ଫାଲକନାମାର ୧୦୧ ଟେବୁଲ୍ରେ ରୟାଲ୍ ବିରିୟାନି ପରଷିଲେ ମୋଦି; ନିଜାମ୍ଙ୍କ ଲୋକଙ୍କୁ ନିମନ୍ତ୍ରଣ କରାଗଲା ନାହିଁ
ହାଇଦ୍ରାବାଦ: ମଙ୍ଗଳବାର ସନ୍ଧ୍ୟାରେ ଫାଲକନାମା ପାଲେସ୍ରେ ଭାରତର ବଡ଼ ଅତିଥି ଇଭାଙ୍କା ଟ୍ରମ୍ପ୍ଙ୍କ ପାଇଁ ସୁନ୍ଦର ରାତ୍ରୀ ଭୋଜନର ବ୍ୟବସ୍ଥା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏ ପାଞ୍ଚଟି ପର୍ଯ୍ୟାୟରେ ପରିବେଷଣ କରାଯାଇଥିଲା। ନିର୍ଦ୍ଧାରିତ ସମୟ ଠାରୁ ୨୫ ମିନିଟ୍ ବିଳମ୍ବରେ କାର୍ଯ୍ୟକ୍ରମ ସରିବାରୁ ରାତ୍ରୀ ୯ଟା ୫ ମିନିଟ୍ ସମୟରେ ଇଭାଙ୍କାଙ୍କୁ ୧୨୦ ବର୍ଷ ପୁରୁଣା ରାଜପ୍ରାସାଦକୁ ପ୍ରବେଶ କରିଥିଲେ। ରାଜପ୍ରସାଦର ଚମତ୍କାର ସ୍ଥାପତ୍ୟ ବିଷୟରେ ତାଙ୍କୁ ସଂକ୍ଷେପରେ କୁହାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରାଜପ୍ରାସାଦର ବିଶାଳତା ଦେଖି ଇଭାଙ୍କା ଚମତ୍କତ ହୋଇଥିଲେ। ପରେ ପରେ ରାଜପ୍ରାସାଦର ପାହାଚରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୋ’ ପ୍ରଥମ ପର୍ଯ୍ୟାୟ ଥିଲା ‘ଟ୍ରି ଅଫ୍ ଲାଇଫ୍’। ଏହାକୁ ଡିଜାଇନର୍ ରିତୁ କୁମାର ଉପସ୍ଥାପନ କରିଥିଲେ। ଏଥିରେ ଭାରତର କେତେକ ବୟନ ପରମ୍ପରା ପ୍ରଦର୍ଶୀତ ହୋଇଥିଲା। ଦ୍ୱିତୀୟ ଭାଗରେ ଅତିଥିମାନଙ୍କ ମନୋରଞ୍ଜନ ପାଇଁ ନୃତ୍ୟ ପରିବେଶଣ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅତିଥିମାନଙ୍କୁ ଦୁଇ ପର୍ଯ୍ୟାୟ ରାତ୍ରୀ ଭୋଜନ ପରିବେଷଣ କରାଯାଇଥିଲା।
ତୃତୀୟ ପର୍ଯ୍ୟାୟ ପାଇଁ ସେମାନେ ଯାଇଥିଲେ ଟେବୁଲ୍ ୧୦୧କୁ। ଏଥିରେ ପରିବେଷଣ କରାଯାଇଥିଲା ସୁପ୍ରସିଦ୍ଧ ମୁଗଲାଇ-ନିଜାମୀ ହାଇଦ୍ରାବାଦି ଭୋଜନ। ଏଥିରେ ଥିଲା ମଟନ୍ ବିରିୟାନି, କବାବ୍, ମସଲାଦାର କୁକୁଡ଼ା ତରକାରି, ହାଲୀମ୍ ଏବଂ ଅନ୍ୟାନ୍ୟ ସୁସ୍ୱାଦୁ ବ୍ୟଞ୍ଜନ।
ଅତିଥିମାନଙ୍କୁ ପ୍ରଥମେ ‘ମକାଇ ବାଦାମ୍ କା ଶୋର୍ବା’ ସୁପ୍ ଦିଆ ଯାଇଥିଲା। ତା’ପରେ ଦିଆ ଗଲା ‘ଶିକମ୍ପୁରି କବାବ୍’। ଏବଂ ତା’ପରେ ପରଷା ଗଲା ହାଲୀମ୍ ଏବଂ ବିରିୟାନୀ ଅମୀର ଖ୍ଵାନୀ।
ନିରାମିଷ ଭୋଜନରେ ଥିଲା ଡାଲି ଏବଂ ଆଳୁ। ଆମିଷ ଭୋଜନରେ ଥିଲା କୁକୁଡ଼ା, ଛେଳି, ମାଛ ଏବଂ ଚିଙ୍ଗୁଡ଼ି। ଅଧିକାଂଶ ବ୍ୟଞ୍ଜନ ନିଜାମ୍ଙ୍କ ରୟାଲ୍ କିଚେନ୍ରେ ପ୍ରସ୍ତୁତି କରାଯାଇଥିଲା। ଶିକମ୍ପୁରୀ କବାବ୍ ଦିଆଯିବା ମଝିରେ ପରଷା ଯାଇଥିଲା କଣ୍ଟା ନ ଥିବା ଛେଳି ଫଡ଼ିଆ।
ଦକ୍ଷିଣୀ ଶୈଳୀରେ ରନ୍ଧା ଯାଇଥିବା ତେଲେଙ୍ଗାନା ରାଜ୍ୟର ମାଛ ମୁରେଲ୍ ମଧ୍ୟ ପରିବେଷଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜ୍ୟପାଳ ଇ ଏସ୍ ଏଲ୍ ନରସିଂହ ବ୍ରୋଡ୍ରୁମ୍ ଟାଇପ୍ ଟେବୁଲ୍ ପାଖରେ ବସିଥିଲେ। ମୋଦିଙ୍କ ଡାହଣ ପଟରେ ବସିଥିଲେ ଇଭାଙ୍କା ଏବଂ ବାମ ପଟରେ ବସିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଟେବୁଲ୍ ନମ୍ବର ୧୦୧ ଡିନର୍ରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ନିର୍ମଳା ସୀତାରମଣ, ତେଲେଙ୍ଗାନା ଆଇଟି ମନ୍ତ୍ରୀ କେ ଟି ରାମା ରାଓ ଏବଂ ଆଦି ଗୋଦ୍ରେଜ୍ ଏବଂ ସୁନୀଲ ମିତ୍ତଲଙ୍କ ଭଳି ଶିଳ୍ପପତିମାନେ।
ଫାଲକନାମା ରାଜପ୍ରାସାଦ ଷଷ୍ଠ ନିଜାମ ମିର୍ ମହବୁବ୍ ଅଲି ଖାଁଙ୍କର ବାସଭବନ ଥିଲା। ୧୯୧୧ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା।
କିନ୍ତୁ, ଗତକାଲିର ଭବ୍ୟ ଭୋଜିକୁ ନିଜାମଙ୍କର ଆତ୍ମୀୟମାନଙ୍କୁ ନିମନ୍ତ୍ରଣ କରା ଯାଇ ନ ଥିଲା। ସପ୍ତମ ତଥା ଶେଷ ନିଜାମ୍ ମିର୍ ଓସ୍ମାନ୍ ଅଲି ଖାଁଙ୍କ ଅଣନାତି ନବାବ୍ ନଜାଫ୍ ଅଲି ଖାଁ କହିଛନ୍ତି: ଆମ ପରିବାରର ସଂସ୍କୃତି ଏବଂ ଐତିହର ପ୍ରତିନିଧିତ୍ୱ କରୁଥିବା ପ୍ରାସାଦରେ ଜିଇଏସ୍ ଅନୁଷ୍ଠିତ ହେଲା। ସେଠାକୁ ସପ୍ତମ ନିଜାମଙ୍କ ପରିବାରକୁ ଡକା ନ ଯିବା ଦୁଃଖର ବିଷୟ।