ରୋଗୀଙ୍କଠାରୁ ମତାମତ ସଂଗ୍ରହ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶ

ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ବର : ସରକାରୀ ଡାକ୍ତରଖାନାରେ ରୋଗୀମାନେ କିଭଳି ସେବା ପାଉଛନ୍ତି, କର୍ତୃପକ୍ଷ ଟେଲିଫୋନ୍ ଜରିଆରେ ତାହା ରୋଗୀଙ୍କଠାରୁ ସିଧାସଳଖ ବୁଝିବେ। ଏହି ଆଧାରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କ ମତାମତ ସଂଗ୍ରହ ହେବ। ଏହି କାର୍ଯ୍ୟ ବିଭାଗର କମିସନର ତଥା ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରାଯିବ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କ ସମ୍ମିଳନୀ ଉଦ୍‌ଘାଟନ ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ସୂଚନା ଦେବା ସହ ସିଡିଏମ୍‌ଓମାନଙ୍କୁ ଏ ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିରେ ଲୋକ କିଭଳି ସରକାରୀ ସେବା ପାଉଛନ୍ତି, ସେ ସଂକ୍ରାନ୍ତରେ ସରକାରୀ ଅଧିକାରୀମାନେ ଟେଲିଫୋନ୍ କରି ଲୋକଙ୍କଠାରୁ ତାହା ବୁଝିବେ। ଏଥିପାଇଁ ବିଭାଗ ପକ୍ଷରୁ ଏକ ଅଫିସରସ୍ତରୀୟ ଟିମ୍ ଗଠନ କରାଯାଇଛି। ଚିକିତ୍ସାଧୀନ ରୋଗୀଙ୍କ ମତାମତ ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହି କାର୍ଯ୍ୟ କିଭଳି ସୁରୁଖୁରରେ ହେବ, ତାହାର ଗୁରୁଦାୟିତ୍ବ ସିଡିଏମ୍‌ଓମାନଙ୍କ ଉପରେ ରହିଥିବାରୁ ସେମାନେ ଏଥିପାଇଁ ବିଶେଷ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ଏହି ଦିନିକିଆ ସମ୍ମିଳନୀରେ ମାଗଣା ଔଷଧ ଯୋଗାଣ କାର୍ଯ୍ୟକ୍ରମ ‘ନିରାମୟ’, ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥା ଲାଗି ପିପିପି ମୋଡ୍‌ରେ କାର୍ଯ୍ୟକାରୀ ହେଉଥିବା ନିର୍ମଳ, ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସୁନେତ୍ର, ଡିଜିଟାଲ ଡିସପେନ୍‌ସାରି ଆଦି ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି। ନିରାମୟ ଯୋଜନାରେ ରୋଗୀମାନେ ଯେଭଳି ସହଜରେ ମାଗଣା ଔଷଧ ପାଇପାରିବେ, ତାହା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଯେଉଁଠାରେ ‘ନିରାମୟ’ ଯୋଜନାରେ ଔଷଧ ନଥିବ, ସେଠାରେ ଡାକ୍ତରଖାନା କର୍ତୃପକ୍ଷ ବଜାରରୁ ଔଷଧ କିଣି ରୋଗୀଙ୍କୁ ଯୋଗାଇବେ। ଏଥିପାଇଁ ରାଜ୍ୟ ସରକାର ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରିଛନ୍ତି। ମେଡିକାଲ କଲେଜ ସମେତ ଜିଲ୍ଲା ହସ୍ପିଟାଲଗୁଡ଼ିକୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯାଉଛି। ସେହିପରି ‘ନିର୍ମଳ’ ଯୋଜନାରେ ଡାକ୍ତରଖାନାଗୁଡ଼ିକ ଯେଭଳି ସଫାସୁତୁରା ଓ ପରିବେଶ ଅନୁକୂଳ ରହିବ, ତାହା ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ରୋଗ ଚିହ୍ନଟ କାର୍ଯ୍ୟ ବ୍ୟାପକ କରିବା ଲାଗି ସିଡିଏମ୍‌ଓମାନଙ୍କୁ କୁହାଯାଇଛି।

ଏହି ସମ୍ମିଳନୀରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ସମସ୍ତ ସିଡିଏମ୍‌ଓ ଓ ବିଭାଗର ସ୍ବତନ୍ତ୍ର ସଚିବଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର