ପଡ଼ୋଶୀ ଚୀନ ଓ ପାକିସ୍ତାନ ଦେଉଥିବା ଚ୍ୟାଲେଞ୍ଜକୁ ପ୍ରତିହତ କରିବା ପାଇଁ ଆଜି ଭାରତୀୟ ବାୟୁସେନା ଆରମ୍ଭ କରିବ ସର୍ବବୃହତ ସମରାଭ୍ୟାସ ‘ଗଗନ ଶକ୍ତି’

ନୂଆଦିଲ୍ଲୀ : ଦିନକୁ ଦିନ ପଡ଼ୋଶୀ ଚୀନ ଓ ପାକିସ୍ଥାନ ପଟରୁ ବିପଦ ଦେଖାଦେବାରେ ଲାଗିଛି। ଏହାକୁ ନେଇ ସୀମାରେ ବିଭିନ୍ନ ସମୟରେ ଉତ୍ତେଜନା ଲାଗି ରହୁଛି। ପଡ଼ୋଶୀ ଦେଶ ଦେଉଥିବା ଚାଲେଞ୍ଜକୁ ପ୍ରତିହତ କରିବା ଦିଗରେ ଆଜି ଭାରତୀୟ ବାୟୁସେନା ଆରମ୍ଭ କରିବ ସର୍ବବୃହତ ସମରାଭ୍ୟାସ। ଏହାର ନାଁ ରଖାଯାଇଛି ‘ଗଗନ ଶକ୍ତି’।

ଆଜିଠାରୁ ଆରମ୍ଭ ହେବ ‘ଗଗନ ଶକ୍ତି’ ସମରାଭ୍ୟାସ। ଏଥିରେ ସାମିଲ୍‌ ହେବ ଭାରତୀୟ ବାୟୁସେନାର ଅନେକ ଅତ୍ୟାଧୁନିକ ଲଢୁଆ ବିମାନ। ୧୫ ଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସରେ ପ୍ରାୟ ୧୫ ହଜାର ଯବାନ ସାମିଲ୍‌ ହେବେ। ଏଥିପାଇଁ ଯବାନଙ୍କୁ ତିନି ଭାଗରେ ବିଭକ୍ତ କରାଯିବ।

(୧) ବ୍ଲୁ ଫୋର୍ସ – ଭାରତୀୟ ସେନାକୁ ପ୍ରତିନିଧିତ୍ୱ କରିବ। ଏହି ପର୍ଯ୍ୟାୟରେ ଥିବା ଯବାନ ଶତ୍ରୁ ପକ୍ଷ ଉପରେ ଜୋରଦାର୍‌ ଆକ୍ରମଣ କରିବେ।
(୨) ରେଡ୍‌ ଫୋର୍ସ – ଶତ୍ରୁ ପକ୍ଷକୁ ପ୍ରତିନିଧିତ୍ୱ କରିବ। ଶତ୍ରୁ ତରଫରୁ ଭାରତୀୟ ସେନାକୁ ଭିନ୍ନ ଭିନ୍ନ ଉପାୟରେ ଆକ୍ରମଣ କରିବାକୁ ଚେଷ୍ଟା କରିବେ।
(୩) ହ୍ଵାଇଟ୍‌ ଫୋର୍ସ – ନିରପେକ୍ଷ କିମ୍ବା ରେଫରୀ ଦାୟିତ୍ୱ ତୁଲାଇବେ। ବ୍ଲୁ ଫୋର୍ସ ରେଡ୍‌ ଫୋର୍ସ ଆକ୍ରମଣର କିଭଳି ଜବାବ୍‌ ଦେଲା ତାହାର ତଦାରଖ କରିବେ।

୧୫ ଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସରେ ସୁଖୋଇ ୩୦, ମିଗ୍‌ ୨୧, ଜାଗୁଆର, ମିରାଜ୍‌ ପରି ୫୦୦ରୁ ଅଧିକ ଲଢୁଆ ଯୁଦ୍ଧ ବିମାନ ସାମିଲ୍‌ ହେବେ। ତେବେ ପ୍ରଥମ ଥର ପାଇଁ ଭାରତ ପ୍ରସ୍ତୁତ ତେଜସ୍‌ ବିମାନ ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିବ। ଯୁଦ୍ଧସ୍ଥିତି ଉପୁଜିଲେ ଭାରତ କେତେ ଦୂର ମୁକାବିଲା ପାଇଁ ପ୍ରସ୍ତୁତ ଏହି ସମରାଭ୍ୟାସରୁ ଆକଳନ କରିବ ବାୟୁସେନା।

ଆକାଶରେ ଲକ୍ଷ୍ୟଭେଦ କରିବାର କୌଶଳ ବ୍ୟତୀତ ଅତ୍ୟାଧୁନିକ ଯୁଦ୍ଧ ସଂଚାଳନା ଗଗନଶକ୍ତି ଯୁଦ୍ଧାଭ୍ୟାସର ମୁଳ ଉଦ୍ଦେଶ୍ୟ ରହିବ। ସମୁହ ଯୁଦ୍ଧାଭ୍ୟାସ, ସୈନିକ ସମ୍ବନ୍ଧ ଓ ସହଯୋଗ ବୃଦ୍ଧି, ଏୟାର ଡିଫେନ୍‌ସ ଦିଗରେ ମଧ୍ୟ ଏହା ହେବ ବିଶେଷ ଉପଯୋଗୀ। ପଡ଼ୋଶୀ ଚୀନ ଓ ପାକିସ୍ତାନ ଦେଉଥିବା ଆହ୍ଵାନକୁ ଦୃଷ୍ଟିରେ ରଖି ଗଗନଶକ୍ତି ହେବ ସେନା ପାଇଁ ପ୍ରବେଶିକା ପରୀକ୍ଷାପରି। ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବାୟୁସେନାର ଏହି ସର୍ବବୃହତ ଯୁଦ୍ଧାଭ୍ୟାସ।

ସମ୍ବନ୍ଧିତ ଖବର