ଗୋଦ୍‌ରେଜ୍‌ ଗ୍ରୁପ୍‌ର ବିଭାଜନ: ୧୨୭ ବର୍ଷ ପୁରୁଣା କମ୍ପାନି

ମୁମ୍ବାଇ: ଗୋଦ୍‌ରେଜ୍ ପରିବାର ଅଧୀନରେ ୧୨୭ ବର୍ଷ ଧରି ପରିଚାଳିତ ହେଉଥିବା ଗୋଦରେଜ୍ ଗ୍ରୁପ୍‌ର ବିଭାଜନ ହୋଇଛି। ଗ୍ରୁପ୍‌କୁ ଗୋଦରେଜ୍ ଏଣ୍ଟରପ୍ରାଇଜେସ୍ ଓ ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ନାମରେ ଦୁଇ ଭାଗ କରାଯାଇଛି। ଆଦି ଗୋଦରେଜ୍ (୮୨) ଓ ତାଙ୍କ ଭାଇ ନାଦିର ଗୋଦରେଜ୍ (୭୩)ଙ୍କୁ ଗୋଦ୍‌ରେଜ୍‌ ଇଣ୍ଡଷ୍ଟ୍ରିଜ୍‌ ମିଳିଛି। ସମ୍ପର୍କୀୟ ଜାମ୍‌ସିଦ୍ ଗୋଦରେଜ୍ (୭୫) ଓ ସ୍ମିତା ଗୋଦ୍‌ରେଜ୍ କ୍ରିଷ୍ଣା (୭୪)ଙ୍କୁ ଗୋଦରେଜ୍ ଏଣ୍ଟରପ୍ରା‌ଇଜେସ୍ ମିଳିଛି। ଗୋଦ୍‌ରେଜ୍ ଏଣ୍ଟରପ୍ରାଇଜେସ୍‌ ଅଧୀନରେ ଗୋଦ୍‌ରେଜ୍ ଆଣ୍ଡ୍‌ ବଏସ୍‌ ଓ ତାହାର ସହାୟକ ସଂସ୍ଥାଗୁଡ଼ିକ ରହିଛି। ତାହାର ସିଏମ୍‌ଡି ଭାବେ ଜାମ୍‌ସିଦ୍ ଗୋଦ୍‌ରେଜ୍ ଏବଂ ଇଡି ଭାବେ ନ୍ୟାରିକା ହୋଲ୍‌କର୍‌ କାମ କରିବେ। ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍‌ ପାଖରେ ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍, ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍‌, ଗୋଦରେଜ୍ ପ୍ରପର୍ଟିଜ୍, ଗୋଦ୍‌ରେଜ୍ ଏଗ୍ରୋଭେଟ୍‌ ଓ ଆଷ୍ଟେକ୍ ଲାଇଫ୍‌ସାଇନ୍‌ସେସ୍‌ ରହିବ। ଏହାର ଅଧ୍ୟକ୍ଷ ଭାବେ ନାଦିର ଗୋଦରେଜ୍ କାମ କରିବେ ଓ ଆଦି ଗୋଦରେଜ୍‌ଙ୍କ ନିୟନ୍ତ୍ରଣ ତାହା ଉପରେ ରହିବ। ୧୮୯୭ରେ ଆର୍ଦେଶିର ଗୋଦରେଜ୍‌ଙ୍କ ଦ୍ବାରା ଗୋଦରେଜ୍ ଗ୍ରୁପ୍‌ ସ୍ଥାପନା କରାଯାଇଥିଲା। ଆର୍ଦେଶିରଙ୍କ କୌଣସି ପୁତ୍ର ସନ୍ତାନ ନଥିବାରୁ କମ୍ପାନି ପିରୋଜ୍‌ସାଙ୍କ ପାଖକୁ ଯାଇଥିଲା।

ପିରୋଜ୍‌ସାଙ୍କ ଚାରି ସନ୍ତାନ ସୋହରାବ, ଡୋସା, ନାଭାଲ ଓ ବୁର୍ଜୋର୍‌ ଥିଲେ। ସୋହରାବଙ୍କ କୌଣସି ସନ୍ତାନ ନଥିଲେ। ଡୋସାଙ୍କ ସନ୍ତାନ ନାମ ଥିଲା ରିଶଦ୍। କିନ୍ତୁ ସମୟ ଅତିକ୍ରାନ୍ତ କରିବା ସହ ‌ଗ୍ରୁପ୍‌ର ନେତୃତ୍ବ ବୁର୍ଜୋରଙ୍କ ବଂଶଜ ଆଦି ଓ ନାଦିର ଏବଂ ନାଭାଙ୍କ ଜାମ୍‌ସିଦ୍ ଓ ସ୍ମିତାଙ୍କ ପାଖରେ ରହିଥିଲା। ପ୍ରଥମେ ହାତ ତିଆରି ମେଡିକାଲ୍ ଉପକରଣ ପ୍ରସ୍ତୁତ କରିବାରୁ ଗୋଦରେଜ୍ ଗ୍ରୁପ୍‌ର ଯାତ୍ରା ଆରମ୍ଭ ହୋଇଥିଲା। ତାହା ବିଫଳ ହେବା ପରେ କମ୍ପାନି ତାଲା ନିର୍ମାଣ କରିଥିଲା ଯାହା ବେଶ ସଫଳ ହୋଇଥିଲା। ପରବର୍ତ୍ତୀ ସମୟରେ କମ୍ପାନି ରସାୟନ, ଆସବାବପତ୍ର, ନିରାପତ୍ତା ସମାଧାନ, ରିଅଲ ଇଷ୍ଟେଟ୍‌, ହୋମ୍ ଓ ପର୍ସନାଲ୍ କେୟାର, ‌ଇଞ୍ଜିନିୟରିଂ, ବିଦ୍ୟୁତ ଓ ଶକ୍ତି, ଏରୋସ୍ପେସ୍, ଭାରି ଇଞ୍ଜିନିୟରିଂ, ଲଜିଷ୍ଟିକ୍ସ, ଭିତ୍ତିଭୂମି, ଖାଦ୍ୟ ଓ କୃଷି ଉତ୍ପାଦ, ସୂଚନା ପ୍ରଯୁକ୍ତି ଏବଂ ଆର୍ଥିକ ସେବା କ୍ଷେତ୍ରରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର