ଜଙ୍ଗଲ ବିବାଦରୁ ନୃଶଂସ କାଣ୍ଡ: ୫ ଜଣଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇଲେ, ଜଣେ ମୃତ

ଗୋଡ଼ାଇ ଗୋଡ଼ାଇ ହାଣିଲେ, ଏସିଡ୍‌ ଫିଙ୍ଗିଲେ, ଘର ସହ ୩ ବାଇକ୍ ଓ ୨ ସାଇକେଲ ଜାଳିଦେଲେ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ସିପସରୁବାଲି ମୌଜା-୨ ସାହାଜାନପୁର ଗାଁ’ରେ ଦୁର୍ବୃତ୍ତମାନେ ନୃଶଂସ କାଣ୍ଡ ଘଟାଇଛନ୍ତି। ଘରେ ଶୋଇଥିବା ବେଳେ ୫ ଜଣଙ୍କ ଉପରକୁ ପେଟ୍ରୋଲ ପକାଇ ନିଆଁ ଲଗାଇବା ସହ ହତ୍ୟା ଉଦ୍ୟମ କରିଛନ୍ତି। ଜୀବନ ବିକଳରେ ଦୌଡ଼ୁଥିବା ବେଳେ ସେମାନଙ୍କ ଉପରକୁ ଏସିଡ୍‌ ଫିଙ୍ଗିଛନ୍ତି। ଜଙ୍ଗଲ ଭିତରେ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି। ଫଳରେ ୫ ଜଣଙ୍କ ଶରୀରରୁ ଚମଡ଼ା ଉତୁରି ଯାଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ଦୋଳ ଗୋବିନ୍ଦ ମହାନ୍ତି (୬୨)ଙ୍କର ଆଜି ରାତିରେ ମୃତ୍ୟୁ ଘଟିଛି। ନିଆଁରେ ଘର ସହିତ ୩ଟି ମଟର ସାଇକେଲ ଓ ଦୁଇଟି ସାଇକେଲ ପାଉଁଶ ହୋଇ ଯାଇଛି। ଜଙ୍ଗଲ ବିବାଦରୁ ଏହି କାଣ୍ଡ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସିପସରୁବାଲି ମୌଜା-୨ରେ ଥିବା ସାହାଜାନପୁର ଗାଁ’ଲୋକେ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) ଗଠନ କରି ଜଙ୍ଗଲ ଜଗୁଥିଲେ। ସବୁଦିନ ଭଳି ଗତକାଲି ମଧ୍ୟ ଗାଁରୁ ୫ ଜଣ ପାଳି କରି ଜଙ୍ଗଲ ଜଗିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ସେମାନେ ଏକ ଘରେ ବିଶ୍ରାମ ନେଉଥିବା ବେଳେ ପ୍ରାୟ ୨୦ରୁ ୨୫ ଜଣ ଲୋକ ଘର ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଜୀବନ ବିକଳରେ ୫ ଜଣ ଯାକ ଘରୁ ପଦାକୁ ପଳାଇ ଆସିଥିଲେ। ଏହି ସମୟରେ ବାହାରେ ଜଗି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଏସିଡ୍ ଢାଳି ଦେଇଥିଲେ। ଏସିଡ୍ ମାଡ଼ରେ ଗୁରୁତର ହୋଇ ଜୀବନ ବଞ୍ଚାଇବାକୁ ଏହି ୫ ଜଣ ଅନ୍ଧାର ରାତିରେ ଜଙ୍ଗଲ ଭିତରେ ଦୌଡ଼ିଥିଲେ। ତଥାପି ଦୁର୍ବୃତ୍ତମାନେ ସେମାନଙ୍କୁ ଛାଡି ନଥିଲେ। ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଜଙ୍ଗଲ ଭିତରୁ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଥିବା ଦୋଳ ଗୋବିନ୍ଦ ମହାନ୍ତି (୬୨), ରାଜେନ୍ଦ୍ର ପ୍ରଧାନ (୪୦), ରଜନୀକାନ୍ତ ମହାନ୍ତି (୪୫), ହରମୋହନ ଶ୍ରୀଚନ୍ଦନ (୪୦) ଓ ବାବୁଲା ହରିଚନ୍ଦନ (୪୫)ଙ୍କୁ ଉଦ୍ଧାର କରି ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସେଠାରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି ଅନ୍ୟ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଏ ସଂପର୍କରେ ଗୁରୁତର ରଜନୀକାନ୍ତଙ୍କ ଭାଇ ଉମାକାନ୍ତ ମହାନ୍ତି ବ୍ରହ୍ମଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଦ୍ୟାବଧି କାହାକୁ ଗିରଫ କରାଯାଇନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଅନ୍ୟପକ୍ଷରେ ସ୍ଥାନୀୟ ଚାପମାଣିକ ଗାଁର କିଛି ଯୁବକ ଏହି କାଣ୍ଡ କରିଥିବା ଉମାକାନ୍ତ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର