ଭୁବନେଶ୍ୱର : ଗତ ୧୧ ତାରିଖରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନୂଆଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଠାରେ ଆୟୋଜିତ ଚାଷୀ ସମାବେଶରେ ଯୋଗ ଦେବାକୁ ଯାଇଥିବା ଚାରି ଜଣ ଚାଷୀ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅଧୀନସ୍ଥ ଶ୍ରୀବନ୍ତପୁର ଗ୍ରାମର ଗୋଲଖ ଚନ୍ଦ୍ର ସାମଲ(୬୮), କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ମୁରଲିଧର ପ୍ରଧାନ(୬୦), ତେଲକୋଇର ବିର୍ ମୁଣ୍ଡା (୫୩) ଓ ସଲେଇକଣାର ଅଜୟ ରଣସିଂହ(୬୨)।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଲଖ ଚନ୍ଦ୍ର ସାମଲ ଦିଲ୍ଲୀରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ରେ ଓଡ଼ିଶା ଫେରୁଥିବାବେଳେ ଟାଟାନଗର ପର୍ଯ୍ୟନ୍ତ ଆସିଥିବା ଅନ୍ୟ ଚାଷୀମାନେ ଦେଖିଛନ୍ତି। କିନ୍ତୁ ଏହାପରେ ତାଙ୍କୁ କେହି ଦେଖିନାହାନ୍ତି। ମୁରଲିଧର ପ୍ରଧାନ ହୀରାକୁଣ୍ଡ ଏକ୍ସପ୍ରେସରେ ଦିଲ୍ଲୀରୁ ଆସୁଥିବାବେଳେ ୧୩ତାରିଖ ଭୋର୍ ୪ଟା ୩୦ସମୟରେ ବିଳାସପୁରର ଚମ୍ପା ଷ୍ଟେସନରେ ପାଣି ଆଣିବା ପାଇଁ ଟ୍ରେନ୍ରୁ ଓହ୍ଲାଇଥିଲେ ହେଁ ଟ୍ରେନ୍ ନ ଧରିପାରି ନିଖୋଜ ହୋଇଯାଇଛନ୍ତି। ଏହି ଦୁଇ ଚାଷୀଙ୍କ ନିଖୋଜ ନେଇ ଓଡ଼ିଶା ରେଲେଓ୍ଵ ପୁଲିସ ଆଇଜିଙ୍କୁ ଲିଖିତ ଭାବେ ଜଣାଯାଇଛି।
ସେହିପରି ବିର୍ ମୁଣ୍ଡା ଏବଂ ଅଜୟ ରଣସିଂହ ନୂଆଦିଲ୍ଲୀରୁ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ନିଖୋଜ ନେଇ ସ୍ଥାନୀୟ ପାର୍ଲିଆମେଣ୍ଟ ପୁଲିସ ଥାନାରେ ମିସିଂ ରିପୋର୍ଟ ଦିଆଯାଇଛି। ସେମାନଙ୍କର ଫଟୋ ଓ ଅନ୍ୟ ପ୍ରମାଣ ପତ୍ର ବି ଥାନାରେ ଦିଆଯାଇଛି। ନିଖୋଜ ହୋଇଥିବା ଚାଷୀଙ୍କୁ ଖୋଜିବା ପାଇଁ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଟାଟାନଗର ଓ ଖଡଗପୁର ଯାଇ ବିଭିନ୍ନ ସ୍ଥାନରେ ଖୋଜିବା ସହ ରେଳଷ୍ଟେସନର ସିସିଟିଭି ଯାଞ୍ଚ କରିଛନ୍ତି। କିନ୍ତୁ ଏଥିରୁ କିଛି ଜଣାପଡ଼ିନି। ଚମ୍ପା ଷ୍ଟେସନ ଏବଂ ଏହା ଆଖପାଖ ଅଞ୍ଚଳରେ ବି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ହେଁ ମୁରଲିଧରଙ୍କର କୌଣସି ସୂଚନା ମିଳିନାହିଁ। ଚାଷୀମାନଙ୍କ ସମ୍ପର୍କରେ କେହି ଜାଣିଲେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କୁ ମୋବାଇଲ ନମ୍ବର ୯୯୩୭୪୨୭୬୧୧ରେ ଏବଂ ସଂଗଠନର ଅନ୍ୟ କର୍ମକର୍ତ୍ତାଙ୍କ ମୋବାଇଲ ନମ୍ବର ୯୯୩୭୦୦୮୪୦୬, ୯୪୩୮୦୫୧୯୪୯ରେ ଯୋଗାଯୋଗ କରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି।