ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ପୁରୀ ମୁଖ୍ୟ କେନାଲ ବସନ୍ତପେଡ଼ି ବ୍ରିଜ୍ ନିକଟରୁ ଆଜି ପୂର୍ବାହ୍ନରେ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକଜଣଙ୍କ ହେଲେ, ସହିଦନଗର ଥାନା ଅନ୍ତର୍ଗତ ୟୁନିଟ୍-୯ ପ୍ଲଟ ନଂ ୪୦୪ରେ ରହୁଥିବା ଦାମୋଦର ଦାଶଙ୍କ ପୁଅ ରବିନ(୩୫)। ଦୁଇ ସାଙ୍ଗ ଦେବୀପ୍ରସାଦ ମିଶ୍ର(୨୮) ଓ ହିତେଶ ସାମଲ(୩୧)ଙ୍କ ସହ ରବିନ ଗତକାଲି ସଂଧ୍ୟାରେ ଏହି କେନାଲର ସାଇଫନ୍ ନିକଟରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପାଣି ସୁଅରେ ୩ଜଣ ଯାକ ଭାସି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ କେନାଲରେ ଖୋଜାଖୋଜି କରି ହିତେଶ ଓ ଦେବୀପ୍ରସାଦଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ରବିନଙ୍କ ପତ୍ତା ମିଳିନଥିଲା। ଅଗ୍ନିଶମ ବିଭାଗ ଓ ଓଡ୍ରାଫ କର୍ମଚାରୀମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ହେଁ ରବିନଙ୍କୁ ପାଇନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳେ ରବିନଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଫୋନ୍ କରି ଜଣାଇଥିଲେ। ପରେ ରବିନଙ୍କ ପରିବାର ଲୋକ ଓ ବାଲିଅନ୍ତା ଥାନା ପୁଲିସ ସେଠାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଅପରାହ୍ଣରେ ପୁଲିସ ତାଙ୍କ ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଅପରପକ୍ଷେ ବାପା ଦାମୋଦରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ନଂ ୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୂଚନାନୁଯାୟୀ,ଦେବୀପ୍ରସାଦ ବାଲିଅନ୍ତା ଥାନା ଅଟଳାସ୍ଥିତ ମହିମା ଟାୱାରରେ ଏକ ଫ୍ଲାଟ୍ରେ ରୁହନ୍ତି। ଗତକାଲି ପୂର୍ବାହ୍ନରେ ୩ ସାଙ୍ଗ ସେଠାରେ ଭୋଜିଭାତ କରିଥିଲେ। ସଂଧ୍ୟାରେ ସେମାନେ ପୁରୀ କେନାଲ ସାଇଫନ ନିକଟରେ ଗାଧୋଉଥିବା ବେଳେ ପାଣି ସ୍ରୋତରେ ଭାସି ଯାଇଥିଲେ।