ଏମ୍ସରେ ମିଳିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା
ଏମ୍ସ ଭୁବନେଶ୍ବର ସହିତ ସ୍ବାସ୍ଥ୍ୟ ବିଭାଗର ବୁଝାମଣାପତ୍ର
ଭୁବନେଶ୍ବର: ଏମ୍ସ ଭୁବନେଶ୍ବରରେ ଏଣିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ସୁବିଧା ମିଳିବ। ଆଜି ସ୍ବାସ୍ଥ୍ୟ ବିଭାଗ ସହିତ ଏମ୍ସ ଭୁବନେଶ୍ବରର ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି। ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, ଏମ୍ସ ଭୁବନେଶ୍ବରର ନିର୍ଦେଶିକା ଡା. ଗୀତାଞ୍ଜଳି ବି. ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଗତବର୍ଷ ସ୍ବାଧୀନତା ଦିବସରେ ବିଏସ୍କେୱାଇ ଯୋଜନା ଆରମ୍ଭ ହୋଇଥିଲା। ୧୯୬ ଘରୋଇ ଡାକ୍ତରଖାନା ଏଥିରେ ତାଲିକାଭୁକ୍ତ ହୋଇଛନ୍ତି। ଆଜି ଏମ୍ସ ଭୁବନେଶ୍ବର ଏଥିରେ ଯୋଡ଼ି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଏସ୍କେୱାଇ ଚିକିତ୍ସା ରିପୋର୍ଟ ଦେବାକୁ ଘରୋଇ ଡାକ୍ତରଖାନାକୁ ନିର୍ଦେଶ
ଗଠନ ହେବ ଓଡ଼ିଶା କର୍କଟ କେୟାର ଫାଉଣ୍ଡେସନ୍
ସ୍ବାସ୍ଥ୍ୟମନ୍ତ୍ରୀ ବିଭିନ୍ନ ଘରୋଇ ଡାକ୍ତରଖାନା କର୍ମକର୍ତାଙ୍କ ସହିତ ବିଏସ୍କେୱାଇ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ଗରିବ ଲୋକମାନେ ଯେପରି କୌଣସି ପରିସ୍ଥିତିରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ଘରୋଇ ଡାକ୍ତରଖାନାଗୁଡ଼ିକ ବିଏସ୍କେୱାଇ ଯୋଜନାରେ ନିଜ ଡାକ୍ତରଖାନାରେ ରୋଗୀମାନଙ୍କୁ ଦିଆଯାଉଥିବା ଚିକିତ୍ସା ସଂପର୍କିତ ରିପୋର୍ଟ, ପ୍ରତି ମାସରେ କେତେ ଜଣ, କେଉଁ ଅଞ୍ଚଳର, କେଉଁ ପ୍ରକାର ରୋଗ, ରୋଗୀ ସିଧାସଳଖ ଆଡମିଟ୍ ହୋଇଛନ୍ତି କିମ୍ବା ସିଡିଏମ୍ଓଙ୍କ ଦ୍ବାରା ରେଫର ହୋଇଛନ୍ତି ସେସବୁର ଟିକିନିଖ ବିବରଣୀ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ଘରୋଇ ଡାକ୍ତରଖାନା ଗୁଡ଼ିକରେ ଏ ବାବଦ ବିଲ ପ୍ରଦାନକୁ ଡିଏମ୍ଇଟି ତ୍ବରାନ୍ବିତ କରିବା ପାଇଁ ଶ୍ରୀ ଦାସ ନିର୍ଦେଶ ଦେଇଛନ୍ତି। ଯେଉଁ ସବୁ ବିଲ୍ ବାକି ରହିଛି ବା ଆଗକୁ ଆସିବ ସେ ସବୁକୁ ତୁରନ୍ତ ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହାସହ ମନ୍ତ୍ରୀ କର୍କଟ ରୋଗ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ବୈଠକରେ ଓଡ଼ିଶା କର୍କଟ କେୟାର ଫାଉଣ୍ଡେସନ୍ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଫାଉଣ୍ଡେସନ୍ର ପ୍ରଥମ ବୈଠକ ଆସନ୍ତା ଜୁଲାଇ ମାସ ୧୫ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ବାରଙ୍ଗଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଆପେକ୍ସ କର୍କଟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାସହ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ରୋଗୀଙ୍କ ଭିଡ଼ କମାଇବା ପାଇଁ ଏହାର ସଂପ୍ରସାରଣ ଆରମ୍ଭ କରାଯିବା ନେଇ ଆଲୋଚନା ହୋଇଛି। ଭବାନୀପାଟଣାଠାରେ ବେଦାନ୍ତ ପକ୍ଷରୁ ପିପିପି ମୋଡରେ ପ୍ରତିଷ୍ଠା ହେବାକୁ ଥିବା ଏହି ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ସଂପର୍କରେ ମଧ୍ୟ ବେଦାନ୍ତ ଅଧିକାରୀଙ୍କ ସହିତ ମନ୍ତ୍ରୀଙ୍କ ଆଲୋଚନା କରିଥିଲେ। ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।