ତାତି ଆଉ ୩୬ ଘଣ୍ଟା : ଟିଟିଲାଗଡ଼ରେ ୯ ଦିନ ହେଲା ୪୦ ତଳକୁ ଖସୁନି

୪୦ ଡିଗ୍ରି ଉପରେ ୧୧ ସହର

ଭୁବନେଶ୍ବର : ଟାଇଁ ଟାଇଁ ଖରା। ଘରୁ ବାହାରକୁ ବାହାରିବା ମୁସ୍କିଲ୍‌। ତା’ ସାଙ୍ଗକୁ ମୁଣ୍ଡ ଉପରେ ନିର୍ବାଚନ। ‌ଯେତେ ଖରା ହେଲେ ବି ନେତାଙ୍କ ଲାଗି ପ୍ରଚାର କରୁଛନ୍ତି କର୍ମୀ। କିଏ ମୁଣ୍ଡରେ ଟୋପି ଲଗାଇ ତ ଆଉ କିଏ ଗାମୁଛା ଭିଡ଼ି ପ୍ରଚାର କରୁଛନ୍ତି। ଗତ ଦୁଇ ଦିନ ହେଲା ୪୩ ଡିଗ୍ରି ତା‌ତିରେ ଟିଟିଲାଗଡ଼ରେ ଚାଲିଛି ଏଭଳି ପ୍ରଚାର।

କେବଳ ଟିଟିଲାଗଡ଼ ନୁହେଁ। ପଶ୍ଚିମ ଓଡ଼ିଶାର ଅର୍ଧାଧିକ ସହରରେ ସମାନ ସ୍ଥିତି। ଗତକାଲି ଟିଟିଲାଗଡ଼ ତାପମାତ୍ରା ୪୩ ଡିଗ୍ରି ଥିବାବେଳେ ଏଠାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୫ଡିଗ୍ରି ରେକର୍ଡ କରାଯାଇଛି। ଲଗାତାର ୯ ଦିନ ହେଲା ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଶେଷଥର ପାଇଁ ଗତ ୫ ତାରିଖରେ ଟିଟିଲାଗଡ଼ରେ ୩୯.୫ ଡିଗ୍ରି ରହିଥିଲା। ଏହାପରେ ଆଉ ୪୦ ଡିଗ୍ରି ତଳକୁ ଆସିନି। ବଲାଙ୍ଗୀରରେ ବି ସମାନ ଅବସ୍ଥା। ଗତକାଲି ତାଳଚେର ତାପମାତ୍ରା ୪୩.୧ ଡିଗ୍ରି ଥିବାବେଳେ ଆଜି ୦.୮ ଡିଗ୍ରି କମିଛି।

ଚିନ୍ତାର ବିଷୟ ହେଉଛି ଯେ ଗତକାଲିଠାରୁ ଆଜି ଅଧିକ ତାତି ଅନୁଭୂତ ହୋଇଛି। ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯାଇଛି। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ବଢ଼ିଥିବା ବେଳେ ଉପକୂଳ ଓଡ଼ିଶାର କଟକ, ଭୁବନେଶ୍ବରରେ ବି ତାତି ବଢ଼ିଛି। ଭୁବନେଶ୍ବର ତାପମାତ୍ରା ୪୦.୨ ଡିଗ୍ରି ଥିବାବେଳେ କଟକରେ ୩୯.୪ ଡିଗ୍ରିରେ ପହଞ୍ଚିଛି।

ଆସନ୍ତା ଦୁଇ ଦିନ ଧରି ଏଭଳି ପାଗ ଲାଗି ରହିବ। ତାପାମାତ୍ରାରେ ସାମାନ୍ୟ ଏପାଖ ସେପାଖ ହେବ। ତେବେ ଅପରାହ୍‌ଣରେ କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାରେ ୨୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବାର ବହୁତ ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି ଯେ ୧୭ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ହେବା ବେଳକୁ ତାପମାତ୍ରା କମିବ। ଏଭଳି ତାତି ହେବ ନାହିଁ। ଅନୁମାନ କରାଯାଉଛି, ଆସନ୍ତାକାଲି ସାରା ରାଜ୍ୟ‌ରେ ଗରମ ଜାରି ରହିବ। ଉତ୍ତର ଓଡ଼ିଶାରେ ସର୍ବାଧିକ ତାପମାତ୍ରା ପ୍ରାୟ ଦୁଇ ଡିଗ୍ରି ବଢ଼ିବ। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା ୦.୫ ଡିଗ୍ରିରୁ ୧ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।

