ଦୀପିକା ପାଦୁକୋନ୍ ଭୟଭୀତ କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କାର୍ଯକ୍ରମରେ ଯୋଗ ଦେବେ ନାହିଁ
ମୁମ୍ବାଇ:ଲୋକପ୍ରିୟ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ବିବାଦୀୟ ସିନେମା ‘ପଦ୍ମାବତୀ’ର ଆଉ ଏକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଥିବା ବଲିଉଡର ହଟ୍ ହିରୋଇନ୍ ଦୀପିକା ପାଦୁକୋନ୍ ତାଙ୍କର ପୂର୍ବ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଗାମୀ ୨୮ ତାରିଖରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ହେଉଛି ଗ୍ଲୋବାଲ୍ ଏଣ୍ଟରପ୍ରେନରସିପ୍ ସମିଟ୍। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ କନ୍ୟା ଇଭାଙ୍କାଙ୍କ ସହ ଦୀପିକା ପାଦୁକୋନ୍ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏବେ ଏଥିରୁ ଦୀପିକା ନିଜର ନାମକୁ ବାଦ୍ ଦେଇଥିବା ଜଣାଯାଇଛି। ଅର୍ଥାତ୍ ଦୀପିକା ପାଦୁକୋନ୍ ଗ୍ଲୋବାଲ୍ ଏଣ୍ଟରପ୍ରେନରସିପ୍ ସମିଟରେ ଅତିଥିଭାବେ ଯୋଗ ଦେବେ ନାହିଁ। ସେ ଏହି ସମ୍ମିଳନୀରେ ‘ହଲିଉଡ ଟୁ ନୋଲିଉଡ ଟୁ ବଲିଉଡ-ଦ ପାଥ୍ ଟୁ ମୁଭି ମେକିଂ’ ଶୀର୍ଷକ ପ୍ରସଙ୍ଗରେ ଭାଷଣ ଦେଇଥାନ୍ତେ। କିନ୍ତୁ‘ପଦ୍ମାବତୀ’ର ବିରୋଧ ଏବଂ ତାଙ୍କ ପ୍ରତି ବିଭିନ୍ନ ସଙ୍ଗଠନର କଡ଼ା ଆଭିମୁଖ୍ୟରେ ଭୟଭୀତ ହୋଇ ଦୀପିକା ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭାର ଯୁବଶାଖାର ବିଶିଷ୍ଟ ନେତା ଭୁବନେଶ୍ୱର ସିଂହ ଘୋଷଣା କରିଛନ୍ତି ଯେ ଯିଏ ଦୀପିକା ପାଦୁକୋନଙ୍କୁ ଜୀବନ୍ତ ଦଗ୍ଧ କରିବ ତାକୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଯେଉଁ ରାଜପୁତ ରାଣୀ ଦେଶ ପାଇଁ ସତୀ ହୋଇ ନିଜେ ନିଆଁରେ ଝାସ ଦେଇଥିଲେ ତାଙ୍କର ଯନ୍ତ୍ରଣା ଅନୁଭବ କରନ୍ତୁ ଦୀପିକା ବୋଲି ସେ ମତ ରଖିଛନ୍ତି। ଖାଲି ସେତିକି ନୁହେଁ ‘ପଦ୍ମାବତୀ’କୁ ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭାର କର୍ମକର୍ତ୍ତାଙ୍କୁ ରିଲିଜ୍ ଆଗରୁ ଦେଖାଇବାକୁ ବି ସେ ଦାବି କରିଛନ୍ତି। ଗତକାଲି ହରିଆନାର ଭା ଜ ପା ମିଡିଆ ସଂଯୋଜକ ମଧ୍ୟ ଅନୁରୂପ ଘୋଷଣା କରି କହିଥିଲେ ଯେ ଯେ କେହି ନିର୍ମାତା -ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମୁଣ୍ଡ କାଟ କରିବ ତାକୁ ୧୦ କୋଟି ଅର୍ଥ ରାଶି ଦିଆଯିବ ।
ପୂର୍ବରୁ ଶ୍ରୀ ରାଜପୁତ କରଣୀ ସେନା ପକ୍ଷରୁ ‘ ପଦ୍ମାବତୀ’ ଭୂମିକା ରେ ଥିବା ଦୀପିକା ପାଦୁକୋନ୍ଙ୍କୁ ଧମକ ଦିଆଯାଇଛି । ଏହି ସଂଗଠନ ପକ୍ଷରୁ ଉକ୍ତ ସିନେମାକୁ ନିଷିଦ୍ଧ ଘୋଷଣା କରିବାକୁ ଦାବି ହୋଇ ଆସୁଛି । ଦୀପିକାଙ୍କୁ ସୁର୍ପଣଖାଙ୍କ ଭଳି ନାକ କାଟି ଦିଆଯିବାର ଧମକ ଦିଆଯିବା ପରେ ମୁମ୍ବାଇରେ ଥିବା ଦୀପିକା ପାଦୁକୋନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣାଯାଇଛି । କରଣୀ ସେନା ମହିପାଲ ସିଂହ ମକରନା କହିଛନ୍ତି ଯେ ଯଦି ‘ ପଦ୍ମାବତୀ’ ର ରିଲିଜ୍ ଉପରେ ରୋକ୍ ଲଗା ନ ଯାଏ ଏବଂ ଦୀପିକା ନିଜର ଅଶାଳୀନ ଟିପ୍ପଣୀ ପାଇଁ କ୍ଷମା ନ ମାଗନ୍ତି, ତେବେ ରାମାୟଣରେ ବର୍ଣ୍ଣିତ ସୁର୍ପଣଖାାଙ୍କ ଭଳି ତାଙ୍କର ବି ନାକ କଟାଯିବ । ଉତ୍ତର ପ୍ରଦେଶର କ୍ଷତ୍ରିୟ ସମାଜ ପକ୍ଷରୁ ପଦ୍ମାବତୀ’ ର ନିର୍ଦ୍ଦେଶକ ସଂଜୟ ଭଂସାଲୀ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଯିଏ ମୁଣ୍ଡ କାଟ କରିବ, ତାକୁ ୫ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ସମାଜବାଦୀ ପାର୍ଟି ନେତା ତଥା କ୍ଷତ୍ରିୟ ସମାଜର କର୍ମକର୍ତ୍ତା ଠାକୁର ଅଭିଷେକ ସୋମ୍ ଦୀପିକା ପାଦୁକୋନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି ଯେ ସେ ଦେଶ ଛାଡି ଚାଲି ଯାଆନ୍ତୁ, ଅଥବା ମୁଣ୍ଡକାଟ ଲାଗି ପ୍ରସ୍ତୁତ ରହନ୍ତୁ । ସେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଫିଲ୍ମକୁ ରିଲିଜ୍ ନ କରିବାର ଚେତାବନୀ ଦେବା ସହ, ଯଦି ସେପରି ନ କରନ୍ତି, ତାହାର କୁପରିମାଣ ଭୋଗିବାକୁ ପ୍ରସ୍ତୁତ ରହନ୍ତୁ ବୋଲି କହିଛନ୍ତି ।