ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିବା ପରେ ଆସନ୍ତା ସପ୍ତାହରେ କରୋନା ଓ ସୌର ବାୟୁ ଉପରେ ଅନୁଧ୍ୟାନ ପାଇଁ ସୂର୍ଯ୍ୟ ମିସନ ଆଦିତ୍ୟ-ଏଲ୍୧ ଉତ୍କ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଆଦିତ୍ୟ-ଏଲ୍୧ ମହାକାଶ ଯାନକୁ ଇସ୍ରୋ ପୃଥିବୀଠାରୁ ୧.୫ ନିୟୁତ କିମି ଉଚ୍ଚରେ ସ୍ଥାପନ କରିବ ଏବଂ ଆସନ୍ତା ସେପ୍ଟେମ୍ବର ୨ରେ ଏହାକୁ ଉତ୍କ୍ଷେପଣ କରିବାକୁ ଚିନ୍ତା କରୁଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ସୌର ପର୍ଯ୍ୟବେକ୍ଷଣ ପାଇଁ ଏହା ହେବ ଇସ୍ରୋର ପ୍ରଥମ ଅଭିଯାନ। ଏହାଦ୍ବାରା ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ସୂର୍ଯ୍ୟର ବାହ୍ୟ ସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ କରାଯିବ। ଏହି ସୌରଯାନ ସମ୍ପୂର୍ଣ୍ଣରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବୋଲି ଇସ୍ରୋ ପ୍ରକାଶ କରିଛି। ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏଲ୍୧ ପାଖରେ ହାଲୋ ଅର୍ବିଟରେ ଏହାକୁ ସ୍ଥାପନ କରାଯିବ। ମହାକାଶଯାନଟି ଦୁଇ ସପ୍ତାହ ପୂର୍ବେ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟରରୁ ଆସି ଇସ୍ରୋର ଶ୍ରୀହରିକୋଟାସ୍ଥିତ ମହାକାଶବନ୍ଦରରେ ପହଞ୍ଚିସାରିଛି। ସୌର କାର୍ଯ୍ୟକଳାପ ଓ ପୃଥିବୀ ଉପରେ ଏହାର ପ୍ରଭାବ ଉପରେ ଏହା ଅନୁଧ୍ୟାନ କରିବ।