ପଣଜୀ: ଗୋଆ ସନ୍ତରଣ ସଂଘ (ଜିସିଏ)ର ମାପୁସା ପ୍ରଶିକ୍ଷଣ କେନ୍ଦ୍ରରେ କାର୍ଯ୍ୟ କରୁଥିବା ସୁରଜିତ ଗାଙ୍ଗୁଲି ନାମକ ଜଣେ ପ୍ରଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସୁରଜିତ ଜଣେ ୧୫ ବର୍ଷୀୟା ଜାତୀୟ ସ୍ତରୀୟ ସନ୍ତରଣ ତାରକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହେବା ପରେ ଗୋଆ ପୁଲିସ ଏଭଳି ପଦକ୍ଷେପ ନେଇଛି। ସୁରଜିତ ସଂପୃକ୍ତ ନାବାଳିକାଙ୍କୁ ଅସଦାଚରଣ କରୁଥିବାର ଭିଡିଓ ପଦାକୁ ଆସିବା ପରେ ଜିସିଏ ତାଙ୍କୁ ବରଖାସ୍ତ କରିଛି। ତାଙ୍କ ସହ କରିଥିବା ଚୁକ୍ତିକୁ ମଧ୍ୟ ଜିସିଏ ବାତିଲ କରିଦେଇଛି। ସେପଟେ ଭାରତୀୟ ସନ୍ତରଣ ମହାସଂଘ ଏଥିନେଇ ଜିସିଏଠାରୁ ରିପୋର୍ଟ ତଲବ କରିଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମାମଲାରେ ହସ୍ତକ୍ଷେପ କରି ସୁରଜିତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗୋଆ ପୁଲିସ ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୭୬ (ଦୁଷ୍କର୍ମ), ୩୫୪ (ଅସଦାଚରଣ), ୫୦୬ (ଧମକ) ଲାଗୁ କରିବା ସହ ଗୋଆ ବାଳ ଅପରାଧୀ ନିୟମ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ପଦାକୁ ଆସିବା ପରେ ସୁରଜିତ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୁରଜିତଙ୍କୁ ଜିସିଏ ଅଢ଼େଇ ବର୍ଷ ତଳେ ମାପୁସା କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଥିଲା। ଜାତୀୟ ପ୍ରତିଯୋଗିତାରେ ଗୋଆ ସନ୍ତରଣ ଦଳର ଚମତ୍କାର ପ୍ରଦର୍ଶନ ପରେ ସୁରଜିତ ମଧ୍ୟ ଗୋଆ ବିଧାନସଭାରେ ଉଚ୍ଚ ପ୍ରଶଂସିତ ହୋଇଥିଲେ। ଅଶି ଦଶକରେ ଜଣେ ପ୍ରତିଭାସଂପନ୍ନ ସନ୍ତରଣ ତାରକା ଭାବେ ସୁରଜିତ ୧୨ ଅନ୍ତର୍ଜାତୀୟ ପଦକ ଜିତିଥିଲେ। ଅବସର ପରେ ପ୍ରଶିକ୍ଷଣ ଦୁନିଆରେ ପାଦ ଥାପିଥିଲେ। ତେବେ ଗତ ଏକବର୍ଷ ହେବ ସେ ପୀଡ଼ିତାଙ୍କୁ ଶୋଷଣ କରିଆସୁଥିବା ଜଣାପଡ଼ିଛି। ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବାରୁ କୋଲକାତା ପୁଲିସ ମଧ୍ୟ ମାମଲାର ପୃଥକ ତଦନ୍ତ ଆରମ୍ଭ କରିଛି।
ପୀଡ଼ିତାଙ୍କ ପ୍ରଦର୍ଶନରେ ନିୟମିତ ଅବନତି ହେବା ପରେ ତାଙ୍କ ମାତା ପିତା ଗୋଆ ଯାଇ ଏହି ବିଷୟରେ ପଚରା ଉଚରା କରିଥିଲେ। ହେଲେ ପୀଡ଼ିତା ପ୍ରଶିକ୍ଷକ ସୁରଜିତଙ୍କ ପାଖକୁ ଯିବାକୁ ଭୟ କରିବା ସହ ନାନା ଆଳ ଦେଖାଇ ଏହାକୁ ଟାଳି ଚାଲିଥିଲେ। ମାତା ପିତା ବାରମ୍ବାର ଓ ଜୋରଦେଇ ତାଙ୍କ ପ୍ରଦର୍ଶନ ବିଷୟରେ ପଚାରିବା ପରେ ସୁରଜିତ ତାଙ୍କୁ ଦୀର୍ଘ ଦିନ ହେବ ଯୌନ ନିର୍ଯାତନା ଦେଇ ଆସୁଥିବା କାନ୍ଦି କାନ୍ଦି କହିଥିଲେ। ଏଥିପାଇଁ ହିଁ ସେ ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦେଇ ପାରୁ ନଥିବା ପ୍ରକାଶ କରିଥିଲେ। ଏହା ପରେ ମାତା ପିତା ପୀଡ଼ିତାଙ୍କ ସହ କୋଲକାତା ଯାଇ ସେଠାରେ ମାମଲା ରୁଜୁ କରିବାକୁ ଚାହିଁଥିଲେ। ତେବେ କୋଲକାତା ପୁଲିସ ଗୋଆ ପୁଲିସ ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦେବା ପରେ ସେଠାରେ ଯାଇ ଆନୁଷ୍ଠାନିକ ଭାବେ ମାମଲା ଦାୟର କରିଥିଲେ। କେବଳ ସେ ନୁହେଁ ଜିସିଏର ମାପୁସା ସନ୍ତରଣାଗାରରେ ପ୍ରଶିକ୍ଷଣ ନେଉଥିବା ବହୁ ନାବାଳିକାଙ୍କୁ ସୁରଜିତ ଦୁର୍ବ୍ୟବହାର କରି ଆସୁଥିବା ପୀଡ଼ିତା କହିଛନ୍ତି। ସୁରଜିତଙ୍କ କଳା କାରନାମା ପଦାକୁ ଆସିବା ପରେ ଚଳଚ୍ଚିତ୍ର ନିର୍ମାତା ବିନୋଦ କାପ୍ରି ପୀଡ଼ିତାଙ୍କୁ ସେ ଅସଦାଚରଣ କରୁଥିବାର ଭିଡିଓ ଓ ଫଟୋର କିଛି ଅଂଶ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିବା ସହ ଏହି ବିଷୟରେ କ୍ରୀଡ଼ାମନ୍ତ୍ରୀ ରିଜିଜୁଙ୍କ ଧ୍ୟାନ ଆକର୍ଷଣ କରିଥିଲେ।