ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏମ୍ସିଏଲ୍ର ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୪ ଜଣଙ୍କ ପରିବାରଙ୍କ ପ୍ରତି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ | ଏଠାରେ ସୂଚନା ଥାଉ କି ବୁଧବାର ସନ୍ଧ୍ୟାରେ ଜଣେ ଶ୍ରମିକଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ସକାଳେ ପମ୍ପ ଖଲାସି ରାଜକିଶୋର ମହାପାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି |
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏବେ ବି ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସୁରକ୍ଷା ଗାର୍ଡ ରମେଶ ଦାସ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଗତ ମଙ୍ଗଳବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ଭରତପୁର କୋଇଲା ଖଣିରେ ଏକ ମାଟି ଓ କୋଇଲା (ଓଭରବର୍ଡନ) ଗଦା ହଠାତ୍ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଅନ୍ୟୂନ ଚାରିଜଣ କାର୍ଯ୍ୟରତ ଶ୍ରମିକଙ୍କ ସହ ଏକାଧିକ ଗାଡ଼ିମଟର, କୋଇଲା ଉତ୍ତୋଳନ ଯନ୍ତ୍ର ଚାପି ହୋଇ ରହିଥିଲା। ଏବେ ଏନ୍ଡିଆଆରଏଫର ଏକ ୯ ଜଣିଆ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ତେବେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ସାହାଯ୍ୟ ଭାବେ ୫ ଲକ୍ଷ ଟଙ୍କା ସହିତ କର୍ମଚାରୀ କ୍ଷତିପୂରଣ ନିୟମ, ଗ୍ରାଚ୍ୟୁଇଟି ନିୟମ ଓ ପ୍ରୋଭିଡେଣ୍ଟ ଫଣ୍ଡ ନିୟମ ଅନୁଯାୟୀ ସମସ୍ତ ସହାୟତା ସହିତ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଏମ୍ସିଏଲ୍ ପକ୍ଷରୁ ସୂଚନା ଦିଆଯାଇଥିଲା |