ଅଢ଼େଇ ବର୍ଷ ପରେ ଫେରାର ଆସାମୀ ଗିରଫ

ହାଉସିଂ ବୋର୍ଡ ବସ୍ତି ଡବଲ୍‌ ମର୍ଡର ଘଟଣାର ପର୍ଦାଫାସ୍‌

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ନିକଟ ରାଧାକୃଷ୍ଣ ଲେନ ଆଦିବାସୀ ବସ୍ତିରେ ଘଟିଥିବା ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ସଫଳତା ମିଳିଛି। ପ୍ରାୟ ଅଢ଼େଇ ବର୍ଷ ପରେ ପୁଲିସ ଏହି ହତ୍ୟାକାଣ୍ଡର ପର୍ଦାଫାସ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ଗୋପାଳ ବେସ୍ରା (୪୨)। ତାକୁ ପୁଲିସ ଜଟଣୀ ଥାନା ଅନ୍ତର୍ଗତ ପ୍ରଧାନ ସାହି ଅଞ୍ଚଳରୁ ଗିରଫ କରିଛି। ଆଜି ସଂଧ୍ୟାରେ ତାକୁ କୋର୍ଟଚାଲାଣ କରାଯାଇଛି। ଗୋପାଳ ତାର ଜଣେ ବନ୍ଧୁ ଧାକୁଡ଼ ସିଂହ ଓ ସ୍ତ୍ରୀ ମାକୁଡ଼ ସିଂହକୁ କୁରାଢ଼ି ବେଣ୍ଟରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟା ସମୟରେ ସେହି ବସ୍ତିର ଜଣେ ମହିଳା ଦୁଲୀ ଟୁଡ଼ୁ ଏହା ଦେଖିଦେବାରୁ ଗୋପାଳ ତାଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ଗୋପାଳ ଫେରାର୍‌ ହୋଇଯାଇଥିଲା। ପୁଲିସ ବହୁ ଖୋଜାଖୋଜି କରିଥିଲେ ହେଁ ତାର ପତ୍ତା ପାଇ ନଥିଲା। ତେବେ କିଛି ଦିନ ହେଲା ସେ ଜଟଣୀ ଥାନା ଅନ୍ତର୍ଗତ ପ୍ରଧାନସାହି ଅଞ୍ଚଳରେ ରହୁଥିବା ନେଇ ପୁଲିସ ସୂଚନା ପାଇଥିଲା। ଆଜି ପୁଲିସ ସେଠାରେ ଚଢ଼ଉ କରି ଗୋପାଳକୁ ଗିରଫ କରିଥିଲା।

କାହିଁକି ଘଟିଥିଲା ହତ୍ୟାକାଣ୍ଡ
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋପାଳ ମୃତ ମାକୁଡ଼ ସିଂହଙ୍କୁ ପୂର୍ବରୁ ବିବାହ କରିଥିଲା। ତେବେ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ମାକୁଡ଼ ଗୋପାଳଙ୍କ ବନ୍ଧୁ ଧାକୁଡ଼ଙ୍କୁ ବିବାହ କରିଥିଲେ। ଗୋପାଳ ଓ ମାକୁଡ଼ ପୂର୍ବଭଳି ପରସ୍ପର ସହ ମିଳାମିଶା, କଥାବାର୍ତା କରୁଥିଲେ। କିନ୍ତୁ ଏହାକୁ ନେଇ ଗୋପାଳ ଭିତରେ ଭିତରେ ଅସନ୍ତୁଷ୍ଟ ଥିଲା। କୌଣସି କାରଣରୁ ଏହି ଅସନ୍ତୋଷ ଉଗ୍ରରୂପ ନେବାରୁ ଗତ ୨୦/୧/୨୦୧୬ରେ ଗୋପାଳ ଏହି ଜଘନ୍ୟ କାଣ୍ଡ ଘଟାଇଥିବା କୁହାଯାଉଛି। ପତି-ପତ୍ନୀଙ୍କୁ ପିଟି ପିଟି ହତ୍ୟା କଲାବେଳେ ସେହି ବସ୍ତିର ଦୁଲି ଏହି ଘଟଣା ଦେଖିଦେବାରୁ ସେ ତାଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର କରି ଦେଇଥିଲା।

ଗୋପାଳକୁ କେହି ଚିହ୍ନି ପାରୁ ନଥିଲେ
ପତି-ପତ୍ନୀଙ୍କୁ ହତ୍ୟା କରିବା ପରେ ଗୋପାଳ ରାଜ୍ୟ ବାହାରକୁ ଫେରାର୍‌ ହୋଇଯାଇଥିଲା। ମୋବାଇଲ୍‌ ବ୍ୟବହାର କରୁନଥିବାରୁ ପୁଲିସ୍‌ ତାକୁ ଟ୍ରାକିଂ କରିପାରୁନଥିଲା। ଆନ୍ଧ୍ରପ୍ରଦେଶରେ ବର୍ଷେ ଦାଦନ ଖଟିବା ପରେ ମୟୂରଭଞ୍ଜ ଫେରି ସେ ଜଣେ ବନ୍ଧୁଙ୍କ ଘରେ କିଛି ଦିନ ଆଶ୍ରୟ ନେଇଥିଲା। ପରେ ରୋଜଗାର ପାଇଁ ସେ ଜଟଣୀ ପ୍ରଧାନ ସାହି ନିକଟରେ ଥିବା ଏକ ବସ୍ତିକୁ ଚାଲି ଆସିଥିଲା। ନିଶ ଓ କେଶ କାଟିବା ସହ ନିଜ ନାମ ପରିବର୍ତନ କରି ଦେଇଥିଲା। ରାଜମିସ୍ତ୍ରି କାମ କରୁଥିଲା। ଫଳରେ ତାର ପ୍ରକୃତ ନାମ କିମ୍ବା ପରିଚୟ କେହି ଜାଣିପାରୁ ନଥିଲେ। ଫଳରେ ସେ ଅତି ସହଜରେ ପୁଲିସ୍‌ ଆଖିରେ ଧୂଳି ଦେଇ ଚାଲିଥିଲା।

କେମିତି ଧରାପଡ଼ିଲା
ତତ୍କାଳୀନ ଚନ୍ଦ୍ରଶେଖରପୁର ଆଇଆଇସି ଦେବୀଶଙ୍କରଙ୍କ ବଦଳି ସଂପର୍କରେ ଗୋପାଳ ସୂଚନା ପାଇଥିଲା। ତେଣୁ ବାକିଆ ଟଙ୍କା ଆଦାୟ ପାଇଁ ସେ ଥରେ ରାଧାକୃଷ୍ଣ ବସ୍ତିକୁ ଆସିଥିଲା। ଏ ସଂପର୍କରେ ପୁଲିସ୍‌ ଜାଣିବାକୁ ପାଇଥିଲା। ତେବେ ଗୋପାଳ କେଉଁଠାରେ ରହୁଛି, ଜାଣିବା ପାଇଁ ପୁଲିସ ତା’ ପଛରେ କିଛି ଖବରିଙ୍କୁ ଲଗାଇ ଦେଇଥିଲା। ଗୋପାଳ ଜଟଣୀ ହାଟରେ ବୁଲାବୁଲି କରୁଥିବା ଖବରିଙ୍କଠାରୁ ସୂଚନା ପାଇ ଚନ୍ଦ୍ରଶେଖରପୁର ପୁଲିସ୍‌ ସାଦା ପୋଷାକରେ ସେଠାରେ ପହଞ୍ଚି ତା’ ଘର ଠାବ କରିଥିଲା। ଉକ୍ତ ବ୍ୟକ୍ତିଜଣଙ୍କ ଗୋପାଳ ବୋଲି ପୁଲିସ ଶତପ୍ରତିଶତ ନିଶ୍ଚିତ ହେବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ତା’ ଘର ଉପରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର