ଦ୍ବନ୍ଦ୍ବ ଦୂର କଲେ ରୋହିତ, ଅଗରକର: ଶକ୍ତିଶାଳୀ ମଧ୍ୟକ୍ରମ ପାଇଁ ରାହୁଲ ବାଦ୍ ପଡ଼ିଲେ,

ସ୍ପିନ୍ ବିକଳ୍ପ ଲାଗି ରିଙ୍କୁ, ଗିଲ୍‌ଙ୍କୁ ନେଇହେଲାନି

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିବା ସତ୍ତ୍ବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଅଧିନାୟକ କେଏଲ୍ ରାହୁଲ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ ସ୍ଥାନ ପାଇ ନାହାନ୍ତି। ଯାହା କ୍ରିକେଟ୍ ବିଶେଷଜ୍ଞଙ୍କ ସହ ତାଙ୍କ ପ୍ରଶଂସକଙ୍କୁ ବିସ୍ମିତ କରିଛି। ଏପରିକି ବହୁ ପୂର୍ବତନ କ୍ରିକେଟର୍‌ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ଚୟନ ସମିତିକୁ ଏଥିଲାଗି ତୀବ୍ର ସମାଲୋଚନା କରିଛନ୍ତି। ବିବାଦ ବଢ଼ିବା ଦେଖି ଏହି ମାମଲାରେ ଅଗରକର ପାଟି ଖୋଲିଛନ୍ତି। ତାଙ୍କୁ ବାଦ୍ ଦେବାର କାରଣ ଉପରୁ ପରଦା ଉଠାଇଛନ୍ତି। ଗୁରୁବାର ବିଶ୍ବକପ୍ ଦଳ ଘୋଷଣା ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଓ ବିବାଦକୁ ଦୂର କରିବା ଲାଗି ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ରାହୁଲ ବାଦ୍ ପଡ଼ିବା ନେଇ ଅଗରକର କହିଛନ୍ତି, ଆମେ ସମସ୍ତେ ଜାଣିଛେ ରାହୁଲ ଜଣେ ଚମତ୍କାର ଖେଳାଳି। ହେଲେ ଆମକୁ ମଧ୍ୟକ୍ରମରେ ବଡ଼ ବଡ଼ ସଟ୍ ଖେଳିପାରୁଥିବା ଖେଳାଳି ଦରକାର ଥିଲା। ରାହୁଲ ଶୀର୍ଷକ୍ରମରେ ଖେଳନ୍ତି, ପୁଣି ସଞ୍ଜୁ ସାମସନଙ୍କର ତଳେ ବ୍ୟାଟିଂ କରିବାକୁ ଆସି ବିସ୍ଫୋରକ ବ୍ୟାଟିଂ କରିବାର ଦକ୍ଷତା‌ ରହିଛି। ଏଣୁ ରାହୁଲଙ୍କ ପରିବର୍ତ୍ତେ ସଞ୍ଜୁଙ୍କୁ ଦଳରେ ନେବାକୁ ବାଧ୍ୟ ହେଲୁ। ସେହିଭଳି ଯଦି ହାର୍ଦିକ ପାଣ୍ଡ୍ୟା ଫିଟ୍ ଅଛନ୍ତି, ତାହେଲେ ତାଙ୍କର କୌଣସି ବିକଳ୍ପ ନାହିଁ। ଏହି କାରଣରୁ ଚଳିତ ଆଇପିଏଲ୍‌ରେ ଖରାପ କରିବା‌ ସତ୍ତ୍ବେ ତାଙ୍କୁ ଆମେ ଦଳରେ ରଖିଛୁ। ରିଙ୍କୁ ବାଦ୍ ପଡ଼ିବା ଦୁର୍ଭାଗ୍ୟଜନକ। ଶୁବମନ ଗିଲ୍ ମଧ୍ୟ କିଛି ଭୁଲ୍ କରି ନାହାନ୍ତି। ହେଲେ ଅଧିକ ସ୍ପିନ୍‌ ବିକଳ୍ପ ଲାଗି ଏମାନଙ୍କୁ ୧୫ ଜଣିଆ ଦଳରେ ରଖିବା ସମ୍ଭବ ହେଲାନି।

ରୋହିତ କହିଛନ୍ତି, ଆମେରିକାରେ ପିଚ୍‌ ‌କିଭଳି ବ୍ୟବହାର କରିବ ଆମେ ଜାଣିନୁ। ୱେଷ୍ଟଇଣ୍ଡିଜ୍‌ର ବିଭିନ୍ନ ସ୍ଥାନରେ ଆମେ ଖେଳିସାରିଛୁ। ତେଣୁ ପିଚ୍‌ ଓ ବିପକ୍ଷ ଦଳକୁ ଦେଖିବା ପରେ ଆମକୁ ଚୂଡ଼ାନ୍ତ ଖେଳାଳି ଚୟନ କରିବାକୁ ପଡ଼ିବ। ତଥାପି ଆମେ ଦଳରେ ଆକ୍ରମଣାତ୍ମକ ଖେଳିପାରୁଥିବା ମଧ୍ୟମକ୍ରମ ଖେଳାଳିଙ୍କ ଉପରେ ଅଧିକ ଧ୍ୟାନ ଦେଉଛୁ। କାରଣ ଶୀର୍ଷକ୍ରମ ଯେଉଁଭଳି ଭାବେ ଆକ୍ରମଣାତ୍ମକ ଖେଳିଆସୁଛନ୍ତି, ସେଥିରେ କୌଣସି ସମସ୍ୟା ନାହିଁ। ତେଣୁ ମଧ୍ୟକ୍ରମରେ ମଧ୍ୟ ସେଭଳି ଜଣେ ଖେଳାଳି ରଖିବାକୁ ଆମେ ଚାହୁଛୁ। ଯିଏକି ବୋଲରଙ୍କୁ ଖାତିର ନକରି ସ୍ବାଧୀନ ଭାବେ ସଟ୍‌ ଖେଳିପାରିବେ। ଏହି ସ୍ଥାନ ପାଇଁ ଶିବମ୍‌ ଦୁବେ ଉପଯୁକ୍ତ ବୋଲି ଆଇପିଏଲ୍‌ରେ ପ୍ରମାଣ ଦେଇଥିବା ରୋହିତ କହିଛନ୍ତି। ସେହିପରି ଦଳରେ ୪ ସ୍ପିନରଙ୍କୁ ନିଆଯିବା ସଂକ୍ରାନ୍ତରେ ସେ କହିଛନ୍ତି, ଆମେ ଦଳରେ ୪ଜଣ ସ୍ପିନରଙ୍କୁ ନେବାକୁ ଚାହୁଥିଲୁ। ସେଥିମଧ୍ୟରୁ ଦୁଇଜଣ ଅଲରାଉଣ୍ଡର ଭୂମିକାରେ ରହିବେ ଓ ଅନ୍ୟ ଦୁଇ ଜଣ ଆକ୍ରମଣାତ୍ମକ ସ୍ପିନ୍‌ ପକାଇବେ। ଯାହାକି ଦଳକୁ ସନ୍ତୁଳନ ଦେବ। ପ୍ରତିପକ୍ଷ ଅନୁସାରେ କିଏ ‌ଏକାଦଶରେ ‌ଖେଳିବ, ତାହା ନିଷ୍ପତ୍ତି ନିଆଯିବ ବୋଲି ରୋହିତ ପ୍ରକାଶ କରିଛନ୍ତି। ତାଙ୍କ ସହ ବିରାଟ କୋହଲି ପାଳି ଆରମ୍ଭ କରିବାର ସଙ୍କେତ ମଧ୍ୟ ସେ ଦେଇଛନ୍ତି।

ଭାରତ ଫେଭରିଟ୍‌: ସାଙ୍ଗାକାରା

ନୂଆଦିଲ୍ଲୀ: ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଟ୍ରଫି ଜିତିବା ପାଇଁ ପ୍ରଥମ ଦାବିଦାର ବୋଲି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ରାଜସ୍ଥାନ ରୟାଲ୍ସର କ୍ରିକେଟ୍‌ ନିର୍ଦ୍ଦେଶକ କୁମାର ସାଙ୍ଗାକାରା କହିଛନ୍ତି। ଭାରତର ସନ୍ତୁଳିତ ଦଳକୁ ସେ ପ୍ରଶଂସା କରିବା ସହିତ ମଜବୁତ୍‌ ବ୍ୟାଟିଂକ୍ରମ, ଦକ୍ଷ ଅଲରାଉଣ୍ଡର ଓ ଶୀର୍ଷ ଶ୍ରେଣୀୟ ସ୍ପିନ୍‌ ଆକ୍ରମଣକୁ ନେଇ ଭାରତୀୟ ଦଳ ଅଧିକ ମଜବୁତ୍‌ ଅଛି। ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ର ସ୍ଥିତି ଅନୁସାରେ ଭାରତ ପାଖରେ ପ୍ରତ୍ୟେକ ସ୍ଥାନ ପାଇଁ ବିକଳ୍ପ ରହିଛନ୍ତି। ପରିସ୍ଥିତି ଅନୁସାରେ ଖେଳାଳିମାନଙ୍କୁ ବଦଳ କରାଯିବା ଭଳି ନମନୀୟତା ଏହି ଦଳରେ ରହିଛି। ଏଥିସହିତ ଗଭୀର ବ୍ୟାଟିଂ ଲାଇନ୍‌ ଥିବା ବେଳେ ବୋଲିଂ ବାହିନୀ ଅଧିକ ଶକ୍ତ ହୋଇଛି। ତେଣୁ ପରିସ୍ଥିତି ଅନୁଯାୟୀ କେଉଁ ମ୍ୟାଚ୍‌ରେ ଏକାଦଶ କ’ଣ ହେବ ତାହା ରୋହିତ ଓ ରାହୁଲ୍‌ ଭଲଭାବେ ଜାଣିଛନ୍ତି ବୋଲି ସାଙ୍ଗାକାରା କହିଛନ୍ତି। ଭାରତୀୟ ଦଳରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଂଜୁ ସାମସନ୍‌, ଯଶସ୍ବୀ ଜୟସ୍ବାଲ୍‌ ଓ ୟୁଝବେନ୍ଦ୍ର ଚହଲ ସ୍ଥାନ ପାଇଛନ୍ତି। ଆୱେସ୍‌ ଖାନ୍‌ ସଂରକ୍ଷିତ ଖେଳାଳି ଭାବେ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର