୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଧଉଳି ଥାନା ଏସ୍ଆଇ

ଧଉଳି: ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କଟକ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି ଧଉଳି ଥାନା ସବ୍‌-ଇନ୍ସପେକ୍ଟର ପ୍ରଦୀପ ମହାଲ। ଭିଜିଲାନ୍ସ ଅଧିକାରୀମାନେ ପ୍ରଦୀପଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ରା‌ସାୟନିକ ପ୍ରଲେପ ବୋଳା ଉକ୍ତ ୩୦ ହଜାର ଟଙ୍କା ମଧ୍ୟ ଜବତ କରିଛନ୍ତି। ସୂଚନାନୁଯାୟୀ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବେରବୋଇ ଗ୍ରାମ ଜ୍ୟୋତିରଂଜନ ପାଣି ବର୍ଷକ ତଳେ ତାଙ୍କ ମା’ଙ୍କ ନାଁରେ ଧଉଳି ଥାନା ଅଧୀନ ସରଦେଇପୁର ଅଞ୍ଚଳରେ ଜମି କିଣିବା ପାଇଁ ଦଲାଲଙ୍କ ସହାୟତାରେ ଜଣେ ବିଲ୍‌ଡରଙ୍କୁ ୩ଟି ଚେକ ପ୍ରଦାନ କରିଥିଲେ। ପରେ ଚେକ୍‌କୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ଜ୍ୟୋତି ଓ ସଂପୃକ୍ତ ବିଲ୍‌ଡର ଥାନାର ଦ୍ବାରସ୍ଥ ହୋଇଥିଲେ। ଜ୍ୟୋତିଙ୍କ ବିରୋଧରେ ବିଲ୍‌ଡର ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଏସ୍‌ଆଇ ପ୍ରଦୀପ ଥାନାକୁ ଡକାଇ ତାଙ୍କ ବିରୋଧରେ କୋର୍ଟରେ ମାମଲା ଅଛି କହି ଧମକ ଦେଇଥିବା ଜ୍ୟୋତି କହିଛନ୍ତି। ଜ୍ୟୋତି ଧଉଳି ଥାନା ପୁଲିସ ଉପସ୍ଥିତିରେ ଦୁଇଟି ପର୍ଯ୍ୟାୟରେ ବିଲ୍‌ଡରଙ୍କୁ ୨୨ ଲକ୍ଷ ୫୦ ହଜାର ଟଙ୍କା ଦେଇ ଜମି କିଣିଥିଲେ ମଧ୍ୟ ପରେ ସେ ତାଙ୍କୁ ପଜେସନ୍‌ ଦେଇ ନଥିଲେ। ଏପରିକି ତାଙ୍କ ଚେକ ଫେରାଇ ନଥିଲେ କି ଜମି କାଗଜପତ୍ର ହସ୍ତାନ୍ତର କରି ନଥିଲେ। ଏ ନେଇ ଜ୍ୟୋତି କୋର୍ଟରେ କମ୍ପ୍ଲେନ କେସ୍‌ (୧-ସିସି)ରୁଜୁ କରିଥିଲେ ମଧ୍ୟ ପୁଲିସ ଥାନାରେ ମାମଲା ପଞ୍ଜୀକରଣ କରି ନଥିଲା। ମାତ୍ର ସମସ୍ତ ବିବାଦର ସମାଧାନ ପାଇଁ ପ୍ରଦୀପ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଜ୍ୟୋତି ପୁଲିସ ଅଧିକାରୀ ପ୍ରଦୀପଙ୍କୁ ପ୍ରଥମେ ୨୦ ହଜାର ଟଙ୍କା ଦେଇଥିଲେ। ଏହାପରେ ସେ ଏନେଇ କଟକ ଭିଜିଲାନ୍ସ ସେଲରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ପ୍ରଦୀପ ଥାନା ବାହାରେ ଜ୍ୟୋତିଠାରୁ ୩୦ ହଜାର ଟଙ୍କ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ସୂଚନାଯୋଗ୍ୟ ଗତ ୩ ବର୍ଷ ତଳେ ଏହି ଥାନାର ତତ୍କାଳୀନ ଥାନା ଭାରପ୍ରାପ୍ତ ଅଧିକାରୀ ଜଣେ ଅଭିଯୋଗକାରୀଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡ଼ିଥିଲେ।

ସମ୍ବନ୍ଧିତ ଖବର