ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ : ବିଜେଡି-ବିଜେପିରେ ଟିକେଟ୍ ପାଇଁ ଭିଡ଼

ରାଇରଙ୍ଗପୁର,(ଅସୀମ ମହାପାତ୍ର): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ରାଜ‌ନୈତିକ ଛକାପଞ୍ଝା ଆରମ୍ଭ େହାଇଗଲାଣି। ଉଭୟ ବିଜେଡି ଓ ବିଜେପି ଏହି ଆସନକୁ ନିଜ ଦଖଲକୁ ନେବାକୁ ଅଣ୍ଟା ଭିଡିଛନ୍ତି। ପୂର୍ବରୁ ରାଇରଙ୍ଗପୁର ଆସନଟି ବିଜେପି ଦଖଲରେ ଥିଲା। ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ୨୦୦୯ରେ କଂଗ୍ରେସ ଏହି ଆସନକୁ ଦଖଲ କରିଥିଲା।

୨୦୧୪ରେ ପ୍ରଥମ କରି ଏହି ଆସନଟି ବିଜେଡି ହାତକୁ ଯାଇଥିଲା। ସାଇବା ସୁଶିଲ ହାଁସଦା ବିଧାୟକ ଭାବେ ନିର୍ବାଚିତ ହୋଇ ଆସିବା ପରେ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉତ୍ଥାନ ପତନ ଲାଗି ରହିଛି।

ଆଗାମୀ ୨୦୧୯ ନିର୍ବାଚନରେ ଦଳ ସାଇବା ସୁଶିଲଙ୍କୁ ପୁଣି ଥରେ ପ୍ରାର୍ଥୀ କରି ନିର୍ବାଚନୀ ବୈତରଣୀ ପାରି କରିବ କି ନୂଆ ଚେହେରାଙ୍କୁ ଆଣିବ ସେ ନେଇ କର୍ମୀ ଉତ୍କଣ୍ଠାର ସହିତ ଅେପକ୍ଷା କରିଛନ୍ତି। ବିଜେଡି‌ରେ ଆଶାୟୀଙ୍କ ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି। ଆଶାୟୀଙ୍କ ମଧ୍ୟରେ ଜେଏମ୍ଏମରୁ ଆସି ବିଜେଡିରେ ସାମିଲ ହୋଇଥିବା ଜାମଦାର ପୂର୍ବତନ ଅଧ୍ୟକ୍ଷ ତଥା ଜେଏମ୍ଏମ ପୂର୍ବତନ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମାରଣ୍ଡି, ମୟୂରଭଞ୍ଜର ପୂର୍ବତନ ସାଂସଦ ସ୍ବର୍ଗତ ରାମଚନ୍ଦ୍ର ମାଝୀଙ୍କ ପୁଅ କାଶୀନାଥ ହେମ୍ବ୍ରମ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଲେନ୍ ବାର୍ଦ୍ଦା, ସମାଜସେବୀ ପ୍ରବୀର ମାଝୀ, ସମାଜସେବୀ ଗୋପାଲ ଚନ୍ଦ୍ର ବେଶ୍ରା,ସଂସ୍କୃତିବିତ୍ ଗୋବିନ୍ଦ ସୋରେନ ପ୍ରମୁଖ ରହିଛନ୍ତି। ବିଜେଡିରୁ ଏହି ନିର୍ବାଚନ ମଣ୍ଡଳୀରୁ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଗଲେ ତିରିଂ ବ୍ଲକର ଅଧ୍ୟକ୍ଷା ତଥା ଜିଲ୍ଲା ମହିଳା ମୋର୍ଚ୍ଚାର ଉପସଭାପତି ଜେମାମଣି ଶୁଣ୍ଡିଙ୍କ ନାଁ ବିଚାର କରାଯାଇପାରେ।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ୨୦୦୦ ଓ ୨୦୦୪ ମସିହାରେ ବିଜେପିରୁ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ମୟୂରଭଞ୍ଜ ଜିଲ୍ଲାରୁ ରାଇରଙ୍ଗପୁର ଆସନକୁ ଲଗାତାର ମନ୍ତ୍ରୀ ପଦ ମିଳିଆସିଥିଲା। ପରବର୍ତ୍ତୀ ସମୟରେ ଦ୍ରୌପଦୀଙ୍କ ରାଜନୈତିକ ପତିଆରା ହ୍ରାସ ପାଇବା ପରେ ବିଜେପି ନୂଆ ନେତୃତ୍ବକୁ ନେଇ ଯୋଜନା କରୁଥିବା ଜଣାପଡ଼ିଛି।

୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଥିବା ମୋଟ୍ ୮ଗୋଟି ଜିଲ୍ଲା ପରିଷଦ ଆସନରୁ ୭ଟିରେ ବିଜେପି ଜିତିଥିଲା। ମାତ୍ର ଗୋଟିଏ ଆସନ ବିଜେଡି ହାତକୁ ଯାଇଥିଲା। ଏପରିକି, ରାଇରଙ୍ଗପୁର ଓ ଜାମଦା ବ୍ଲକରେ ଅଧ୍ୟକ୍ଷା ପଦକୁ ମଧ୍ୟ ବିଜେପିକୁ ଦଖଲ କରିଥିଲା। ରାଇରଙ୍ଗପୁର ପୌର ପରିଷଦକୁ ବିଜେପି ଦୀର୍ଘ ୨୫ବର୍ଷ ଧରି ନିଜ କ୍ଷମତାରେ ରଖି ଆସିଛି।

୨୦୧୯ ସାଧାରଣ ନିର୍ବାଚନରେ ରାଇରଙ୍ଗପୁର ଆସନରୁ ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ବିଶିଷ୍ଟ ଶ୍ରମିକ ନେତା ତଥା ବିଜେପି ଆଦିବାସୀ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ. ରାମଚନ୍ଦ୍ର ହାଁସଦା ରହିଥିବା ବେଳେ ମ୍ୟୁନିସିପାଲଟିର ପୂର୍ବତନ ପୌରାଧ୍ୟକ୍ଷ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବ ଚରଣ ମାଝୀ, ଯୁବନେତା ଫାଗୁରାମ ମାର୍ଣ୍ଡି, ବିଜୟ କୁମାର ନାଏକ ପ୍ରମୁଖ ଆଶାୟୀ ରହିଛନ୍ତି।

କଂଗ୍ରେସ ଓ ଜେଏମ୍ଏମ୍ ମଧ୍ୟରେ ଆସନ ବୁଝାମଣାର ସମ୍ଭାବନା ଥିବାରୁ ଆଗକୁ ତ୍ରିମୁଖୀ ଲଢ଼େଇର ଇସାରା ମିଳୁଛି। କଂଗ୍ରେସରୁ ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା ଓ ଲକ୍ଷ୍ମଣ ମାଝୀ ପ୍ରମୁଖ ଦାବିଦାରମାନଙ୍କ ମଧ୍ୟରେ ରହିଥିବା ବେଳେ ଜେଏମ୍ଏମରୁ ମଧ୍ୟ ପୁରୁଣା ପ୍ରାର୍ଥୀ ଆଶାୟୀଙ୍କ ମଧ୍ୟରେ ଅଛନ୍ତି। ଉଭୟ ବିଜେଡି ଓ ବିଜେପିରେ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ଆଗକୁ ରାଜନୈତିକ ସମୀକରଣ ଓଲଟପାଲଟ ହେବାର ସମ୍ଭାବନା ବଢ଼ିଚାଲିଛି। ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ପ୍ରମୁଖ ଦଳ ବିଜେଡି ଓ ବିଜେପିରେ ‌ଗୋଷ୍ଠୀ କନ୍ଦଳ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି        ସାଇବା ସୁଶିଲ ହାଁସଦା    ୫୧,୦୬୨
ବିଜେପି        ଦ୍ରୌପଦୀ ମୁର୍ମୁ             ୩୫,୫୦୬
ଜେଏମ୍ଏମ୍   ପୂର୍ଣ୍ଣଚନ୍ଦ୍ର ମାରଣ୍ଡି           ୨୮,୮୩୮
କଂଗ୍ରେସ       ଶ୍ୟାମ ଚରଣ ହାଁସଦା     ୧୯,୦୭୫

ସମ୍ବନ୍ଧିତ ଖବର