ଏହି ସିନେମାରେ ରୀୟା ବନିଥିଲେ ଅବିବାହିତା ମାଆ

ଭୁବନେଶ୍ୱର: ରୀୟା ୨୦୧୦ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଛବି ‘ପ୍ରେମ ଅଢେଇ ଅକ୍ଷର’ରୁ ଓଲିଉଡରେ ଡେବ୍ୟୁ କରିଥିଲେ । ଏଥିରେ ବାବୁସାନଙ୍କ ସହ ନଜର ଆସିଥିଲେ ସେ । ପ୍ରଥମ ସିନେମାରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ରୀୟା ।
ରୀୟା କେତୋଟି ସିନେମାରେ ଅଭିନୟ କରି ସମାଲୋଚନାର ଶିକାର ହୋଇଥିଲେ । ଏହି ଫିଲ୍ମରେ ଯେ ତାଙ୍କ ପରଫରମାନ୍ସ ଭଲ ନ ଥିଲା, ତା’ ନୁହେଁ, ଏଥିରେ ତାଙ୍କର ଅଭିନୀତ ଚରିତ୍ରକୁ ନେଇ ଭ୍ରକୁଞ୍ଚନ ସୃଷ୍ଟି ହୋଇଥିଲା ।

ଏମିତି ଏକ ଫିଲ୍ମ ହେଲା ୨୦୧୪ରେ ପରଦାକୁ ଆସିଥିବା ଓଡ଼ିଆ ଫିଲ୍ମ ‘ ଗୋଲାପି ଗୋଲାପି’ । ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ରୀୟାଙ୍କ ଅଭିନୀତ ଚରିତ୍ରଟି ଥିଲା ଜଣେ ଅବିବାହିତା ମାଆର, ଯିଏ କି ପ୍ରେମିକ ସହିତ ବିବାହ ପୂର୍ବରୁ ଶାରୀରିକ ସଂପର୍କ ରଖନ୍ତି । ତା’ପରେ ସେ ଗର୍ଭବତୀ ହୁଅନ୍ତି ଓ ଶିଶୁ ପୁତ୍ରକୁ ଜନ୍ମ ଦିଅନ୍ତି । କିନ୍ତୁ ତା’କୁ ଏକ ଅନାଥାଶ୍ରମରେ ଛାଡ଼ି ଚାଲିଯାଆନ୍ତି । ଏହି ଚରିତ୍ରଟି ସମାଲୋଚିତ ହୋଇଥିଲା । ତେବେ ଏହି ଚରିତ୍ରକୁ ସେ ବେଶ୍‌ ନିପୁଣତାର ସହ ନିଭାଇଥିଲେ ରୀୟା ଦେ । ଏଥିରେ ରୀୟାଙ୍କ ବିପକ୍ଷରେ ନାୟକ ଭୂମିକାରେ ନଜର ଆସିଥିଲେ ଅମ୍ଳାନ । ଏହି ସିନେମାରେ ସିଦ୍ଧାନ୍ତଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ । ଏହି ଫିଲ୍ମରେ ଅପରାଜିତା ଓ ପୃଥ୍ଵୀରାଜ ନାୟକ ପ୍ରମୁଖ ବି ଅଭିନୟ କରିଥିଲେ ।କହିବା ବାହୁଲ୍ୟ ଯେ ‘ଗୋଲାପି ଗୋଲାପି’ ସୁପରହିଟ୍‌ ହୋଇଥିଲା ।

ସମ୍ବନ୍ଧିତ ଖବର