ରାମ ମନ୍ଦିର ନିର୍ମାଣ ସ୍ଲୋଗାନ୍ ଯୋଗୁଁ ଭାଷଣ ବନ୍ଦ କଲେ ରାଜନାଥ
ଲକ୍ଷ୍ନୌ: ଗୃହମନ୍ତ୍ରୀ ରାଜନାଥ ସିଂହ ରବିବାର ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କିଛି ଲୋକ ରାଜନାଥଙ୍କ ଭାଷଣରେ ବାଧା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ରାଜନାଥ ତାଙ୍କ ଭାଷଣ ରଖିବା ସମୟରେ ଅନେକ ସଂଖ୍ୟାରେ ଅଂଶଗ୍ରହଣକାରୀ ରାମ ମନ୍ଦିର ନିର୍ମାଣ ଦାବିରେ ସ୍ଲୋଗାନ୍ ଦେଇଥିଲେ। ଖୁବ୍ ଜୋର୍ ପାଟିକରି ସେମାନେ କହିଥିଲେ ଯେ ଯିଏ ମନ୍ଦିର ନିର୍ମାଣ କରିବ ଆମେ ତାକୁ ହିଁ ଭୋଟ୍ ଦେବୁ। ସ୍ଲୋଗାନ୍ ବନ୍ଦ ନହେବାରୁ ରାଜନାଥ ୫ ମିନିଟ୍ ପର୍ଯ୍ୟନ୍ତ ଭାଷଣ ବନ୍ଦ କରି ସେମାନଙ୍କୁ ରାମ ମନ୍ଦିର ନିର୍ମାଣ ହେବ ବୋଲି ଆଶ୍ବାସନା ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ: ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ହିନ୍ଦୁ ସଂଗଠନ ମୋଦୀ ସରକାରଙ୍କ ଉପରେ ଚାପ ପକାଉଥିବା ବେଳେ ସୁପ୍ରିମ୍ କୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଆସନ୍ତା ଜାନୁଆରି ୪ରେ ହେବାକୁ ଯାଉଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ବିଚାରପତି ଜଷ୍ଟିସ୍ ଏସ୍ କେ କୌଲଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବା ନେଇ ଚୂଡ଼ାନ୍ତ ହୋଇଛି। ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ହୋଇଥିବା ପ୍ରାୟ ୧୪ ଆବେଦନର ବିଚାର କରାଯିବ। ଖଣ୍ଡପୀଠ ଏଥିପାଇଁ ବିଧିବଦ୍ଧ ଭାବେ ଶୁଣାଣି ଆରମ୍ଭ ଲାଗି ଏକ ତିନିଜଣିଆ ଖଣ୍ଡପୀଠ ଗଠନ କରିପାରନ୍ତି ବୋଲି ଆଶା କରାଯାଉଛି।
ଅଯୋଧ୍ୟା ଜମି ବିବାଦ ମାମଲାର ଶୀଘ୍ର ସମାଧାନ କରି ରାମ ମନ୍ଦିର ନିର୍ମାଣ କରିବାକୁ ଚାହୁଥିବା ମୋଦୀ ସରକାର ସୁପ୍ରିମ୍ କୋର୍ଟରେ ନିଜ ପକ୍ଷ ରଖିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ସେପ୍ଟେମ୍ବର ୨୭ରେ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମ୍ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ଏଥିସହ ମସ୍ଜିଦ୍ ଇସ୍ଲାମର ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ୧୯୯୪ରେ ସୁପ୍ରିମ୍ କୋର୍ଟ ଯେଉଁ ରାୟ ଦେଇଥିଲେ ତାହାର ପୁନର୍ବିଚାର ନ କରିବାକୁ ଖଣ୍ଡପୀଠ କହିଥିଲେ। ଏହାବ୍ୟତୀତ ମାମଲାକୁ ବୃହତ୍ ବା ୫ ଜଣିଆ ସମ୍ବିଧାନ ଖଣ୍ଡପୀଠଙ୍କ ନିକଟକୁ ପଠାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ କହିଥିଲେ। ଏହାଦ୍ବାରା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ରାସ୍ତା ପରିଷ୍କାର ହୋଇଯାଇଥିଲା। ସୁପ୍ରିମ୍ କୋର୍ଟ ଏକ ତିନିଜଣିଆ ଖଣ୍ଡପୀଠ ଗଠନ କରି ମାମଲାର ସମାଧାନ ପାଇଁ କହିଥିଲେ।
ସୁପ୍ରିମ୍ କୋର୍ଟଙ୍କ ଏଭଳି ରାୟ ପରେ ହିନ୍ଦୁ ସଂଗଠନଗୁଡ଼ିକର ଦୀର୍ଘଦିନର ରାମ ମନ୍ଦିର ନିର୍ମାଣ ଦାବି ପୁଣି ତେଜିଛି। ସହଯୋଗୀ ଦଳଗୁଡ଼ିକ ମୋଦୀ ସରକାରଙ୍କ ଉପରେ ପ୍ରବଳ ଚାପ ପକାଇ ଚାଲିଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ସଂସଦର ଚଳିତ ଶୀତ ଅଧିବେଶନରେ ଅଧ୍ୟାଦେଶ ଆଣିବା ଲାଗି ମଧ୍ୟ ଆର୍ଏସ୍ଏସ୍, ବିଶ୍ବ ହିନ୍ଦୁ ପରିଷଦ, ସନ୍ଥ ସମାଜ ଭଳି ବହୁ ହିନ୍ଦୁ ସଂଗଠନ ଦାବି କରିଛନ୍ତି। ତେଣୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମ୍ କୋର୍ଟରେ ନିଜ ଯୁକ୍ତିକୁ ଉଚିତ ଢଙ୍ଗରେ ଉପସ୍ଥାପନ କରି ରାମ ମନ୍ଦିର ନିର୍ମାଣ ରାସ୍ତା ସଫା କରିବା ଲାଗି ସରକାରଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି କୁହାଯାଉଛି।