ଭୁବନେଶ୍ୱର: ବିଶିଷ୍ଟ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ୯୨ତମ ଜନ୍ମୋତ୍ସବ ‘ଜୀବେମ ଶରଦଃ ଶତମ୍’ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ତୀରତରଙ୍ଗ’ ପକ୍ଷରୁ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ‘ପୌରୁଷ’ର ସମ୍ପାଦକ ତଥା ବିଶିଷ୍ଟ କଥାକାର ଅସିତ ମହାନ୍ତି କହିଥିଲେ, ଅଚ୍ୟୁତାନନ୍ଦ ପତି ହେଉଛନ୍ତି ମାଟିର ମଣିଷ। ସେ ମାଟିରେ ଘାଣ୍ଟି ହୋଇନାହାନ୍ତି, ମାଟି ନିଷ୍ଠ ହୋଇଛନ୍ତି। ନିଜେ ଶ୍ରୀ ପତି କହିଛନ୍ତି ଯେ ମୁଁ ହୁଏତ ମୂଲିଆ ନୁହେଁ, କିନ୍ତୁ ମୂର୍ତ୍ତିକାର। ମାଟି ମୋର ଉପାଦାନ। ମାଟି ମଣିଷ ମୋର ଶିଳ୍ପ ଓ ତା’ର କଞ୍ଚାମାଲ। ଶ୍ରୀ ମହାନ୍ତି ଆହୁରି କହିଥିଲେ, ଶିକ୍ଷକ ଭାବେ ସେ ଯେପରି ପରିଚିତ, ତାଙ୍କ ଲେଖା ସେମିତି ଲୋକପ୍ରିୟ। କିନ୍ତୁ ଗାଳ୍ପିକ ଭାବେ ଅଚ୍ୟୁତାନନ୍ଦ ପତିଙ୍କ ସାରସ୍ୱତ ସାଧନା ସମ୍ପର୍କରେ ଯେଉଁଭଳି ଭାବେ ଚର୍ଚ୍ଚା ହେବା କଥା, ସେପରି ହୋଇନାହିଁ। ଅନ୍ୟତମ ଅତିଥି ଅଧ୍ୟାପକ ବିଶ୍ୱରଞ୍ଜନ କହିଥିଲେ, ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପର ବିଶେଷତ୍ୱ ହେଲା ସେ ମଣିଷର ଚରିତ୍ର, ପଶୁ, ପକ୍ଷୀ, ସମାଜର ଦଳିତ ଓ ନିରୀହ ଲୋକଙ୍କ ସ୍ୱର ତାଙ୍କ ଗଳ୍ପରେ ସ୍ଥାନ ପାଇଥାଏ। ସେ ତରୁଣମାନଙ୍କୁ ମଧ୍ୟ ପଢ଼ନ୍ତି ଓ ପ୍ରୋତ୍ସାହନ ଦିଅନ୍ତି। ସେ ତାଙ୍କ ଜୀବନକୁ ଯେପରି ଭାବେ ଦେଖିଛନ୍ତି, ସେହିପରି ଭାବେ ବର୍ଣ୍ଣନା କରିଛନ୍ତି। ଅନ୍ୟତମ ଅତିଥି ଫନୀ ମହାନ୍ତି ଅଚ୍ୟୁତାନନ୍ଦ ପତିଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅଚ୍ୟୁତାନନ୍ଦ ପତିଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ବ୍ୟକ୍ତବିଶେଷ ତାଙ୍କୁ ସମ୍ବର୍ଧିତ କରିଥିଲେ। ଏଥିରେ କଥାକାର କାଳୀଚରଣ ଦାସଙ୍କୁ ‘ଗାଳ୍ପିକ ଆଚ୍ୟୁତାନନ୍ଦ ପତି ଗଳ୍ପ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଶିଳାଲିପି ସାହିତ୍ୟ ଓ ସଂସ୍କୃତି ମଞ୍ଚର ସଭାପତି ସର୍ବେଶ୍ୱର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ତୀରତରଙ୍ଗ’ର ବନ୍ଦନା ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଶେଷରେ ସୁଶୀଲ କୁମାର ସିଂହ ଧନ୍ୟବାଦ ଦେଇଥିଲେ।