ଭୁବନେଶ୍ବରରେ ଆଜି ଅପେକ୍ଷା ସୋମବାର ତାପମାତ୍ରା ୦.୫ ଡିଗ୍ରି ବଢ଼ିବ। ୧୭ ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ଅପରିବର୍ତ୍ତିତ ରହିବ। ୧୮ ତାରିଖରୁ ୨୦ ତାରିଖ ମଧ୍ୟରେ ପ୍ରାୟ ୪ ଡିଗ୍ରି କମିବ। ୨୧ ତାରିଖରୁ ପୁଣି ବଢ଼ିବା ଆରମ୍ଭ ହେବ।‌

ପ୍ରଫେସର ପଶୁପାଳକ ଆହୁରି କହିଛନ୍ତି ଯେ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଆସନ୍ତାକାଲି ସର୍ବାଧିକ ତାପମାତ୍ରା ସାମାନ୍ୟ ବଢ଼ିବ। ‌ତେବେ ୧୬ ତାରିଖରେ ହ୍ରାସ ପାଇବ। ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୧୯ ତାରିଖରୁ ପୁଣି ବଢ଼ି ୨୩ ତାରିଖରେ ୪୧ ଡିଗ୍ରିରେ ପହଞ୍ଚିପାରେ। ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ୧୮ତାରିଖରେ ବାୟୁ ପ୍ରବାହରେ ପରିବର୍ତନ ହେବ। ଉପକୂଳ ଅଞ୍ଚଳରେ ବଙ୍ଗୋପସାଗରୀୟ ପୂର୍ବାଢ଼େଉ ପବନ ଓ ପଶ୍ଚିମା ଗରମ ପବନର ସମ୍ମିଶ୍ରଣ ହେବ। ଫଳରେ ୧୯ ତାରିଖରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ ଏବଂ ତାପମାତ୍ରା କମିବ। ବିଶେଷକରି ଅବିଭକ୍ତ ଢେଙ୍କାନାଳ, କଟକ, ଖୋର୍ଧା, ପୁରୀ, କନ୍ଧମାଳ ଓ କେନ୍ଦୁଝରର ଅନେକ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳରେ ସ୍ବଳ୍ପ ବର୍ଷା ହେବାକୁ ଥିବାବେଳେ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଯଦଓ ତାପମାତ୍ରା କମିବ କିନ୍ତୁ ବର୍ଷାର ପରିମାଣ ସମ୍ଭାବ୍ୟ ପୂର୍ବାଢ଼େଉ ପବନ ଉପରେ ନିର୍ଭର କରେ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଉଛି ଯେ ସୋମବାର ବି ଏଭଳି ତାତି ଲାଗି ରହିବ। ତେବେ ୧୬ ଓ ୧୭ ତାରିଖରେ ଟିକିଏ କମିବ। ଗୋଟିଏ ଦୁଇ ଡିଗ୍ରି ଏପାଖ ସେପାଖ ହୋଇପାରେ। ଆସନ୍ତା ୨୦ ଓ ୨୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିବ। କାଳବୈଶାଖୀ ପ୍ରଭାବରେ ୧୬ ସନ୍ଧ୍ୟାରେ କେତେକ ସ୍ଥାନରେ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମ ଦିଗରୁ ପବନ ହେଉଛି। ଆକାଶ ବି ମେଘୁମୁକ୍ତ ରହୁଛି। ତେଣୁ ତାପମାତ୍ରା ବଢ଼ିଛି।

ସମ୍ବନ୍ଧିତ ଖବର