ଭୁବନେଶ୍ୱର : ଏଥର ରାଜ୍ୟର ୧୨ଟି ଜିଲ୍ଲାରୁ ତୈଳବୀଜ ଓ ଡାଲିଜାତୀୟ ଶସ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ମାଧ୍ୟମରେ ସଂଗ୍ରହ କରାଯାଉଛି। ଏହି ସଂଗ୍ରହ ଦାୟିତ୍ୱ ମାର୍କଫେଡ୍କୁ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କୃଷି ବିଭାଗ ସୂଚନାନୁସାରେ ରାଜ୍ୟର କଟକ, ପୁରୀ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମାଲକାନଗିରି, ଜଗତ୍ସିଂହପୁର, ଖୋର୍ଧା, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାରୁ ପ୍ରାଥମିକ କୃଷି ସମବାୟ ସମିତି, ନିୟନ୍ତ୍ରିତ ବଜାର କମିଟି, ଲ୍ୟାମ୍ପ୍ସ ଦ୍ୱାରା ଚାଷୀମାନଙ୍କଠାରୁ ଡାଲିଜାତୀୟ ଓ ତୈଳବୀଜ ଶସ୍ୟ କିଣାଯାଉଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ପାଇଁ କେନ୍ଦ୍ର ସରକାର ଏଫ୍ଏକ୍ୟୁ ମାନର ହରଡ଼ କ୍ୱିଣ୍ଟାଲ୍ ପିଛା ୫୪୫୦ ଟଙ୍କା, ମୁଗ କ୍ୱିଣ୍ଟାଲ୍ ପିଛା ୫୫୭୫ ଟଙ୍କା, ଚିନାବାଦାମ କ୍ୱିଣ୍ଟାଲ୍ ପିଛା ୪୪୫୦ ଟଙ୍କା ଓ ସୂର୍ଯ୍ୟମୁଖୀ ମଞ୍ଜି କ୍ୱିଣ୍ଟାଲ୍ ପିଛା ୪୧୦୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି। ଗତ ୨୨ ଦିନ ଭିତରେ ୧୦୩୫ ଟନ୍ ସାମଗ୍ରୀ କିଣାଯାଇଛି। ଆସନ୍ତା ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ।