‘ତ୍ରିଶୂଳ’ ପଣ୍ଡ କଲା ଜଳଦସ୍ୟୁଙ୍କ ଲୁଣ୍ଠନ ଉଦ୍ୟମ

ନୂଆଦିଲ୍ଲୀ: ଏଡେନ୍‌ ଉପସାଗରରେ ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ୍‌ ତ୍ରିଶୂଳର ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଏକ ଭାରତୀୟ ମାଲବାହୀ ଜାହାଜ ଉପରେ ଜଳଦସ୍ୟୁମାନଙ୍କ ଲୁଣ୍ଠନ ଉଦ୍ୟମ ପଣ୍ଡ ହୋଇଯାଇଛି। ସୂଚନାନୁଯାୟୀ, ଭାରତୀୟ ମାଲବାହୀ ଜାହାଜ ଏମ୍‌ଭି ଜଗ ଅମର ଆଜି ସାଉଦି ଆରବର ଜୁବାଲି ଅଭିମୁଖେ ଯାଉଥିଲା। ତେବେ ୮୫ ହଜାର ଟନ୍‌ ଓଜନର ସାମଗ୍ରୀ ବୋଝେଇ କରି ଯାଉଥିବା ଏହି ଜାହାଜକୁ ଲୁଟିବା ପାଇଁ ଜଳଦସ୍ୟୁମାନେ ମଧ୍ୟାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ଅତର୍କିତ ଆକ୍ରମଣ କରିଥିଲେ। ମାତ୍ର ଭାରତୀୟ ଜାହାଜକୁ ସେହି ଉପସାଗରୀୟ ଅଞ୍ଚଳରେ ସୁରକ୍ଷା ଦେବା ପାଇଁ ନିୟୋଜିତ ଆଇଏନ୍‌ଏସ୍‌ ତ୍ରିଶୂଳ ପାଖରେ ତୁରନ୍ତ ଏହି ଖବର ପହଞ୍ଚିଥିଲା। ତ୍ରିଶୂଳର ପ୍ରଶିକ୍ଷିତ ନୌସେନା ଯବାନମାନେ ହସ୍ତକ୍ଷେପ କରି ଜଳଦସ୍ୟୁମାନଙ୍କ ଉଦ୍ୟମକୁ ପ୍ରତିହତ କରିବା ସହ ଏମ୍‌ଭି ଜଗ ଅମରରେ ଥିବା ସମସ୍ତ ୨୬ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏଥି ସହିତ ଜଳଦସ୍ୟୁମାନେ ଛାଡ଼ିଯାଇଥିବା ଗୋଟିଏ ଏକେ-୪୭ ବନ୍ଧୁକ ଓ ୨୭ ରାଉଣ୍ଡ୍‌ ଗୁଳି ମଧ୍ୟ ଉଦ୍ଧାର ହୋଇଛି।

ସମ୍ବନ୍ଧିତ ଖବର