ

ନୂଆଦିଲ୍ଲୀ: ଦେଶରେ ନଗଦ ଟଙ୍କାର ପ୍ରଚଳନ କମ୍ କରିବା ଥିଲା ବିମୁଦ୍ରୀକରଣର ଅନ୍ୟତମ ଉଦ୍ଦେଶ୍ୟ। ସେହି ଲକ୍ଷ୍ୟ ହାସଲ ହୋଇପାରିନାହିଁ। ବିମୁଦ୍ରୀକରଣ ସମୟ ତୁଳନାରେ ଏବେ ଦେଶରେ ଯଥେଷ୍ଟ ଅଧିକ ପରିମାଣର ନଗଦ ଟଙ୍କା ପ୍ରଚଳନରେ ରହିଛି। ଦେଶରେ ପୁଣି ନଗଦ ଟଙ୍କାର ରାଜୁତି ଫେରିଛି।

ଆଜି ସଂସଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଦେଇଥିବା ଲିଖିତ ଉତ୍ତରରେ ଜଣାଇଛନ୍ତି ଯେ, ଦେଶରେ ଏବେ ୨୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଟଙ୍କା ପ୍ରଚଳନରେ ରହିଛି। ପ୍ରାୟ ୨୧,୧୦, ୯୦୦ କୋଟି ଖଣ୍ଡ ନୋଟ୍‌ ବଜାରରେ ରହିଛି। ୨୦୧୬-୧୭ରେ ଆର୍ଥିକ ବର୍ଷରେ ନଗଦ ଟଙ୍କା ପରିମାଣ ୧୩ ଲକ୍ଷ କୋଟି ଟଙ୍କା ପାଖାପାଖି ରହିଥିଲା। ଇତି ମଧ୍ୟରେ ସେଥିରେ ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ହୋଇସାରିଲାଣି। ବିମୁଦ୍ରୀକରଣ ପୂର୍ବରୁ ଏବଂ ପରବର୍ତ୍ତି ସମୟରେ ନଗଦ ଟଙ୍କା ପ୍ରଚଳନ‌ର ସ୍ଥିତି କିଭଳି ଥିଲା ଓ ରହିଛି ତାହା ଜାଣିବା ଲାଗି ଗୃହର ସଦସ୍ୟ ପ୍ରଶ୍ନ କରିଥିଲେ। ତାହାର ଉତ୍ତର ଦେଇ ଶ୍ରୀ ଠାକୁର ଏହି ତଥ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରି ସମସ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ। ଏହି ପଦକ୍ଷେପର ତିନିଟି ପ୍ରମୁଖ ଉଦ୍ଦେଶ୍ୟ ଥିଲା। ତାହା ହେଉଛି କଳାଟଙ୍କା ଉପରେ ଲଗାମ କଷିବା, ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର ହେଉଥିବା ପାଣ୍ଠିର ପ୍ରବାହକୁ ଅଟକାଇବା ଏବଂ ନଗଦ ଟଙ୍କାର ପ୍ରଚଳନକୁ କମ୍ କରି ଦେଶକୁ ଏକ ଡିଜିଟାଲ୍ ଅର୍ଥନୀତିରେ ପରିଣତ କରିବା। ବିମୁଦ୍ରୀକରଣ ପରେ ବଜାରକୁ ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍ ଆସିଥିଲା। ବଜାରରୁ ନଗଦ ଟଙ୍କାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଲାଗି ସରକାରଙ୍କର କିଛି ଯୋଜନା ଅଛି ବୋଲି ହୋଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ, ସରକାରଙ୍କର ସେଭଳି କୌଣସି ଯୋଜନା ନାହିଁ। ୧୦୦୦ ଟଙ୍କିଆ ନଥିବାରୁ ଲୋକମାନେ ଯେଉଁ ସମସ୍ୟା ସାମ୍ନା କରୁଛନ୍ତି ସେବିଷୟରେ ସରକାର ଅବଗତ ଅଛନ୍ତି ନା ନାହିଁ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଲୋକମାନେ ନୂତନ ଢାଞ୍ଚା ଅନୁସାରେ ଆଗକୁ ବଢ଼ିସାରିଲେଣି।

ବହୁ ବିଳମ୍ବରେ ରିଜର୍ଭ ବ୍ୟାଙ୍କ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ବିମୁଦ୍ରୀକରଣ ସମୟରେ ଅଚଳ ହୋଇଥିବା ୯୯.୩ ପ୍ରତିଶତ ନୋଟ୍ ଫେରିଆସିଥିଲା। ବିମୁଦ୍ରୀକରଣ ଘୋଷଣା ଦିନ ବଜାରରେ ୧୫.୪୧ ଲକ୍ଷ କୋଟି ଟଙ୍କାର ୫୦୦ ଓ ୧୦୦୦ ଟଙ୍କିଆ ପ୍ରଚଳନରେ ଥିଲା। ସେଥି ମଧ୍ୟରୁ ଲୋକମାନେ ୧୫.୩୧ ଲକ୍ଷ କୋଟି ଟଙ୍କାର ଅଚଳ ନୋଟ୍ ବଦଳାଇଥିଲେ। ଡିଜିଟାଲ୍ ଇଣ୍ଡିଆର ପ୍ରଭାବ କିଭଳି ରହିଛି ତାହାକୁ ନେଇ ସରକାର କୌଣସି ସର୍ଭେ କରିଛନ୍ତି ବୋଲି ଗୃହର ସଦସ୍ୟ ଯେଉଁ ପ୍ରଶ୍ନ କରିଥିଲେ ତାହାର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତରଫରୁ ସେଭଳି କୌଣସି ସର୍ଭେ କରାଯାଇନାହିଁ। ମାତ୍ର ଇ-ତାଲ୍ ପ୍ଲାଟଫର୍ମରେ ଇ-କାରବାର ପରିମାଣ ବହୁତ ବଢ଼ିଛି।

ସମ୍ବନ୍ଧିତ ଖବର