ଜୟପୁର : ଉପା ସରକାରଙ୍କର ମହତ୍ବାକାଂକ୍ଷୀ ଯୋଜନା ହେଉଛି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା। ଅଣକୁଶଳ କାର୍ଯ୍ୟ ପାଇଁ ପ୍ରତି ପରିବାରର ଶ୍ରମିକଙ୍କୁ ୧୦୦ଦିନର କାର୍ଯ୍ୟ ଦେବାକୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଯୋଜନା। କିନ୍ତୁ ଏହି ଯୋଜନା ଏବେ ବାଟବଣା ହୋଇସାରିଲାଣି। ଯୋଜନାରେ ଅର୍ଥ ନ ଥିବାରୁ ହିତାଧିକାରୀଙ୍କୁ ଦିଆଯାଇପାରୁନି ତାଙ୍କ ହକ୍ ଓ ପ୍ରାପ୍ୟ। ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବାକୁ ଥିବା ଅର୍ଥ ଏବେ ଦୀର୍ଘଦିନ ହେବ ସରକାରଙ୍କ ନିକଟରେ ପଡି ରହିଛି। ଫଳରେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଶ୍ରମିକ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲାର ସମସ୍ତ ୧୪ଟି ବ୍ଲକରେ ମନରେଗା ଯୋଜନାର ଅର୍ଥ ନାହିଁ। ଫଳରେ ଜିଲ୍ଲାରେ ଥିବା ପ୍ରାୟ ଏକ ଲକ୍ଷ ହିତାଧିକାରୀଙ୍କର ଅର୍ଥ ପଡି ରହିଥିବା ଜଣାପଡିଛି। ଜିଲ୍ଲାରେ ମୋଟ ୩୨୭୭.୨୫ କୋଟି ଟଙ୍କାର କାର୍ଯ୍ୟ ହୋଇଥିବାବେଳେ ସେଥିମଧ୍ୟରୁ ମାତ୍ର ୩୭.୮୫ ଲକ୍ଷ ଟଙ୍କା ପ୍ରାୟ ଏକ ଲକ୍ଷ ହିତାଧିକାରୀଙ୍କୁ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ପାଉଣା ବାବଦରେ ଦିଆଯାଇଛି। ତେବେ କାର୍ଯ୍ୟ କରିବାର ମାତ୍ର ଶୂନରୁ ୮ ଦିନ ମଧ୍ୟରେ ଜିଲ୍ଲାରେ ମୋଟ ୨୯୩୯.୬୬ କୋଟି ଟଙ୍କା ମଧ୍ୟରୁ ୩୪.୦୨ ଲକ୍ଷ ଟଙ୍କାର ଅର୍ଥ ଦିଆଯାଇଥିବା ଜଣାପଡିଛି। ସେହିପରି ୯ରୁ ୧୫ଦିନ ମଧ୍ୟରେ ୩୩୬୨.୩ କୋଟି ଟଙ୍କା ୨୦ ହଜାର ହିତାଧିକାରୀ ପ୍ରାପ୍ୟ ପାଇବାକୁ ଥିବାବେଳେ ମାତ୍ର କିଛି ହାତଗଣତି ହିତାଧିକାରୀଙ୍କୁ ୩୮.୨ ଲକ୍ଷ ଟଙ୍କା ପ୍ରାପ୍ୟ ଦିଆଯାଇଛି। ସେହିପରି ୧୬ରୁ ୩୦ ଦିନ ମଧ୍ୟରେ ୧୩.୬ଲକ୍ଷ ଟଙ୍କା ପାଇବାକୁ ଥିବାବେଳେ ମାତ୍ର ୧.୫୩ ଲକ୍ଷ ଟଙ୍କା ପ୍ରେରଣ କରାଯାଇଛି। କୋରାପୁଟ ଜିଲ୍ଲାର ସଦର ବ୍ଲକରେ ୧୬୦.୨୪ କୋଟି ଟଙ୍କା ବାକି ରହିଥିବା ବେଳେ ୧୭୧ ଲକ୍ଷ ଟଙ୍କା ଦିଆଯାଇଛି, ସେହିପରି ସେମିଳିଗୁଡାରେ ୧୩୨.୫୬ କୋଟିରୁ ୧୭୧ ଲକ୍ଷ, ପଟ୍ଟାଙ୍ଗୀ ବ୍ଲକରେ ୨୮୭.୮୩ କୋଟିରୁ ୩୧୩ ଲକ୍ଷ, ଲକ୍ଷ୍ମୀପୁରରେ ୨୩୧.୫୮କୋଟିରୁ ୨୬୦ ଲକ୍ଷ, ନନ୍ଦପୁରରେ ୨୬୫.୮୭ କୋଟିରୁ ୩୦୫ ଲକ୍ଷ, ବନ୍ଧୁଗାଁରେ ୧୮୨.୩୦କୋଟିରୁ ୨୦୧ ଲକ୍ଷ, ନାରାୟଣପାଟଣାରେ ୧୫୨.୦୧ କୋଟିରୁ ୧୮୪ ଲକ୍ଷ, ଲମତାପୁଟରେ ୪୫୨.୪୫ କୋଟିରୁ ୫୫୭ ଲକ୍ଷ, ଦଶମନ୍ତପୁରରୁ ୩୮୩.୭୩ କୋଟିରୁ ୪୬୦ ଲକ୍ଷ, ଜୟପୁରରେ ୧୩୮.୪୦କୋଟିରୁ ୧୬୭ ଲକ୍ଷ, କୋଟପାଡରେ ୨୧୩.୩୭ କୋଟିରୁ ୨୫୦ ଲକ୍ଷ, କୁନ୍ଦୁରାରେ ୯୯.୪୧ କୋଟିରୁ ୧୧୮ ଲକ୍ଷ, ବୋରିଗୁମ୍ମାରେ ୩୪୩.୧୪ କୋଟିରୁ ୩୬୦ ଲକ୍ଷ ଓ ବୈପାରିଗୁଡା ବ୍ଲକରେ ୨୩୪.୩୬ କୋଟିରୁ ୨୭୬ ଲକ୍ଷ ଟଙ୍କାର ପ୍ରାପ୍ୟ ବାକି ରହିଛି। ଏନେଇ ଡିଆରଡିଏ ବରିଷ୍ଠ ଅଧିକାରୀ ମହେଶ୍ବର ନାଏକ କହିଛନ୍ତି ଯେ ନିୟମିତ ଭାବେ ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଉଛି। କିନ୍ତୁ କେତେବେଳେ କେମିତି ସମସ୍ୟା ଉପୁଜୁଛି। ଏହି ସମସ୍ୟାର ସମାଧାନ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।