କେରଳରେ ଆତ୍ମଘାତୀ ଆକ୍ରମଣର ଯୋଜନା କରୁଥିବା ଯୁବକ ଗିରଫ, ଶ୍ରୀଲଙ୍କା ଆକ୍ରମଣର ମାଷ୍ଟରମାଇଣ୍ଡକୁ କରୁଥିଲା ଅନୁସରଣ
ନୂଆଦିଲ୍ଲୀ : କେରଳରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରିଛି । ଯୁବକଙ୍କ ନାଁ ରିୟାସ ବୋଲି ଜଣା ପଡ଼ିଥିବା ବେଳେ ପଚରାଉଚରା ସମୟରେ ଯୁବକଜଣଙ୍କ ଶ୍ରୀଲଙ୍କାର ମାଷ୍ଟରମାଇଣ୍ଡ ଜହରାନ୍ ହସିମ୍ ଏବଂ ଜାକିର ନାଇକଙ୍କୁ ଅନୁସରଣ କରୁଥିବା ନେଇ ସ୍ୱିକାର କରିଛି । ଏହା ସହ କେରଳରେ ଆତ୍ମଘାତୀ ଆକ୍ରମଣର ଯୋଜନା ଥିଲା ବୋଲି ରିୟାସ ଯାଞ୍ଚ ଏଜେନ୍ସିକୁ ଜଣାଇଛି । ଜହରାନ୍ ହସିମ୍ ଏବଂ ଜାକିର ନାଇକଙ୍କ ଭାଷଣ ଶୁଣିବା ସହ ତାଙ୍କ ଭିଡିଓକୁ ଅଭିଯୁକ୍ତଜଣଙ୍କ ଅନୁସରଣ କରୁଥିଲା । ଅଭିଯୁକ୍ତଜଣଙ୍କ କେରଳର ପଲାକ୍କଡ ଜିଲ୍ଲାର ବୋଲି ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଯାଞ୍ଚ ଏଜେନ୍ସିର କହିବା ଅନୁଯାୟୀ, ଅଭିଯୁକ୍ତ ରିୟାସ ଇସ୍ଲାମିକ ଷ୍ଟେଟ୍ର ସଞ୍ଚାଳକ ଅବ୍ଦୁଲ ରଶିଦ ଅବ୍ଦୁଲ୍ଲାଙ୍କ ସଂପର୍କରେ ରହିଥିଲା । ଅବ୍ଦୁଲ ରିୟାସଙ୍କୁ ଅଡିଓ କ୍ଲିପ୍ ପଠାଇ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପ୍ରବର୍ତ୍ତାଇ ଥିଲା । ଏହା ସହ ସିରିୟାରେ ରହୁଥିବା ଇସ୍ଲାମିକ ଷ୍ଟେଟ୍ର ଏଜେଣ୍ଟ ଅବୁ ଖାଲିଦ୍ଙ୍କ ସହ ମଧ୍ୟ ରିୟାସ ଭିଡିଓ ଚାଟ୍ କରୁଥିଲା ବୋଲି ଜଣା ପଡ଼ିଛି । ତେବେ ଆଜି ରିୟାସଙ୍କୁ କୋଚିରେ ଥିବା ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଅଦାଲତରେ ହାଜିର କରାଯିବ ବୋଲି ଜଣା ପଡ଼ିଛି ।