କଟକ: ସ୍ଥାନୀୟ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ୪୨ତମ ଜାତୀୟ ଟେନିକଏଟ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଥିରେ ତାମିଲନାଡୁ ୨୦ ପଏଣ୍ଟ ପାଇ ଦଳଗତ ବିଜେତା ହୋଇଛି। କେରଳ ୧୭ ଓ ପଣ୍ଡିଚେରୀ ୧୩ ପଏଣ୍ଟ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଗୁରୁବାର ଫାଇନାଲ୍ରେ ପୁରୁଷ ଏକକରେ ପଣ୍ଡିଚେରୀର କେ ଗୋବିନ୍ଦ ରାଜନ ତାମିଲନାଡୁର ଇଅରିଭାଜାଗନ୍ଙ୍କୁ, ମହିଳା ଏକକରେ ତାମିଲନାଡୁର ଏ ରମ୍ୟା ପଣ୍ଡିଚେରୀର ଇ ପାଝାନିଆମାଙ୍କୁ ହରାଇଥିଲେ। ପୁରୁଷ ଯୁଗଳରେ କେରଳର ଲକ୍ଷ୍ମଣ-ରାଜଶେଖରନ୍ ଯୋଡ଼ି କର୍ଣ୍ଣାଟକର ପି ମାରିୟାପାନ୍-ଟି ସୋରନାଭେଲ୍ ଯୋଡ଼ିକୁ ହରାଇଥିଲା ବେଳେ ମହିଳା ଯୁଗଳରେ କେରଳର ଐଶ୍ୱର୍ଯ୍ୟା ବାବୁ-ଅମୃଥ୍ ପି ଆର୍ ଯୋଡ଼ି ତାମିଲନାଡୁର ଏମ୍ ହରିଥା-ମଣିଭାରତୀ ଯୋଡ଼ିକୁ ପରାସ୍ତ କରିଥିଲେ। ମିଶ୍ରିତ ଯୁଗଳ ଫାଇନାଲ୍ରେ କେରଳର ଅନୁପ୍ରକାଶ-ଚିଞ୍ଜୁ ଯୋଡ଼ି ଆନ୍ଧ୍ରପ୍ରଦେଶର ଏମ୍ ଲକ୍ଷ୍ମଣ ରାଓ- ଅଖିଳ ଯୋଡ଼ିକୁ ପରାସ୍ତ କରି ବିଜେତା ହୋଇଛନ୍ତି। ଉଦ୍ଯାପନୀ ଉତ୍ସବରେ କଟକ ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତ୍ୟେକ ବିଭାଗର ପ୍ରଥମ ପ୍ରତିଯୋଗୀଙ୍କୁ ୩, ଦ୍ୱିତୀୟଙ୍କୁ ୨ ଓ ତୃତୀୟଙ୍କୁ ୧ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି। ପୁରସ୍କାର ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଟେନିକଏଟ୍ ମହାସଂଘର ସାଧାରଣ ସମ୍ପାଦକ ଏସ୍ ଲକ୍ଷ୍ମୀକାନ୍ତ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଧିକାରୀ ବିଏସ୍ ନାଗରାଜ, ରାଜ୍ୟ ସଂଘ ସଭାପତି ଅମର ଶତପଥୀ, ସଂପାଦକ ଶ୍ରୀକାନ୍ତ ସିହ୍ନା ଓ ଯୁଗ୍ମ ସମ୍ପାଦକ ଜ୍ଞାନରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।