ବୁଏନ୍ସ ଏୟାର୍ସ: ମସ୍କୋ ଫୁଟବଲ୍ ବିଶ୍ୱକପ୍ ଆଉ ମାତ୍ର ୧୪ ଦିନ ଥିଲା ବେଳେ ବିଭିନ୍ନ ଦଳ ନିଜ ନିଜର ସାମର୍ଥ୍ୟ ତଉଲିବା ପାଇଁ ଅଭ୍ୟାସ ମ୍ୟାଚ୍ ଖେଳି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ମଙ୍ଗଳବାର ରାତିରେ ଖେଳା ଯାଇଥିବା ଏକ ଅଭ୍ୟାସ ମ୍ୟାଚ୍ରେ ଶକ୍ତିଶାଳୀ ଆର୍ଜେଣ୍ଟିନା ଲିଓନେଲ୍ ମେସିଙ୍କ ହ୍ୟାଟ୍ରିକ୍ ବଳରେ ଦମ୍ଦାର ବିଜୟ ହାସଲ କରିଛି। ବାର୍ସିଲୋନା ତାରକା ମେସିଙ୍କ ଲଗାତାର ୩ ଗୋଲ୍ ସହାୟତାରେ ବିଶ୍ୱ ମାନ୍ୟତାର ପଞ୍ଚମ ଆର୍ଜେଣ୍ଟିନା ୪-୦ ଗୋଲ୍ରେ ନିଜଠୁ ୧୦୩ ମାନ୍ୟତା ତଳେ ଥିବା ହାଇତିକୁ ପରାସ୍ତ କରିଦେଇଛି। ମ୍ୟାଚ୍ର ୧୭ ମିନିଟ୍ରେ ପେନାଲ୍ଟି ସ୍ପଟ୍ ଜରିଆରେ ଗୋଲ୍ ଅଭିଯାନ ଆରମ୍ଭ କରିଥିବା ମେସି ଦ୍ୱିତୀୟାର୍ଧର ୧୨ ମିନିଟ୍ ମଧ୍ୟରେ ଦ୍ୱିତୀୟ ଗୋଲ୍ କରିଥିଲେ। ଏହାପରେ ୬୫ ମିନିଟ୍ରେ ବ୍ୟକ୍ତିଗତ ତୃତୀୟ ଗୋଲ୍ କରି ହ୍ୟାଟ୍ରିକ୍ ଅର୍ଜନ କରିନେଇଥିଲେ। ଏହାର ୨ ମିନିଟ୍ରେ ସର୍ଗିଓ ଆଗୁରୋ ଦଳ ପାଇଁ ଚତୁର୍ଥ ଗୋଲ୍ କରି ଆର୍ଜେଣ୍ଟିକାକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ଘରୋଇ ମାଟିରେ ଏହି ମ୍ୟାଚ୍ ଖେଳିବା ପରେ ଆର୍ଜେଣ୍ଟିନା ଅଧିକ ପ୍ରସ୍ତୁତି ତଥା ଅଭ୍ୟାସ ମ୍ୟାଚ୍ ଖେଳିବା ପାଇଁ ଏବେ ବାର୍ସିଲୋନା ଯାତ୍ରା କରିଛି। ସେଠାରେ ଜୁନ୍ ୧୬ ତାରିଖରେ ଆଇସ୍ଲାଣ୍ଡ୍, ଜୁନ୍ ୨୧ରେ କ୍ରୋଏସିଆ ଓ ଜୁନ୍ ୨୬ ତାରିଖରେ ନାଇଜେରିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ ପାଇଁ ନିଜକୁ ପ୍ରସ୍ତୁତ କରିବ। ଅନ୍ୟ ଏକ ମ୍ୟାଚ୍ରେ ଅନଭିଜ୍ଞ ସ୍କଟ୍ଲାଣ୍ଡ୍କୁ ୨-୦ ଗୋଲ୍ରେ ପରାସ୍ତ କରି ପେରୁ ଭଲ ପ୍ରସ୍ତୁତି ଆରମ୍ଭ କରିଛି। ଲିମାର ଫ୍ରେଞ୍ଜିଏଡ୍ ଇଷ୍ଟାଡିଓ ନ୍ୟାସ୍ନାଲ୍ ଷ୍ଟାଡିୟମ୍ରେ ଖେଳିଥିବା ଏହି ମ୍ୟାଚ୍ରେ କ୍ରିଷ୍ଟିଆନ୍ କୁଇଭା ପେରୁ ପାଇଁ ପ୍ରଥମ ଗୋଲ୍ କରିଥିଲେ। ଏହାପରେ ଜେଫରସନ୍ ଫର୍ଫାନ୍ ୪୭ ମିନିଟ୍ରେ ଗୋଲ୍ କରିବାରୁ ପେରୁ ୨-୦ରେ ଆଗୁଆ ହୋଇଯାଇଥିଲା। ସେପଟେ ପାନାମା ସିଟିରେ ନର୍ଦର୍ନ ଆୟର୍ଲାଣ୍ଡ୍ ଓ ପାନାମା ମ୍ୟାଚ୍ ଗୋଲ୍ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏସିଆରେ ପ୍ରଥମ, ବ୍ରାଜିଲ୍ ବିଜେତା
୨୦୦୨ ମସିହାରେ ଫିଫା ବିଶ୍ୱକପ୍ ପ୍ରଥମ ଥର ପାଇଁ ଏସୀୟ ମହାଦେଶ ପ୍ରବେଶ କରିଥିଲା। ଦୁଇ ଯୋଗ୍ୟ ଦେଶ କୋରିଆ ଏବଂ ଜାପାନ ମିଳିତ ଭାବେ ଏହାର ଆୟୋଜକ ହୋଇଥିଲେ। ଉଭୟ ଆୟୋଜକ ଦେଶ ଦ୍ଵିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇ ଇତିହାସ ବି ରଚିଥିଲେ। କୋରିଆ ତ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ଆଉ ଦୁଇ ପାଦ ଆଗକୁ ବଢ଼ି ଯାଇଥିଲା। ତେବେ ୧୯୯୮ ମସିହାର ତିକ୍ତତାକୁ ପଛରେ ପକାଇ ରୋନାଲ୍ଡୋ ବ୍ରାଜିଲକୁ ପଞ୍ଚମ ଥର ବିଶ୍ୱକପ୍ ବିଜେତା କରାଇଥିଲେ। ଜର୍ମାନି ବିପକ୍ଷ ଫାଇନାଲରେ ସେ ଉଭୟ ଗୋଲ୍ ସ୍କୋର କରିଥିଲେ। ଲଗାତାର ସପ୍ତମ ମ୍ୟାଚ୍ ଜିତି ବ୍ରାଜିଲ୍ ମଧ୍ୟ ଏହି ଅବସରରେ ଇଟାଲି ନାମରେ ଥିବା କୀର୍ତିମାନର ସମକକ୍ଷ ହୋଇଥିଲା। ତେବେ ବିଜେତା ଫ୍ରାନ୍ସ ପ୍ରଥମ ରାଉଣ୍ଡ୍ରୁ ଗୋଲ୍ଶୂନ୍ୟ ବିଦାୟ ନେବା ସବୁଠାରୁ ନିରାଶା ଆଣିଥିଲା। ସେନେଗାଲ ନିକଟରୁ ଉଦ୍ଘାଟନୀ ମ୍ୟାଚ୍ ହାରିବା ପରେ ଦଳ କେବଳ ଗୋଟିଏ ଅମୀମାଂସିତ (୦-୦)ରେ ସନ୍ତୁଷ୍ଟ ହୋଇ ସ୍ୱଦେଶ ଫେରିଥିଲା। ଫ୍ରାନ୍ସର ବିଦାୟ ଏବଂ ତୁର୍କି ପ୍ରଥମ ଥର ସେମିଫାଇନାଲକୁ ଆସି କାଂସ୍ୟ ପଦକ ଜିତିବା ଥିଲା ଦୁଇ ପ୍ରମୁଖ ଆଶ୍ଚର୍ଯ୍ୟ। ଜର୍ମାନିର ଗୋଲ୍ରକ୍ଷକ ଓଲିଭର କାନ୍ ସ୍ୱର୍ଣ୍ଣ ବଲ ପାଇଥିବାବେଳେ ରୋନାଲ୍ଡୋ ସୁନା ଜୋତାର ବିଜେତା ହୋଇଥିଲେ। ରୋନାଲ୍ଡୋ ଏହି ସଂସ୍କରଣରେ ସର୍ବାଧିକ ୮ଟି ଗୋଲ୍ ସ୍କୋର କରିଥିଲେ। ଇଂଲଣ୍ଡର ଲଣ୍ଡନ୍ ଡୋନୋଭାନ୍ ଶ୍ରେଷ୍ଠ ଯୁବ ଖେଳାଳି ସମ୍ମାନ ପାଇଥିଲେ। ୨୦୦୧ ୱାସିଂଟନ୍ ଆକ୍ରମଣ କାରଣରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଶଙ୍କା ଦେଖା ଦେଇଥିଲେ ମଧ୍ୟ ବିଶ୍ୱକପ୍ର ଏସୀୟ ପଦାର୍ପଣ ସଫଳତାର ସହ ସମାପିତ ହୋଇଥିଲା। କିନ୍ତୁ ବିଶ୍ୱକପ୍କୁ ‘ଜାପାନ-କୋରିଆ ୨୦୦୨’ ନାମକରଣ କରିବାକୁ ଜାପାନର ଉଦ୍ୟମ ନିଷ୍ଫଳ ରହିଥିଲା। କୋରିଆମାନେ ଯୁକ୍ତି ବଢ଼ିବା ସହ ଏହାକୁ ‘କୋରିଆ-ଜାପାନ ୨୦୦୨’ ନାମକରଣ କରିଥିଲେ।