ଜୁନାଗଡ଼: ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରିଗୁଡା ପଞ୍ଚାୟତର ୪ ନମ୍ବର ୱାର୍ଡରେ ଗତ ୧୫ ଦିନ ହେବ ନଳକୂଅ ବନ୍ଦ ଥିବା ଯୋଗୁଁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ପଞ୍ଚାୟତର ୪ ନମ୍ବର ୱାର୍ଡର ତ୍ରିନାଥମନ୍ଦିର ପଡ଼ାରେ ଗତ କିଛି ବର୍ଷ ତଳେ ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଇଥିଲା। ଏହି ରାସ୍ତାରେ ଠିକ ଭାବରେ ଡ୍ରେନ ନିର୍ମାଣ ନ ହେବା ଓ ଘର ମାଲିକ ମାନେ ଡ୍ରେନକୁ ଅବରୋଧ କରୁଛନ୍ତି। ଫଳରେ ଅଳିଆ ଆବର୍ଜନା ଓ ମଇଲା ପାଣି ନିଷ୍କାସନ ହୋଇପାରୁନାହିଁ। ଗତ ୧୫ ଦିନ ହେବ ଡ୍ରେନ ପାଣି ନଳକୂଅ ପାଖରେ ଜମା ହେଉଥିବାରୁ ନଳକୂଅକୁ ବନ୍ଦ କରି ଦିଆଯାଇଛି। ଫଳରେ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଡ଼ାବାସୀ ଡ୍ରେନ ସଫା କରିବା ପାଇଁ ସରପଞ୍ଚ ଠାରୁ ପିଇଓଙ୍କୁ ଲିଖିତ ଭାବେ ଜଣାଇଥିଲେ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଗୁରୁବାର ଦିନ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ସେହି ରାସ୍ତା ଦେଇ ଯାଉଥିବା ବେଳେ ମହିଳାମାନେ ତାଙ୍କୁ ଘେରି ଯାଇଥିଲେ। ଆସନ୍ତା ଦୁଇଦିନ ମଧ୍ୟରେ ଡ୍ରେନ ସଫା କରାଯିବା ଓ ଲୋକେ ପୁଣି ନଳକୂଅର ପାଣି ବ୍ୟବହାର କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ମହିଳାମାନେ ତାଙ୍କୁ ଛାଡ଼ିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ଯଦି ଡ୍ରେନ୍ ସଫା ନ ହୁଏ ତେବେ ମହିଳାମାନେ ବ୍ଲକ୍ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।