ଆର୍ପିଏଫ୍ ଯବାନଙ୍କ ମହାନତା, ତଦନ୍ତ କରି ଶ୍ରମିକକୁ ଫେରାଇଲେ ଟ୍ରେନ୍ରେ ଛାଡ଼ି ଯାଇଥିବା ୨୨ହଜାର ଟଙ୍କା ଥିବା ବ୍ୟାଗ୍
ଥିରୁବନନ୍ତପୁରମ୍: କେରଳରେ ରେଳ ସୁରକ୍ଷା ବଳ (ଆର୍ପିଏଫ୍) ଯବାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ନିଶାଗ୍ରସ୍ତ ହୋଇ ଜଣେ ଶ୍ରମିକ ଭୁଲବଶତଃ ନିଜ ବଗି ଛାଡ଼ି ଅନ୍ୟ ବଗିରେ ବସି ପଡ଼ିଥିଲେ । ଯାହାଦ୍ୱାରା ସାଥିରେ ଥିବା ୨୨ହଜାର ଟଙ୍କାର ବ୍ୟାଗ୍ ମଧ୍ୟ ସେ ଟ୍ରେନ୍ରେ ଛାଡ଼ି ଆସିଥିଲେ । ପରେ ନିଜ ଭୁଲ ଜାଣି ପାରି ସେ ଆର୍ପିଏଫ୍ ଯବାନଙ୍କୁ ସବୁ ଜଣାଇବା ପରେ ୩ଦିନ ମଧ୍ୟରେ ତାଙ୍କୁ ତାଙ୍କ ୨୨ହଜାର ଟଙ୍କା ଥିବା ବ୍ୟାଗ୍ ଖୋଜି ଦେଇଥିଲେ ଆର୍ପିଏଫ୍ ଯବାନ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଦୁଇ ମାସରେ ଥରେ ମଦୁରାଇରେ ଥିବା ନିଜ ଘରକୁ ବୁଲି ଆସନ୍ତି ଭି ମହାଲିଙ୍ଗନ । ଡ଼ିସେମ୍ବର ୩ରେ ସେ ୨୨ହଜାର ଟଙ୍କା ଧରି ଚଙ୍ଗନାଚେରୀରୁ ତିରୁବନନ୍ତପୁରମ୍ ଯାତ୍ରା କରୁଥିଲେ । ଟ୍ରେନ୍ଟି କାୟାମକୁଲମରେ ପହଞ୍ଚିବା ପରେ ମହାଲିଙ୍ଗନ ଟ୍ରେନ୍ରୁ ଓହ୍ଲାଇ ମଦ ପିଇବା ପାଇଁ ଚାଲିଯିବା ସହ ନିଶାରେ ଭୁଲ ବଗିରେ ଚଢ଼ି ଯାଇଥିଲେ । ପରେ ସେ ବଗିରେ ନିଜ ବ୍ୟାଗ୍ ନ ପାଇ ଆର୍ପିଏଫ୍ ଯବାନଙ୍କ ପାଖକୁ ସାହାଯ୍ୟ ପାଇଁ ଯାଇଥିଲେ । କିନ୍ତୁ ମହାଲିଙ୍ଗନ ନିଶାରେ ଥିବାରୁ ସେ ବେଶି କିଛି ତଥ୍ୟ ଆର୍ପିଏଫ୍ ଯବାନଙ୍କୁ ଦେଇ ପାଇ ପାରି ନଥିଲେ । ଟ୍ରେନ୍ର ନାମ ଜାଣି ଟୁଟିକୋରିନ୍ରେ ନିଯୁକ୍ତ ଥିବା ଆର୍ପିଏଫ୍ ଯବାନ ଏସ୍ ଶୁବ୍ରମଣ୍ୟମ୍ ବ୍ୟାଗ୍ ଖୋଜିବା ଆରମ୍ଭ କରିଥିଲେ ।
ପଲାକ୍କଡ଼ରୁ ଯାତ୍ରା ଆରମ୍ଭ କରି ତିରୁବନନ୍ତପୁରମ୍ ଦେଇ ଟ୍ରେନ୍ଟି କନ୍ୟାକୁମାରୀ ଯାଉଥିବା ଜାଣିବାକୁ ପାଇଥିଲେ ଆର୍ପିଏଫ୍ ଯବାନ ଏସ୍ ଶୁବ୍ରମଣ୍ୟମ୍ । ଟ୍ରେନ୍ଟି କନ୍ୟାକୁମାରୀରେ ପହଞ୍ଚି ତିରୁନେଭେଲୀ ପାଇଁ ଯାତ୍ରା ଆରମ୍ଭ କରିବା ସହ ବୁଧବାର ଟ୍ରେନ୍ଟି ତିରୁନେଭେଲୀରୁ ଟୁଟିକୋରିନ୍ ପାଇଁ ଯାତ୍ରା ଆରମ୍ଭ କରିଥିଲା । ଟୁଟିକୋରିନ୍ରେ ଟ୍ରେନ୍ଟି ପହଞ୍ଚିବା ପରେ ଏସ୍ ଶୁବ୍ରମଣ୍ୟମ୍ ଟ୍ରେନ୍ର ସବୁ ବଗିକୁ ଭଲ ଭାବରେ ଦେଖିବା ପରେ ମହାଲିଙ୍ଗନଙ୍କ ବ୍ୟାଗ୍ ମିଳିଥିଲା ।
ଯାହାଦ୍ୱାରା ହଜିବାରେ ୩ଦିନ ପରେ ମହାଲିଙ୍ଗନଙ୍କଚ ତାଙ୍କ ବ୍ୟାଗ୍ ମିଳିଥିଲା । ଆଜିକାଲି ଅଭିଯୋଗ ପରେ ମାମଲାକୁ ସାଧାରଣ ବୋଲି ଭାବି ଗୁରୁତ୍ୱ ଦେଉ ନଥିବା ବେଳେ ଏସ୍ ଶୁବ୍ରମଣ୍ୟମ୍ଙ୍କ ଏଭଳି କାମ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି ।