କୋଲକାତା ଯୁବକଙ୍କ ଇନ୍ଷ୍ଟା ପୋଷ୍ଟ ଭାଇରାଲ ହେବା ପରେ ସାମ୍ନାକୁ ଆସିଲା ଦେଶରେ ବେରୋଜଗାରୀର ଚିତ୍ର: ଏମ୍.କମ୍ ପଢ଼ି ହୋଇଛନ୍ତି ଡେଲିଭରି ବଏ
କୋଲକାତା : ଦେଶରେ ବେକାରୀ ସମସ୍ୟା କେତେ ତାହା ସମସ୍ତଙ୍କୁ ଜଣା । ବଡ଼ ବଡ଼ ଡିଗ୍ରିଧାରୀମାନେ ଦିନ ମଜୁରିଆ ଭାବରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଘଟଣା ଭାରତରେ କିଛି ନୂଆ ନୁହେଁ । ଗତ କିଛି ବର୍ଷ ମଧ୍ୟରେ ଦେଶରେ ବେରୋଜଗାରୀ ସମସ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଅଧିକ ପାଠ ପଢ଼ି ମଧ୍ୟ ଚାକିରି ମିଳୁ ନ ଥିବାରୁ ଯୁବକ-ଯୁବତୀମାନେ ଛୋଟ ମୋଟ କାମ କରିବାକୁ ବାଧ୍ୟ ହେଉଛନ୍ତି । ଯାହାର ଏକ ଉଦାହରଣ କୋଲକାତାରେ ଦେଖିବାକୁ ମିଳିଛି । କୋଲକାତାରେ ରହୁଥିବା ସୌଭିକ୍ ଦତ୍ତା ନାମକ ଜଣେ ଯୁବକ ଇନ୍ଷ୍ଟାରେ ଏକ ପୋଷ୍ଟ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ଫଟୋ ପୋଷ୍ଟ କରି, ପ୍ରତିଦିନ ଭଳି ମୁଁ ଖାଇବା ଅର୍ଡର କରୁଥିବା ବେଳେ ଜଣେ ଡେଲିଭରି ବଏଙ୍କ ପ୍ରୋଫାଇଲ ମୋ ଆଖି ଆଗକୁ ଆସିଥିଲା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖି ମୁଁ ଚମକି ପଡ଼ିଥିଲି । ତାଙ୍କ ନାଁ ମୀରଜ ଥିବା ବେଳେ ସେ ଏମକମ୍ କରିଥିବା ମୁଁ ଦେଖିଥିଲି । ଏହା ସହ ସେ ଉଭୟ ହିନ୍ଦୀ ଏବଂ ବେଙ୍ଗାଲି ଭାଷାରେ କଥା ହୋଇ ପାରନ୍ତି ବୋଲି ଲେଖା ଯାଇଥିଲା । ଏତେ ପାଠ ପଢ଼ି ମଧ୍ୟ କୌଣସି ଚାକିରି ନ ମିଳିବାରୁ ମୀରଜ ବାଧ୍ୟ ହୋଇ ଡେଲିଭରି ବଏ ହୋଇଥିବା ବେଳେ ତାଙ୍କର ଏହି କାହାଣୀ ଦେଶର ବେକାରୀ ସମସ୍ୟା କେତେ ତାହା ଦେଖାଇଛି । ଦେଶ ଏବଂ ରାଜ୍ୟ ବଦଳିବା ଦରକାର । ଚାକିରି ସୃଷ୍ଟି ହେବା ନିହାତି ଆବଶ୍ୟକ । ଆମେ ଏବେ କଠିନ ସମୟ ଦେଇ ଗତି କରୁଛେ । ଯାହା ବଦଳିବା ଦରକାର ବୋଲି ଲେଖିଥିଲେ ସୌଭିକ୍ । କିଛି ଦିନ ତଳେ ଏମ୍ବିଏ, ବି.ଟେକ୍ ଏବଂ ଏମ୍ଟେକ୍ କରିଥିବା ଯୁବକମାନେ ଝାଡ଼ୁଦାର କାମ କରୁଥିବା ସାମ୍ନାକୁ ଆସିଥିଲା ।