ଓଡ଼ିଶାରେ ଥିବା ଜାତୀୟ ବିଶ୍ବବିଦ୍ୟାଳୟରେ ଓଡ଼ିଆ ପିଲାଙ୍କ ପାଇଁ କୌଣସି ସ୍ବତନ୍ତ୍ର ସୁବିଧା ନାହିଁ
ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଚିଠିକୁ ଚାପି ଦେଇ ବସିଗଲେ କର୍ତ୍ତୃପକ୍ଷ
କଟକ : କଟକର ନରାଜ ନିକଟରେ ରହିଛି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (ଏନ୍ଏଲ୍ୟୁ)। ଓଡ଼ିଶାରେ ଥିବା ଏହି ଜାତୀୟ ବିଶ୍ବବିଦ୍ୟାଳୟରେ କିନ୍ତୁ ଓଡ଼ିଆ ପିଲାଙ୍କ ପାଇଁ କୌଣସି ସ୍ବତନ୍ତ୍ର ସୁବିଧା ନାହିଁ। ଦେଶର ଅନ୍ୟ ୧୮ଟି ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ସେହି ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗି ହୋଇଥିଲେ ବି ଓଡ଼ିଶାରେ ଓଡ଼ିଆ ପିଲାଙ୍କୁ ସ୍ବତନ୍ତ୍ର ସୁଯୋଗ ନ ମିଳିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅବଶ୍ୟ ଓଡ଼ିଶା ସରକାର ରାଜ୍ୟର ପିଲାଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବାକୁ ଚିଠି ଲେଖି ସାରିଥିଲେ ବି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏକଜିକ୍ୟୁଟିଭ୍ କାଉନସିଲ୍ ବୈଠକ ବସି ନଥିବା ଆଳରେ ଚଳିତ ବର୍ଷ ନାମଲେଖାରେ ଏହାକୁ ଏଡାଇ ଯାଇଛନ୍ତି। ଓଡ଼ିଶା ପିଲାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଲେ ବିଶ୍ବବିଦ୍ୟାଳୟର ‘ବ୍ରାଣ୍ଡ ଭ୍ୟାଲୁ’ କମିବାର ଆଶଙ୍କା କରି କର୍ତ୍ତୃପକ୍ଷ ଚିଠିକୁ ନେଇ ନିରବ ରହିଥିବା କୁହାଯାଉଛି।
କଟକର ନରାଜ ଠାରେ ଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟକୁ ମିଶାଇ ଦେଶରେ ରହିଛି ମୋଟ ୧୯ଟି ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟ। ଓଡ଼ିଶାରେ ୨୦୦୯ରୁ ବିଶ୍ବବିଦ୍ୟାଳୟ ସ୍ଥାପିତ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇ ନାହିଁ। ଫଳରେ ଓଡ଼ିଶାର ଅନେକ ଛାତ୍ରଛାତ୍ରୀ ଏଠାରେ ପଢିବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି। ବିଶ୍ବବିଦ୍ୟାଳୟରେ ଏବେ ଇଣ୍ଟିଗ୍ରେଟେଡ୍ ବିଏ.ଏଲ.ଏଲ.ବିରେ ୧୨୦ ସିଟ୍, ବିବିଏ ଏଲ.ଏଲ.ବିରେ ୪୦ ସିଟ୍ ଓ ଏଲ.ଏଲ.ଏମ୍ରେ ୫୦ଟି ସିଟ୍ ରହିଛି। ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରିରେ ନାମ ଲେଖାଇବାକୁ ବିଜ୍ଞପ୍ତି ପ୍ରକାଶ ପାଏ। ମେ’ ମାସରେ ଦେଶର ସବୁ ବିଶ୍ବବିଦ୍ୟାଳୟ ପାଇଁ ସାଧାରଣ ଆଇନ୍ ନାମଲେଖା ପରୀକ୍ଷା (କମନ୍ ଲ’ ଆଡମିସନ୍ ଟେଷ୍ଟ) କରାଯାଇ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଏ। କିନ୍ତୁ ଦେଶର ଅନ୍ୟ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଯେପରି ସେହି ରାଜ୍ୟର ପିଲାଙ୍କ ନାମ ଲେଖାଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି, ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସେପରି ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ମାତ୍ର ବିଶ୍ବବିଦ୍ୟାଳୟ ତାହାକୁ ଚଳିତ ବର୍ଷ କାର୍ଯ୍ୟକାରୀ କରି ନାହିଁ। ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳସଚିବ ଡକ୍ଟର ଯୋଗେଶ ପ୍ରତାପ ସିଂହ ଏ ସଂପର୍କରେ କହିଛନ୍ତି ଯେ, ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ରାଜ୍ୟ ସରାକର ଚିଠି କରିଛନ୍ତି। ମାତ୍ର ଏକଜିକ୍ୟୁଟିଭ୍ କାଉନସିଲ୍ ବୈଠକ ବସିନଥିବାରୁ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବିଶ୍ବବିଦ୍ୟାଳୟକୁ ମାତ୍ର ୧୦ ବର୍ଷ ପୂରିଲା। ବିଶ୍ବବିଦ୍ୟାଳୟର ବ୍ରାଣ୍ଡ ଭାଲ୍ୟୁ ବଢିବା ପରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଗଲେ ଭଲ ହେବ ବୋଲି ଶ୍ରୀ ସିଂହ ମତ ଦେବା ସହ ଚଳିତ ବର୍ଷ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାରୁ ଆସନ୍ତା ଶିକ୍ଷାବର୍ଷରେ ହୁଏତ ଏ ସଂପର୍କରେ ଏକଜିକ୍ୟୁଟିଭ କାଉନସିଲ ବିଚାର କରିପାରେ ବୋଲି ସୂଚନା ଦେଇଛନ୍ତି।