ନ୍ୟୁୟର୍କରେ ପହଞ୍ଚିଲା ଉଠା ପିଚ୍‌

ନ୍ୟୁୟର୍କ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବ୍ୟବହାର ହେବାକୁ ଥିବା ଉଠା ପିଚ୍‌କୁ ସେମି ଟ୍ରଲର ଟ୍ରକ୍‌ ମାଧ୍ୟମରେ ଫ୍ଲୋରିଡାରୁ ନ୍ୟୁୟର୍କକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ଖେଳାଯିବାକୁ ଥବା ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ଜୁନ୍‌ ୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍‌ ଖେଳାଯିବ। ବିଶ୍ବକପ୍‌ ପାଇଁ ଫ୍ଲୋରିଡାରେ ୧୦ଟି ଉଠା ପିଚ୍‌ ପ୍ରସ୍ତୁତ କରାଯାଇଥିଲା। ଅଷ୍ଟ୍ରେଲିଆର ଆଡିଲେଡ୍‌ ଓଭାଲ୍‌ରେ ବ୍ୟବହାର ହେଉଥିବା ପିଚ୍‌ର ଜ୍ଞାନ କୌଶଳକୁ ଏଠାରେ ପ୍ରୟୋଗ କରାଯାଇଥିବା ଆଇସିସି ପକ୍ଷରୁ କୁହାଯାଇଛି।

ଏପରିକି ଆଡିଲେଡ୍‌ର କ୍ୟୁରେଟର୍‌ ଡାମିଏନ୍‌ ହଫ୍‌ଙ୍କ ନେତୃତ୍ବରେ ପିଚ୍‌ ଗୁଡ଼ିକ ନିର୍ମାଣ କରାଯାଇଥିବା କୁହାଯାଇଛି। ଏହି ୧୦ ପିଚ୍‌ ମଧ୍ୟରୁ ୪ଟି ନସାଉ ଷ୍ଟାଡିୟମ୍‌ରେ ଅବସ୍ଥାପିତ କରାଯିବ ଓ ଅନ୍ୟ ୬ଟି ପିଚ୍‌ ଅଭ୍ୟାସ ପାଇଁ ଉପଲବ୍ଧ ହେବ। ଆଡିଲେଡ୍‌ କ୍ୟୁରେଟର୍‌ଙ୍କ ଟିମ୍‌ ନ୍ୟୁୟର୍କରେ ସ୍ଥାନୀୟ ପଡ଼ିଆ କର୍ମଚାରୀଙ୍କୁ ଏହାର ରକ୍ଷଣାବେକ୍ଷଣ ସଂକ୍ରାନ୍ତରେ ତାଲିମ ଦେବେ। ନୂତନ ଭାବେ ନିର୍ମାଣ କରାଯାଇଥିବା ନସାଉ ଷ୍ଟାଡିୟମ୍‌ରେ ୩୪ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଠାରେ ଭାରତ ସମେତ, ପାକିସ୍ତାନ, ଶ୍ରୀଲଙ୍କା, କାନାଡା, ଆୟର୍ଲାଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ୍‌ସ ଓ ଆମେରିକା ଲିଗ୍‌ ପର୍ଯ୍ୟାୟରେ ଖେଳିବେ। ଏହି ଷ୍ଟାଡିୟମ୍‌ରେ ଜୁନ୍‌ ୩ ତାରିଖରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର