ଜଗତସିଂହପୁର ନିର୍ବାଚନମଣ୍ଡଳୀ : ତିର୍ତ୍ତୋଲ ମୁହାଁ ବିଷ୍ଣୁ

ଜଗତସିଂହପୁର ଟାଉନ୍,(ସୋମନାଥ ପରିଡା): ୧୯୯୦ ମସିହାରୁ ୨୦୧୪ ଦୀର୍ଘ ୨୫ ବର୍ଷ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଅପ୍ରତିଦ୍ବନ୍ଦୀ ନେତା ଭାବେ ୫ ଥର ବିଧାୟକ ହୋଇଥିବା ବିଷ୍ଣୁ ଚରଣ ଦାସ ଏବେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ମୁହାଁ। ଗତଥର ପରାଜୟ ବରଣ ପରେ ଏଥର ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଫଳରେ ଗୁରୁତ୍ବପୂର୍ଣ୍ଣ ଜଗତସିଂହପୁର ଆସନରେ ବିଜେଡି ପ୍ରାର୍ଥୀଙ୍କ ତାଲିକା ବଢ଼ିବାରେ ଲାଗିଛି।

ଅନ୍ୟପଟେ ବିଷ୍ଣୁଙ୍କ ବିଜୟ ଧାରାରେ ରୋକ୍ ଲଗାଇଥିବା କଂଗ୍ରେସର ହେଭି୍ୱେଟ୍ ନେତା ଚିରଞ୍ଜୀବ ବିଶ୍ୱାଳ ପୁଣି ଥରେ କ୍ଷମତା ଦଖଲ ପାଇଁ ପାଗ ଭିଡ଼ିଛନ୍ତି। ବିେଜପି ବି ଏ େକ୍ଷତ୍ରରେ ଉଦ୍ୟମ ଜାରି ରଖିଛି। ଏଥିସହିତ ପ୍ରମୁଖ ତିନି ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ଜୋର ଧରିଛି।

୧୯୫୧ ମସିହାରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମ କଂଗ୍ରେସ ବିଧାୟକ ଭାବେ ନଳିନୀ ପ୍ରଧାନ ନିର୍ବାଚିତ ହୋଇଥିଲେ। ଏବେ ସୁଦ୍ଧା ଏହି ଆସନରୁ କଂଗ୍ରେସ ୮ ଥର ବିଜୟ ଧ୍ୱଜା ଉଡ଼ାଇଛି। ଅନ୍ୟମାନଙ୍କ ମଧ୍ୟରେ ଜନତା ଦଳ ୩ ଥର, ପିଏସପି ଗୋଟିଏ ଥର, ଓଡିଶା ଜନ କଂଗ୍ରେସ ଗୋଟିଏ ଥର ଏବଂ ୨୦୦୦ ମସିହାରେ ବିଜେଡି ଗଢ଼ା ହେବା ପରେ ଲଗାତାର ତିନି ଥର ଜିତିିଥିଲା।

୧୯୯୦ ମସିହାରେ ବର୍ତ୍ତମାନର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଜନତା ଦଳରୁ ବିଧାୟକ ଭାବେ ଛିଡ଼ା ହୋଇ ଜିତିଥିଲେ। କ୍ରମାଗତ ୫ ଥର ଏହି ଆସନରୁ ସେ ବିଜୟୀ େହାଇଥିଲେ। ୨୦୧୪ ମସିହାରେ କଂଗ୍ରେସର ସାରା ରାଜ୍ୟରେ ଭୋଟ୍ କମିବା ତଥା ବିଧାୟକମାନଙ୍କୁ ହାର ସାମ୍୍ନା କରିବାକୁ ପଡ଼ୁଥିବା ବେଳେ ଚିରଞ୍ଜୀବ ବିଶ୍ୱାଳ ବିଷ୍ଣୁଙ୍କ ଗଡ଼ରେ ବିଜୟୀ େହାଇଥିଲେ। ବିଜେପି ଏହି ଆସନରେ ୨୦୦୯ରେ ମାତ୍ର ୪୮୬୪ ଏବଂ ୨୦୧୪ରେ ୭୦୮୫ ଖଣ୍ଡ ଭୋଟ୍ ପାଇଥିଲା। ଏପର୍ଯ୍ୟନ୍ତ ବିଜେପି କଡ଼ା ମୁକାବିଲାକୁ ଆସି ପାରିନାହିଁ। ଦୁଇ ଜଣ ପାଖାପାଖି ୧୩ ହଜାର ଭୋଟ୍ ପାଇଥିଲେ।

ଏବେ ଜଗତସିଂହପୁରରେ ବିଶ୍ୱାଳ ଭ୍ରାତାଙ୍କ ଦବଦବା ଜାରି ରହିଛି। ପୁଣି ଥରେ ଏହି ଆସନ ଅକ୍ତିଆର ପାଇଁ ସାଂସଦ ପାଣ୍ଠିର ପ୍ରାୟ ୭୦ ପ୍ରତିଶତ ଜଗତସିଂହପୁର ପୌର ପରିଷଦ, ନାଉଗାଁ ଓ ଜଗତସିଂହପୁର ବ୍ଲକରେ ଖର୍ଚ୍ଚ କରାଯାଇଛି। ପରିଣାମରେ ବିଜେଡ଼ି ସଂଗଠନ ଦୁର୍ବଳ ହେବାରେ ଲାଗିଥିଲା। ଏହାକୁ ଦୃଷ୍ଟିିରେ ରଖି ବିଷ୍ଣୁ ଦାସଙ୍କୁ ରାଜ୍ୟ ସଭା ସାଂସଦ ଅସ୍ତ୍ର ଧରା ଯାଇଥିଲା। ପରେ ଶ୍ରୀ ଦାସ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ଅଛନ୍ତି।

ଜଗତସିଂହପୁର ବିଧାନ ସଭା ଆସନରରେ କଂଗ୍ରେସ ଦଳ ପକ୍ଷରୁ ଚିରଞ୍ଜୀବ ବିଶ୍ୱାଳ ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ। କିନ୍ତୁ ଅନ୍ୟ ଦୁଇ ପ୍ରମୁଖ ଦଳରୁ କିଏ ନିର୍ବାଚନରେ ଟିକେଟ୍ ପାଇବେ ତାକୁ ନେଇ ଟଣା ଓଟରା ଚାଲିଛି। ବିଜେଡି ଦଳରେ ଏକାଧିକ ଆଶାୟୀ ମୁଣ୍ଡ ଟେକିଛନ୍ତି। ଚର୍ଚ୍ଚାରେ ରହିଛନ୍ତି ବିଜେଡି ରାଜ୍ୟ ମହିଳା ସମ୍ପାଦିକା କନକ ପ୍ରଭା ଲେଙ୍କା, ଯୁବ ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ପୂର୍ବତନ ବିଧାୟକ ଜ୍ୟୋତିଷ୍କର ଦାଶ, ସତ୍ୟଜିତ ମିଶ୍ର, ନାଉଗାଁ ବିଜେଡି ସଙ୍ଗଠକ ପ୍ରଦୀପ୍ତ ସ୍ବାଇଁ ପ୍ରମୁଖ।

ବିଜେପିର ସଭାପତି ସତ୍ୟବ୍ରତ ମହାପାତ୍ର, ପ୍ରତାପ ମିଶ୍ର, ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଟିକେଟ୍ ଆଶାୟୀ ଅଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

କଂଗ୍ରେସ   ଚିରଞ୍ଜୀବ ବିଶ୍ୱାଳ     ୬୭୦୬୭
ବିଜେଡି    ବିଷ୍ଣୁ ଚରଣ ଦାସ      ୬୪୧୭୯
ସ୍ବାଧୀନ    ସତ୍ୟବ୍ରତ ମହାପାତ୍ର   ୮୪୪୪
ବିଜେପି    ପ୍ରତାପ କୁମାର ମିଶ୍ର   ୭୦୮୫
ସ୍ବାଧୀନ    ଏସ୍କେ ଇମାମ୍ ଉଦ୍ଦିନ୍  ୫୪୦୫

ସମ୍ବନ୍ଧିତ ଖବର